ଆଜି ମହା ନବମୀ ପୂଜା,  ସର୍ବତ୍ର ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେବ କୁମାରୀ ପୂଜା, ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ | News Room Odisha

ଆଜି ମହା ନବମୀ ପୂଜା,  ସର୍ବତ୍ର ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେବ କୁମାରୀ ପୂଜା, ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ

ଦୂର୍ଗାପୂଜାର ଅନ୍ୟତମ ବୈଶିଷ୍ଟ୍ୟ ହେଲା, କୁମାରୀ ପୂଜା । ଦୂର୍ଗାପୂଜାର ନବମୀ ତିଥିରେ ଏହି କୁମାରୀ ପୂଜା କରାଯାଇଥାଏ । ଏହି ଅବସରରେ ଏକ ବର୍ଷ ଠାରୁ ଆରମ୍ଭ କରି ଷୋହଳ ବର୍ଷର (ଋତୁମତୀ ହୋଇ ନ ଥିବା) ବାଳିକାଙ୍କୁ କୁମାରୀ ରୂପରେ ପୂଜା କରାଯାଇଥାଏ । ବୟସର ତାରତମ୍ୟ ଅନୁସାରେ କୁମାରୀ କନ୍ୟାର ନାମ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ । ଏକ ବର୍ଷଠୁ ଷୋଳ ବର୍ଷ କ୍ରମରେ ଯଥାକ୍ରମେ ଏମାନେ ସନ୍ଧ୍ୟା, ସରସ୍ଵତୀ, ତ୍ରିଧା, କାଳିକା, ସୁଭଗା, ଉମା, ମାଳିନୀ, କୁବ୍ଜିକା, କଳିସନ୍ଦର୍ଭା, ଅପରାଜିତା, ଋଦ୍ରାଣୀ, ଭୈରବୀ, ମହାଲକ୍ଷ୍ମୀ, ପୀଠନାୟିକା, କ୍ଷେତ୍ରଜ୍ଞା ଓ ଅମ୍ବିକା ନାମରେ ପୂଜା ପାଇଥାନ୍ତି। ସ୍ମୃତି ଅନୁସାରେ ଅଷ୍ଟ ବର୍ଷର କନ୍ୟା ଗୌରୀ, ଦଶ ବର୍ଷର କନ୍ୟା ରୋହିଣୀ ଏବଂ ବାରବର୍ଷର କନ୍ୟାକୁ କୁମାରୀ କୁହାଯାଏ । ‘ଅନ୍ନଦା କଳ୍ପ’ ଆଦି ଆଗମ ଶାସ୍ତ୍ରରେ ଅଜାତପୁଷ୍ପା କନ୍ୟାକୁ କୁମାରୀ କୁହାଯାଇଛି । କୁମାରୀ କନ୍ୟାର ପୂଜା ଠିକ୍ ଦେବୀଙ୍କର ପୂଜା ଆରାଧନା ପରି କରିବାକୁ ପଡ଼ିଥାଏ । ପାଦ୍ୟ, ଅର୍ଘ୍ୟ, ଧୂପ, କୁଙ୍କୁମ ଓ ଉତ୍ତମ ଚନ୍ଦନରେ ଭକ୍ତି ଭାବରେ ଅର୍ଚ୍ଚନା କରି କୁମାରୀଙ୍କୁ ନିବେଦନ କରାଯାଏ ।