ଶ୍ରୀକ୍ଷେତ୍ରରେ ମହା କାର୍ତ୍ତିକ ବ୍ରତ ଆରମ୍ଭ | News Room Odisha

ଶ୍ରୀକ୍ଷେତ୍ରରେ ମହା କାର୍ତ୍ତିକ ବ୍ରତ ଆରମ୍ଭ

ଆମ ଶାସ୍ତ୍ରରେ କାର୍ତ୍ତିକ ମାସକୁ ଧର୍ମ ଓ ପୁଣ୍ୟ ମାସ ବୋଲି ବିବେଚନା କରାଯାଏ । ବାର ମାସ ଭିତରେ ଧର୍ମ ର ମାସ ବା ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ । ଏହି ମାସରେ ରଖାଯାଏ କାର୍ତ୍ତିକ ବ୍ରତ ବା ରାଧା ଦାମୋଦର ପୂଜା। ସମଗ୍ର ଭାରତରେ ଏହାକୁ ଏକମାସ ବ୍ୟାପି ପାଳନ କରିଥାନ୍ତି ବ୍ରତଧାରୀ ମାନେ। ବିଶେଷ କରି ଶ୍ରୀକ୍ଷେତ୍ରରେ ଏକମାସ ଧରି ପାଳନ କରାଯାଏ ମହା କାର୍ତ୍ତିକ ବ୍ରତ । କୁମାର ପୂର୍ଣ୍ଣିମା ଦିନ ସଂକଳ୍ପ କରି ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । କାର୍ତ୍ତିକ ବ୍ରତ କରିବା ପାଇଁ ପୁରୀରେ ହବିଷ୍ୟାଳିଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣ୍ୟ ହୋଇପଡିଛି । ମାସସାରା ମହାପ୍ରଭୂଙ୍କୁ ଦର୍ଶନ କରି ହବିଷ୍ୟ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ଲୋକ ବିଶ୍ୱାସ ରହିଛି ।

ହବିଷ୍ୟାଳୀମାନେ ଭୋରୁ ଉଠି ପଞ୍ଚତୀର୍ଥ ରେ ସ୍ନାନ କରି ବାଲୁଙ୍କା ପୂଜା କରିଥିଲେ । ସେଥିରେ ସିନ୍ଦୁର,ଚନ୍ଦନ,କଳା ଲଗାଇ ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରିଥିଲେ । ପରେ ନିଜ ନିଜର ବାସ ସ୍ଥାନର ତୁଳସୀ ଚୌରା ପାଖରେ ମୁରୁଜ ପକାଇଥିଲେ । କଦଳୀ,ନଡ଼ିଆ,ସେଓ, ଗଜାମୁଗ ରେ ପ୍ରସ୍ତୁତ ଭୋଗ କରି ପୂଜା କରିଥିଲେ । ଏହାପରେ ହବିଷ୍ୟାଳୀମାନେ ସୂର୍ଯ୍ୟ ଦେବତାଙ୍କୁ ବନ୍ଦାପନା କରିଥିଲେ । କିଛି ହବିଷ୍ୟାଳୀମାନେ ରାଧାକୃଷ୍ଣ,ଶିବ ପାର୍ବତୀ ଏବଂ ଲକ୍ଷ୍ମୀନାରାୟଣଙ୍କ ବେଶରେ ସୁସଜ୍ଜିତ ହୋଇ ନିଜର ଭାବ ପ୍ରକଟ କରିଥିଲେ। ଅନ୍ୟ ହବିଷ୍ୟାଳୀମାନେ ରାଇ ଦାମୋଦର ଗୀତ,ଲକ୍ଷ୍ମୀନାରାୟଣ ଗୀତ ଏବଂ ଜଗନ୍ନାଥଙ୍କ ଜଣାଣ , ନାମ ସଂକୀର୍ତ୍ତନ ଚୌରା ମୂଳରେ କରିଥିଲେ । ଏହି ନାମ ସଂକୀର୍ତ୍ତନରେ ହବିଷ୍ୟାଳୀମାନେ ଭଗବାନ ଙ୍କ ଗୋପୀ ଭାବରେ ନିଜକୁବସମର୍ପି ଦେଇଥିଲେ ।

ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକବ୍ରତ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ବିଶ୍ୱାସ କୁ ପାଥେୟ କରି ମାସକ ଜାକ ହବିଷାନ୍ନ ଖାଇ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି । ମାସକଯାକ ପ୍ରତିଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି । ଏହି ପବିତ୍ର ବେଶ ଦର୍ଶନ ପାଇଁ କରିବା ପାଇଁ ଶୀକ୍ଷେତ୍ରରେ ପ୍ରବଳ ଭିଡ ଲାଗିଛି ।