ଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ | News Room Odisha

ଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ

ଚେନ୍ନାଇ: ଆଇପିଏଲରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଟାଇଟଲ ଲଢ଼େଇ | ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ ଏହି ପ୍ରତୀକ୍ଷିତ ଫାଇନାଲ।

ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିବା ବେଳେ କୋଲକାତା ୮ ୱିକେଟରେ ଜିତିଥିଲା। କୋଲକାତା ଓ ହାଇଦ୍ରାବାଦ ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପରସ୍ପରକୁ ଭେଟିବେ। କେକେଆର୍ ଚତୁର୍ଥ ଥର ଏବଂ ସନରାଇଜର୍ସ ତୃତୀୟ ଥର ପାଇଁ ଟାଇଟଲ୍ ମ୍ୟାଚରେ ପହଞ୍ଚିଛି | କେକେଆର୍ ଦୁଇ ବର୍ଷ ପରେ ଫାଇନାଲ ଖେଳୁଥିବା ବେଳେ ସନରାଇଜର୍ସ ପାଞ୍ଚ ବର୍ଷ ପରେ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି।

କେକେଆର୍ ଦୁଇଥର ଟାଇଟଲ୍ ଜିତିଛି | ଚଳିତ ସିଜନର ଲିଗ୍ ପର୍ଯ୍ୟାୟରେ କୋଲକାତା ୧୪ ଟି ମ୍ୟାଚ ମଧ୍ୟରୁ ୯ଟି ଜିତିଥିଲା ଏବଂ ମାତ୍ର ୩ଟି ହାରିଥିଲା । ଦଳ ୨୦ ପଏଣ୍ଟ ସହ ଟେବୁଲ ଟପ୍ପର ଭାବେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା | ପ୍ରଥମ କ୍ବାଲିଫାୟରରେ କୋଲକାତା ହାଇଦ୍ରାବାଦକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

ଅନ୍ୟପକ୍ଷରେ ଡେଭିଡ ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ୨୦୧୬ରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା | ଗତ ସିଜନରେ ହାଇଦ୍ରାବାଦ ଦଳ ୧୦ ନମ୍ବରରେ ରହିଥିଲା। କିନ୍ତୁ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଏଥର ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଲିଗ୍ ପର୍ଯ୍ୟାୟରେ ହାଇଦ୍ରାବାଦ ୮ଟି ମ୍ୟାଚ ଜିତିଥିଲା ଏବଂ ୫ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲା | ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ହାଇଦ୍ରାବାଦ ୧୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ପ୍ଲେ ଅଫରେ ପହଞ୍ଚିଥିଲା |

ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୨୭ ଥର ମୁକାବିଲା ହୋଇଥିବା ବେଳେ କେକେଆର୍ ୧୮ଟି ମ୍ୟାଚ୍ ଏବଂ ହାଇଦ୍ରାବାଦ ୯ଟି ମ୍ୟାଚ୍ ଜିତିଛି । ଚଳିତ ସିଜନରେ ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଉଭୟ ମ୍ୟାଚରେ କୋଲକାତା ବାଜି ମାରିଥିଲା ।