ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ୨୩ ଓ୍ବିକେଟ୍ ପତନ, ଭାରତ ୩୬ ରନରେ ଆଗୁଆ | News Room Odisha

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ୨୩ ଓ୍ବିକେଟ୍ ପତନ, ଭାରତ ୩୬ ରନରେ ଆଗୁଆ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ମୋଟ ୨୩ଟି ୱିକେଟର ପତନ ଘଟିଛି । ଟେଷ୍ଟ କ୍ରିକେଟର ୧୪୦ ବର୍ଷରୁ ଅଧିକ ଇତିହାସରେ ପ୍ରଥମ ଦିନରେ ଓ୍ବିକେଟ୍ ପତନ ଦୃଷ୍ଟିରୁ ଏହି ସଂଖ୍ୟା ଦ୍ବିତୀୟ ସର୍ବାଧିକ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପାଖରେ ବୃହତ ଅଗ୍ରଣୀ ହାସଲ କରି ମ୍ୟାଚକୁ ନିୟନ୍ତ୍ରଣରେ ରଖିବାକୁ ସୁଯୋଗ ଥିଲା । କିନ୍ତୁ ଭାରତ ମଧ୍ୟ ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରୋହିତ ଶର୍ମାଙ୍କ ଦଳ କେବଳ ୧୫୩ ରନରେ ଆଉଟ୍ ହୋଇଥିଲା। ଭାରତ ଏହାର ଶେଷ ୬ ଓ୍ବିକେଟ୍ ବିନା ରନରେ ହରାଇଥିଲା । ଅବଶ୍ୟ ଭାରତ ୯୮ ରନରେ ଅଗ୍ରଣୀ ହାସଲ କରିଥିଲା ।

ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦ୍ବିତୀୟ ଇନିଂସରେ ୩ ୱିକେଟ୍ ହରାଇ ୬୨ ରନ୍ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ଆହୁରି ୩୬ ରନ୍ ପଛୁଆ ରହିଥିବା ବେଳେ ହାତରେ ଅଛି ୭ ଓ୍ବିକେଟ୍ । ମ୍ୟାଚର ବର୍ତ୍ତମାନ ସ୍ଥିତିରେ ଘରୋଇ ଦଳ ଅପେକ୍ଷା ଭାରତର ପଲା ଭାରି ରହିଛି ।

ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ଓପନର୍ ଆଡେନ ମାର୍କ୍ରାମ ୩୬ ରନ୍ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ଡେଭିଡ୍ ବେଡିଙ୍ଗହମ୍ ୭ ରନରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ୍ ନେଇଛନ୍ତି। ଜସପ୍ରୀତ ବୁମରା ଗୋଟିଏ ସଫଳତା ପାଇଛନ୍ତି ।

ପୂର୍ବରୁ ମହମ୍ମଦ ସିରାଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ସହ ୧୫ ରନରେ ୬ ଓ୍ବିକେଟ୍ ନେଇଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଆଉଟ୍ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ କୌଣସି ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହା ସର୍ବନିମ୍ନ ଟେଷ୍ଟ ସ୍କୋର୍ । ଭାରତ ମଧ୍ୟ ପ୍ରଥମ ଇନିଂସରେ ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ଏକଦା ୪ ଓ୍ବିକେଟ୍ ହରାଇ ୧୫୩ ରନ୍ କରିଥିଲା । ହେଲେ ପରବର୍ତ୍ତୀ ୧୧ ବଲରେ ଆଉ ରନ୍ ଯୋଡ଼ି ନପାରି ଭାରତ ଶେଷ ୬ ଓ୍ବିକେଟ୍ ହରାଇଥିଲା। ଭାରତର ପ୍ରଥମ ଇନିଂସ୍ ୧୫୩ ରନ୍ ଓ ୯୮ ରନ୍ ଅଗ୍ରଣୀ ସହ ଶେଷ ହୋଇଥିଲା ।

ଭାରତର ୭ ଜଣ ବ୍ୟାଟର ଖାତା ଖୋଲି ପାରିନଥିଲେ । ଜଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୬ ରନ୍ କରିଥିବା ବେଳେ ରୋହିତ ଶର୍ମା ୩୯ ଏବଂ ଶୁଭମାନ ଗିଲ୍ ୩୬ ରନ୍ କରିଥିଲେ ।‌ ଦକ୍ଷିଣ ଆଫ୍ରିକା ତରଫରୁ ରାବାଡା, ଏନଗିଡି ଓ ବର୍ଗର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।