ଭୁବନେଶ୍ବର: ଓଡିଶାରେ ପଞ୍ଚାୟତ ନିର୍ବାଚନ ପୌର ନିର୍ବାଚନ ଓ ଉପ ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇଯାଇଥିବା ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି । ଡକ୍ଟର ମହାନ୍ତି ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏନସିଆରବି ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି, ଅଭିଭାଷଣ ରଖିବା ପୂର୍ବରୁ ସମସ୍ତ ତଥ୍ୟ ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା । ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠାରୁ ବେଶି ଅପରାଧ ଘଟୁଛି ଉତ୍ତର ପ୍ରଦେଶରେ । ଏହା ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ । ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ବିଜେପି ଶାସିତ ରାଜ୍ୟ ସରକାରଗୁଡିକ ତାହେଲେ ଅପାରଗ । ଓଡିଶା ସରକାରଙ୍କ ଉପରେ ଅଯଥାରେ ଆଙ୍ଗୁଳି ଉଠାଇବା ଆଗରୁ ପ୍ରଥମେ ବିଜେପି ଶାସିତ ପ୍ରଦେଶଗୁଡିଳରେ ସ୍ଥିତି ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା । ନିଜ କର୍ମୀଙ୍କୁ ଉତ୍ସାହିତ କରିବା କିଛି ଭୁଲ୍ କଥା ନୁହେଁ, ହେଲେ ଏଥିପାଇଁ ଅର୍ଦ୍ଧସତ୍ଯ କହି ଓଡିଶାକୁ ଅପମାନିତ କରିବା ଠିକ୍ ନୁହେଁ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।