ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର | News Room Odisha

ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର – ରକ୍ତ ହିଁ ଜୀବନ । ଆପାଦକାଳୀନ ସ୍ଥିତିରେ ଟୋପାଏ ରକ୍ତ ମଣିଷକୁ ବଞ୍ଚାଇଥାଏ । ଆମେମାନେ ସମସ୍ତେ ଏହାର ଗୁରୁତ୍ଵ ଉପଲବ୍ଧ କରିବା ଦରକାର । ସରକାର ଦୁର୍ଘଟଣା କ୍ଷେତ୍ରରେ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି । ଆମେ ସମସ୍ତେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦ ପକ୍ଷରୁ ଲୋକସେବା ଭବନ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଲେ ଯେ ରାଜସ୍ୱ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସ୍ଵାଗତଯୋଗ୍ୟ ।

ଏହିଭଳି ଶିବିର ଆୟୋଜନ ମାଧ୍ୟମରେ ସ୍ଵେଚ୍ଛାସେବୀମାନେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଲେ ରକ୍ତସଂଗ୍ରହ ଅଭାବ ଦୂର ହୋଇପାରିବ ଓ ଆବଶ୍ୟକ ସମୟରେ ବହୁମୂଲ୍ୟ ଜୀବନଟିଏ ବଞ୍ଚାଯାଇ ପାରିବ । ରକ୍ତଦାନ ମହତ ଦାନ । ବିଭାଗ ପକ୍ଷରୁ ଆୟୋଜିତ ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହି ରକ୍ତଦାନ ଶିବିରରେ ୬୯ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିବାବେଳେ ରାଜସ୍ୱ ବିଭାଗ ସାଂସ୍କୃତିକ ସଂସଦର ସାଧାରଣ ସଂପାଦକ ମନୋରଞ୍ଜନ ପଟ୍ଟନାୟକ , ସଭାପତି ଶୁଭେନ୍ଦୁ ଆଚାର୍ଯ୍ୟ , ଉପସଭାପତି ସତ୍ୟବ୍ରତ ନାୟକ ରକ୍ତଦାନ ଶିବିର ପରିଚାଳନା କରିଥିଲେ । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।