ଶ୍ରୀମଦ୍ ଭଗବତଗୀତା ପ୍ରଥମ ଅଧ୍ୟାୟର ନାମ ‘ଅର୍ଜ୍ଜୁନ ବିଷାଦଯୋଗ ‘ । ଜଡ ଦେହରେ ଆତ୍ମ ବୁଦ୍ଧିରୁ ଏହି ‘ବିଷାଦଯୋଗ ‘ ର ଉତ୍ପତ୍ତି। ଦେହାତ୍ମବୁଦ୍ଧି ବିଶିଷ୍ଟ ବ୍ୟକ୍ତିମାନେ ଦେହଧର୍ମ, କୂଳଧର୍ମ, ଜାତିଧର୍ମ ପ୍ରଭୁତି ମନୋଧର୍ମକୁ ‘ସନାତନ ଧର୍ମ ‘ ବୋଲି ବିଚାର କରନ୍ତି। ଏମାନେ ସଂସାରକୁ ସାର ବିଚାର କରି ସ୍ଵ ସ୍ଵ ଆତ୍ମୀୟ ସ୍ୱଜନଙ୍କ ସେବାକୁ ପରମ ଧର୍ମ ବା ସନାତନ ଧର୍ମ ବୋଲି ବିଚାର କରିଥାନ୍ତି। ଯେତେଦିନ ପର୍ଯ୍ୟନ୍ତ ଜୀବ ମାୟାବଦ୍ଧ ହୋଇ ଦେହାତ୍ମବୁଦ୍ଧି ବିଶିଷ୍ଟ ଥାଏ ସେତେଦିନ ପର୍ଯ୍ୟନ୍ତ ତାହାକୁ ଶୋକ, ମୋହ, ଭୟାଦି ନାନାବିଧ ସଂସାର କ୍ଳେଶ ଭୋଗ କରି ଶେଷରେ ବିଷାଦଗ୍ରସ୍ତ ହେବାକୁ ହୁଏ। ଅର୍ଜ୍ଜୁନ ଆତ୍ମୀୟ ସ୍ୱଜନ ଙ୍କ ପ୍ରତି ଆସକ୍ତ ହୋଇ ବିଷଦଗ୍ରସ୍ତ ହେବାର ଅଭିନୟ କରି ଏହା ହିଁ ଶିକ୍ଷା ଦେଇଛନ୍ତି।
ଯେଉଁମାନେ ଦେହକୁ ଆତ୍ମଜ୍ଞାନ କରି ଅନିତ୍ୟ ବସ୍ତୁରେ ମୁଁ ଓ ମୋର ବୁଦ୍ଧିରେ ଧର୍ମ ଓ ଅଧର୍ମ ବିଚାର କରିବାକୁ ପ୍ରବୃତ୍ତ ହୁଅନ୍ତି ସେମାନଙ୍କ ମତ ଯେତେ ଉପାଦେୟ ବୋଲି କଥିତ ହେଉନା କାହିଁକି ତାହା ମନୋଧର୍ମ ରୁ ଜାତ ବୋଲି ଅନିତ୍ୟ ଧର୍ମ, ତାହା କେବେହେଲେ ସନାତନ ଧର୍ମ ହୋଇ ପାରିବ ନାହିଁ।।