ଶ୍ରୀଭଗବଦ ଅବତାର ଜଗଦଗୁରୁ ଶ୍ରୀମଦକୃଷ୍ଣ ଦୈପାୟନ ବେଦବ୍ୟାସ ‘ଶ୍ରୀମଦଭଗବଦଗୀତା’ ଗ୍ରନ୍ଥର ରଚୟିତା। ଏହା ତାଙ୍କ ରଚିତ ଅଷ୍ଟାଦଶ ପର୍ବତ୍ମକ ଗ୍ରନ୍ଥ ଶ୍ରୀମହାଭାରତ ଭୀଷ୍ମପର୍ବ ଅନ୍ତର୍ଗତ। କଥିତ ଅଛି ଭଗବାନ ବେଦବ୍ୟାସ ଷାଠିଏ ଲକ୍ଷ ଶ୍ଲୋକରେ ଶ୍ରୀମହାଭାରତ ରଚନା କରିଥିଲେ। ସେଥିମଧ୍ୟରୁ ତିରିଶ ଲକ୍ଷ ଶ୍ଳୋକ ଦେବଲୋକରେ, ପନ୍ଦର ଲକ୍ଷ ଶ୍ଳୋକ ପିତୃ ଲୋକରେ, ଚଉଦ ଲକ୍ଷ ଶ୍ଳୋକ ଗନ୍ଧର୍ବ ଲୋକରେ ଏବଂ ଏକଲକ୍ଷ ଶ୍ଳୋକ ସମନ୍ବିତ ଶ୍ରୀମହାଭାରତ ବର୍ତ୍ତମାନ ନରଲୋକ ରେ ବିଦ୍ୟମାନ। ଏହି ପବିତ୍ର ଗ୍ରନ୍ଥରେ ସମୁଦାୟ ଅଠର ଟି ପର୍ବ ନିହିତ ଅଛି। ଭାରତ ବଂଶଦ୍ଭଵ ରାଜାଗଣଙ୍କ ବୃତ୍ତାନ୍ତ ବିଶେଶତଃ କୁରୁ ଏବଂ ପାଣ୍ଡବଗଣଙ୍କ ବିବରଣୀ ଏହି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। ସ୍ୱୟଂ ଗଣେଶ ଏହି ଗ୍ରନ୍ଥକୁ ନିଜ ଦନ୍ତ ସାହାଯ୍ୟରେ ଲେଖିଥିଲେ।
ଶ୍ରୀମହାଭାରତ ଭୀଷ୍ମପର୍ବର ପଚିଶ ଅଧ୍ୟାୟ ଠାରୁ ଆରମ୍ଭ କରି ବୟାଲିଶ ପର୍ଯ୍ୟନ୍ତ ଅଠର ଟି ଅଧ୍ୟାୟକୁ ‘ଶ୍ରୀମଦଭଗବଦଗୀତା’ କୁହାଯାଏ। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ନିଜର ପ୍ରିୟ ସଖା ଅର୍ଜୁନଙ୍କୁ ଉପଲକ୍ଷ କରି ତାହାଙ୍କ ଶ୍ରୀଚରଣ ଲାଭର କଲ୍ୟାଣ ନିମନ୍ତେ ତଥା ଏଥିରେ ଭଵ-ସମୁଦ୍ର ପାରି ହେବାର ଉପାୟସ୍ୱରୂପ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଛନ୍ତି। ଗୀତା ଗ୍ରନ୍ଥଟି ଉଭୟ ବକ୍ତା ଓ ଶ୍ରୋତାର କଥପୋକଥନରେ ପୂର୍ଣ୍ଣବକ୍ତା ଜଗଦଗୁରୁ ଶ୍ରୀକୃଷ୍ଣ, ଶ୍ରୋତା ଶିଷ୍ୟ ଅର୍ଜୁନ। ପ୍ରଥମେ ଗୀତା ଅର୍ଜୁନଙ୍କ ବିଷାଦ ଯୋଗରୁ ଆରମ୍ଭ ହୋଇଛି। ଏବଂ ମୋକ୍ଷ ଯୋଗ ରେ ଶେଷ ହୋଇଛି। ଗୀତାର ବକ୍ତା ଏବଂ ଶ୍ରୋତାଙ୍କର ଏହି ପ୍ରଶ୍ନ ଉତ୍ତର ଦିବ୍ୟ ଏବଂ ଶାଶ୍ୱତ। ଏହାର ଅନୁଶୀଳନ ବ୍ୟତୀତ ମାନବ ସମାଜ ଅଜ୍ଞାନ ଅନ୍ଧକାରରେ ନିପତିତ। ଅଜ୍ଞାନ ଅନ୍ଧକାରରୁ ଉର୍ଦ୍ଧ୍ବକୁ ଉଠି ଦିବ୍ୟଲୋକରେ ଜୀବନର ଗୁପ୍ତ ରହସ୍ୟକୁ ଉଦ୍ଘାଟନ କରି ଦିବ୍ୟାନନ୍ଦରେ ପୂର୍ଣ୍ଣ କରିବାକୁ ହେଲେ ଏହା ନିତ୍ୟ ପଠନିୟ।