ବିଜେଡି: ଗୌରବ ଓ ବିକାଶର ଅଢେଇ ଦଶନ୍ଧିର ଗାଥା | News Room Odisha

ବିଜେଡି: ଗୌରବ ଓ ବିକାଶର ଅଢେଇ ଦଶନ୍ଧିର ଗାଥା

୧୯୯୭ ମସିହାର ଏହି ଦିନରେ କିମ୍ବଦନ୍ତୀ ସ୍ବାଧୀନତା ସଂଗ୍ରାମୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ଏହି ଦଳ ଏବେ ଓଡ଼ିଶାରେ ଗୌରବମୟ ୨୪ ବର୍ଷ ପୂରଣ କରି ସାରିଛି। ଭାରତରେ ଯଦି କୌଣସି ଆଞ୍ଚଳିକ ଦଳ କୌଣସି ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟରେ ଦୁଇ ଦଶନ୍ଧିରୁ ଅଧିକ କାଳ ଅବିରତ ଆଧିପତ୍ୟ ବିସ୍ତାର କରିଛି ତେବେ ନିଃସନ୍ଦେହରେ ତାହା ହେଉଛି ବିଜେଡି, ଭିନ୍ନ ଏକ ରାଜନୈତିକ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଦଳ କେବଳ ଯେ ତାର କ୍ରମାନ୍ୱୟ ଉଲ୍ଲେଖନୀୟ ଅବସ୍ଥିତିର ୨୪ ବର୍ଷ ପୂର୍ତ୍ତି ପାଳନ କରୁଛି ତା ନୁହେଁ, ବରଂ ଜନତା ଓ ସେମାନଙ୍କ କଲ୍ୟାଣକୁ କେନ୍ଦ୍ର କରି ରାଜ୍ୟର ପୁନର୍ଗଠନରେ ଅଗଣିତ ସଫଳତାକୁ ପାଳନ କରୁଛି। ରାଜ୍ୟର ବିକାଶ ଦିଗରେ ଅନୁକରଣୀୟ ନିଷ୍ଠା ହେତୁ ବର୍ତ୍ତମାନ ବିଜୁ ଜନତା ଦଳ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ଵାସର ପ୍ରତୀକ ପାଲଟିଛି। ପ୍ରେରଣାଦାୟୀ ମତବାଦ ଓ ନୈତିକତା ଆଧାରିତ ରାଜନୀତି ହେତୁ ବିଜେଡି ଜନତାଙ୍କ ହୃଦୟରେ ଏକ ସ୍ଥାୟୀ ସ୍ଥାନ ସଂରକ୍ଷିତ କରି ରଖିବାରେ ଲଗାତାର ସକ୍ଷମ ହୋଇ ଆସିଛି।

ବିଜେଡି ନେତୃତ୍ବାଧୀନ ସରକାରର କାର୍ଯ୍ୟଧାରା ରାଜ୍ୟବାସୀଙ୍କ ଜୀବନ ଓ ଜୀବିକାକୁ ବିପର୍ଯ୍ୟୟରୁ ସୁରକ୍ଷିତ ରଖିବା, ବ୍ୟାପକମାତ୍ରାରେ ଜନତାଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟ ନିରାପତ୍ତାକୁ ସୁନିଶ୍ଚିତ କରାଇବା, ମହିଳାଙ୍କ ରାଜନୈତିକ ଓ ଆର୍ଥିକ ସଶକ୍ତୀକରଣ, ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟତାରୁ ମୁକ୍ତି ସାଙ୍ଗକୁ ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ଉପରେ ମଜବୁତ ଭାବେ ଆଧାରିତ। ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଗତ ଦୁଇ ଦଶନ୍ଧିରୁ ଅଧିକ କାଳ ବିଜେଡିର ପ୍ରଭୃତ୍ଵ ବାସ୍ତବିକ ଭାବେ ଅନନ୍ୟ। ଓଡ଼ିଶାର ରାଜନୈତିକ ଇତିହାସର ସବୁଠାରୁ ବିପର୍ଯ୍ୟସ୍ତ କାଳଖଣ୍ଡରେ ଗଠିତ ଏହି ଦଳ, ବର୍ତ୍ତମାନ କେବଳ ରାଜ୍ୟର ନୁହେଁ ବରଂ ଦେଶର ମଧ୍ୟ ସବୁଠାରୁ ସଫଳ ଆଞ୍ଚଳିକ ଦଳ ସାଜିଛି ଯାହା ପ୍ରତିଟି ନିର୍ବାଚନରେ ବିପୁଳ ବ୍ୟବଧାନରେ ବିଜୟ ହାସଲ କରି ଚାଲିଛି। ଓଡ଼ିଶାରେ ମତଦାନ ରାଜନୀତି ସମୟଚକ୍ରରେ ଏହା ଏକ ନୂଆ ଧାରା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି ଯେ ନିର୍ବାଚନ ପରେ ନିର୍ବାଚନରେ ଏହା ଅପ୍ରତ୍ୟାଶିତ ଜୟଯାତ୍ରା ଜାରି ରଖି ଆସିଛି।

ବିଜେଡିର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଓ ମତଦାନର ସଫଳତାର ଶ୍ରେୟ କେବଳମାତ୍ର ଜଣେ ବ୍ୟକ୍ତିଙ୍କୁ ଯାଏ। ସେ ହେଉଛନ୍ତି ଏହାର ସର୍ବମାନ୍ୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେକି ନିଜର ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି, ଦୁର୍ନୀତିମୁକ୍ତ ଓ ପାରଦର୍ଶୀ ଶାସନ ଲାଗି ଲକ୍ଷ ଲକ୍ଷ ଲୋକଙ୍କ ଦ୍ବାରା ବେଶ୍ ଗ୍ରହଣୀୟ ହୋଇପାରିଛନ୍ତି। ନବୀନଙ୍କ ଲୋକାଭିମୁଖୀ ଓ ବିକାଶମୁଖୀ ନୀତି ଓଡ଼ିଶାକୁ ଦେଶର ସବୁଠାରୁ ଦ୍ରୁତ ବିକାଶଶୀଳ ଅର୍ଥନୀତିରେ ପରିଣତ କରାଇ ପାରିଛି। ନବୀନଙ୍କ ‘ପ୍ରଥମେ ଜନତା’ ଆଭିମୁଖ୍ୟ କେବଳ ଯେ ତାଙ୍କୁ ଦୀର୍ଘସ୍ଥାୟୀ କ୍ଷମତାସୀନ ମୁଖ୍ୟମନ୍ତ୍ରୀ କରାଇ ପାରିଛି ତାନୁହେଁ, ଏଥିସହ ଦେଶର ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ପରିଚିତ କରାଇଛି। ନିଜ ଦଳର ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ନବୀନଙ୍କ ବାର୍ତ୍ତା ହେଉଛି “ବିଜେଡି ଲୋକଙ୍କୁ ସେବା କରିବା ଓ ସେମାନଙ୍କୁ ସଶକ୍ତ କରାଇବାର ଏକ ଆନ୍ଦୋଳନ। ରାଜ୍ୟର ସାଢ଼େ ୪ କୋଟି ଜନତା ହେଉଛନ୍ତି ବିଜେଡି ପରିବାରର ସଦସ୍ୟ। ଲୋକେ ଆମକୁ କ୍ଷମତା ପାଇଁ ନୁହେଁ, ବରଂ ସେମାନଙ୍କ ସେବା ପାଇଁ ଭୋଟ ଦେଇଛନ୍ତି”। ଓଡ଼ିଶା ଯାହାକି ଦିନେ ଭୋକିଲା, ଦାରିଦ୍ର୍ୟତା ଓ ଅନାହାର ମୃତ୍ୟୁର ରାଜ୍ୟ ଭାବେ ପରିଚିତ ହେଉଥିଲା, ବର୍ତ୍ତମାନ ଭାରତର ଅନ୍ୟତମ ସ୍ଥିର ପ୍ରଗତିଶୀଳ ରାଜ୍ୟରେ ପରିଣତ ହୋଇପାରିଛି। ଜାତୀୟ ହାର ତୁଳନାରେ ଏହାର ଆର୍ଥିକ ବିକାଶ ହାର କାହିଁ କେତେ ଅଧିକ।

ଓଡ଼ିଶା: ନିବେଶକଙ୍କ ଲକ୍ଷ୍ୟସ୍ଥଳ

ଉତ୍ତମ ନୀତିରୁ ଉତ୍ତମ ଅର୍ଥନୀତିକୁ ବାଟ ଲମ୍ବିଥାଏ। ଓଡ଼ିଶା ଏହାକୁ ପ୍ରମାଣିତ କରିପାରିଛି। ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ବିଭ୍ରାଟହୀନ ଓ ବିକାଶ ଆଧାରିତ ଆର୍ଥିକ ନୀତି ଓ ସରକାରଙ୍କ ପଦକ୍ଷେପ ରାଜ୍ୟକୁ ଦେଶର ସର୍ବଶ୍ରେଷ୍ଠ ନିବେଶକଙ୍କ ପସନ୍ଦର ରାଜ୍ୟ କରାଇବାରେ ସହାୟକ ହୋଇଛି। ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ବ ହେତୁ ବହୁ ସଂଖ୍ୟକ ନିଆରା ପଦକ୍ଷେପମାନ ଗ୍ରହଣ କରାଯାଇଛି ଓ ବ୍ୟବସାୟିକ ପରିବେଶକୁ ବ୍ୟବସ୍ଥିତ କରି ଆଖିଦୃଶିଆ ନିବେଶକଙ୍କୁ ରାଜ୍ୟ ପ୍ରତି ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି। ପାରଦର୍ଶିତା, ଉତ୍ତରଦାୟିତ୍ୱ ଓ ବର୍ଦ୍ଧିତ ଦକ୍ଷତା ସହ ତୃଣମୂଳସ୍ତରରେ ନିଜର ସମ୍ବଳ ଓ ଭୌଗୋଳିକ ଉତ୍କର୍ଷତାକୁ ବିନିଯୋଗ କରି ପୁଞ୍ଜି ଆକୃଷ୍ଟ କରିବାରେ ଓଡ଼ିଶା ସଫଳ ହୋଇଛି।

ନମ୍ର ଭାବେ ବାର୍ତ୍ତାଳାପ କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ହେଉଛନ୍ତି ସେହି ସୂତ୍ରଧର ଯେକି ରାଜ୍ୟରେ ଉଲ୍ଲେଖନୀୟ ଆର୍ଥିକ ବିକାଶ ଆଣି ପାରିଛନ୍ତି। ଶିକ୍ଷାରୁ ଆରମ୍ଭ କରି କ୍ରୀଡ଼ା, ସ୍ବାସ୍ଥ୍ୟ ସେବା ଆଦି ଅନେକ କ୍ଷେତ୍ରରେ ଓଡ଼ିଶା ଆଞ୍ଚଳିକ ପେଣ୍ଠସ୍ଥଳୀ (ହବ୍) ସାଜିଛି। ଏହାବାଦେ ମଧ୍ୟ ଓଡ଼ିଶା ସୂଚନା ଓ ପ୍ରଯୁକ୍ତି ବିଦ୍ୟା କୌଶଳ ଶିଳ୍ପରେ ମଧ୍ୟ ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଛି। ଏହାର ଦକ୍ଷ ସମ୍ବଳ ଶକ୍ତି (ଟ୍ୟାଲେଣ୍ଟ୍ ପୁଲ) ଦେଶରେ ଅନ୍ୟତମ ସର୍ବୋତ୍ତମ ଅଟେ ଯାହାକି ନିବେଶକଙ୍କୁ ଆକୃଷ୍ଟ କରିପାରୁଛି।

ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଦୃଷ୍ଟିରୁ ଲୌହ ଖଣିଜ, ବକ୍ସାଇଟ୍‌ ସମ୍ବଳ ଉପରେ ଓଡ଼ିଶା ସରକାରଙ୍କ ଫୋକସ୍ ହେତୁ ଅନ୍ୟାନ୍ୟ କ୍ଷେତ୍ର ଯଥା ପେଟ୍ରୋକେମିକାଲ୍ସ, ଫାର୍ମାସ୍ୟୁଟିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ମଧ୍ୟ ବିକାଶର ଧାରାରେ ସାମିଲ ହୋଇପାରିଛି। ଏଥିସହ ନବୀନ ପଟ୍ଟନାୟକ ‘ମୋ ସରକାର’ ଭଳି ଏକାଧିକ ଅଦ୍ବିତୀୟ ସାମାଜିକ ନୀତି କାର୍ଯ୍ୟକାରୀ କରିଛନ୍ତି ଯାହା ଶାସନ ପ୍ରଶାସନରେ ଅଧିକ ସ୍ୱଚ୍ଛତା ଆଣିପାରିଛି। ରାଜନୈତିକ ବିବିଧତା ମଧ୍ୟରେ ବନ୍ଧୁତ୍ବକୁ ଏକ ଆଦର୍ଶରେ ପରିଣତ କରିପାରିଥିବା ନବୀନ ପଟ୍ଟନାୟକ ଏଥିଲାଗି ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସକାଶେ ଅନୁକରଣୀୟ ବୋଲି ପ୍ରତିପାଦିତ ହୋଇପାରିଛନ୍ତି।

୨୦୨୦ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଓଡ଼ିଶା ସାରା ଦେଶ ପାଇଥିବା ପୁଞ୍ଜିନିବେଶର ୧୮ ପ୍ରତିଶତକୁ ଆକୃଷ୍ଟ କରିପାରିଛି। କୋଭିଡ୍- ୧୯ ମହାମାରୀ ସମୟରେ ମଧ୍ୟ ଓଡ଼ିଶା ରାଜ୍ୟରେ ଅନେକ ବୃହତ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ୯୨ ହଜାର କୋଟିରୁ ଊର୍ଦ୍ଧ୍ବ ପରିମାଣର ପୁଞ୍ଜିନିବେଶ ପ୍ରସ୍ତାବକୁ ଏକାଥରକେ ନବୀନ ସରକାର ମଞ୍ଜୁରୀ ଦେଇଛି ଯେଉଁଥିରେ ୩୧,୯୭୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଅନ୍ୟ କ୍ଷେତ୍ରରେ ମଧ୍ୟ ଆର୍ଥିକ ବିକାଶର ଉଲ୍ଲେଖନୀୟ ପ୍ରଭାବ ସ୍ପଷ୍ଟ ପ୍ରତୀୟମାନ। କୃଷି କ୍ଷେତ୍ରରେ ୨.୮୦ ପ୍ରତିଶତ ଜାତୀୟ ହାର ତୁଳନାରେ ଓଡ଼ିଶା ବେଶ୍ ଅଧିକ ଅର୍ଥାତ୍ ୭.୬୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିପାରିଛି। ଗତ ଦଶନ୍ଧିରେ ଏହିଭଳି କୃଷି କ୍ଷେତ୍ରରେ ଅବିଶ୍ବସନୀୟ ପ୍ରଦର୍ଶନରୁ ଓଡ଼ିଶା ଅନେକ ଥର ସମ୍ମାନଜନକ କୃଷିକର୍ମଣ ପୁରସ୍କାର ପ୍ରାପ୍ତ କରିଛି।

ବିଜେଡି ଓ ମହିଳା ସଶକ୍ତୀକରଣ

ଗତ ୨୪ ବର୍ଷ ମଧ୍ୟରେ ବିଜେଡିର ଅଦ୍ବିତୀୟ ତଥା ସବୁଠୁ ନିଆରା ପଦକ୍ଷେପ ହୋଇଛି ନାରୀ ସଶକ୍ତୀକରଣ କ୍ଷେତ୍ରରେ ଅପାର ରେକର୍ଡ। ଗତ ସାଧାରଣ ନିର୍ବାଚନରେ ରାଜ୍ୟରୁ ମୋଟ ଲୋକସଭା ଆସନର ୩୩ ପ୍ରତିଶତ ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀ କରାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ମହିଳା ସଶକ୍ତୀକରଣକୁ ପରବର୍ତ୍ତୀ ପର୍ଯ୍ୟାୟ ଓ ତା ଠାରୁ ଅଧିକ ଉଚ୍ଚକୁ ନେଇପାରିଛି। ଅବଶିଷ୍ଟ ଦେଶ ପାଇଁ ଏହା ଏକ ଚମକୃତ ଉଦାହରଣ। ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ପଥ ପ୍ରଦର୍ଶନ କରିଥିବା ମହାନ ବିଜୁ ବାବୁଙ୍କ ମାର୍ଗକୁ ଅନୁସରଣ କରିଛି ବିଜେଡି। କେବଳ ନିଜ ଭିତରେ ସୀମିତ ନରହି, ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ଓ ଜାତୀୟସ୍ତରରେ ସମସ୍ତ ରାଜନୈତିକ ଦଳର ମୁଖ୍ୟଙ୍କୁ ଏଭଳି କରିବାକୁ ପତ୍ର ଲେଖିଛନ୍ତି। ଏଭଳି କରି ବିଜେଡି ପୁରୁଷ ଆଧିପତ୍ୟ ରାଜନୀତିକୁ ଲିଙ୍ଗବୈଷମ୍ୟମୁକ୍ତ କରିବାରେ ଅଗ୍ରଣୀ ରହି ଆସିଛି।

ବାସ୍ତବ ଦୃଷ୍ଟିରୁ ମହିଳା ସଶକ୍ତୀକରଣର ଆଉ ଏକ ପ୍ରମୁଖ ନଜିର ହୋଇଛି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା। ୧୯୯୭ ମସିହାରେ ବିଜେଡି ଗଠନର ୪/୫ ବର୍ଷ ପରେ ଯେତେବେଳେ ନାରୀ ସଶକ୍ତୀକରଣ ନିମନ୍ତେ ବ୍ୟାପକସ୍ତରରେ ଆନ୍ଦୋଳନ ଭଳି ଏସ୍ଏଚ୍‌ଜି ଗଠନ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଥିଲା। ଆଜି ଯେତେବେଳେ ଦଳ ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି, ଦଳର ବିଭିନ୍ନ ବର୍ଗର ନେତା, କର୍ମୀମାନେ ତଥା ସାରା ଓଡ଼ିଶା ରାଜ୍ୟ ସନ୍ତୁଷ୍ଟି ପ୍ରକାଶ କରୁଛି ଯେ- ଏସ୍ଏଚ୍‌ଜି ମହାସଙ୍ଗଠନରେ ୭୦ ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ମହିଳାଙ୍କ ମହାସଶକ୍ତୀକରଣ ପଥରେ ସେମାନେ ଏକ ନୂଆ ଦୃଷ୍ଟିଭଙ୍ଗୀ, ନୂତନ ଆଶା ଓ ରୋଡମ୍ୟାପ୍ ପ୍ରଦର୍ଶିତ କରିପାରୁଛନ୍ତି। ଏଭଳି ସମସ୍ତ ବ୍ୟାପକ ପରିସରର କାର୍ଯ୍ୟକଳାପ ସେହି ସାମାଜିକ ଗତି ଓ ବେଗ ସୃଷ୍ଟି କରୁଛି ଯାହା ସମାଜ ଓ ଅର୍ଥନୀତିକୁ ଏକ ନିର୍ଣ୍ଣାୟକ ଢଙ୍ଗରେ ରୂପାନ୍ତରଣ କରୁଛି, ଯାହାଫଳରେ ଏକ ସକରାତ୍ମକ ସାମାଜିକ ପରିବର୍ତ୍ତନ ହାସଲ କରିବା ସମ୍ଭବପର ହୋଇପାରୁଛି ଓ ଯାହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି।

କୋଭିଡ୍ ପରିଚାଳନାରେ ଗୋଷ୍ଠୀଗତ ସମ୍ପୃକ୍ତି

ଓଡ଼ିଶାରେ କୋଭିଡ୍ ମହାମାରୀ ବିରୋଧରେ ଲଢ଼େଇର କେନ୍ଦ୍ରବିନ୍ଦୁ ଥିଲା ଗୋଷ୍ଠୀଗତ ନିରୀକ୍ଷଣ ଓ ସାମୂହିକ ସଜାଗ ତଥା ସତର୍କତା। ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ କାର୍ଯ୍ୟକାରୀ କରିବା ତଥା କଡ଼ା ନଜର ରଖିବା ନିମନ୍ତେ ଗୋଷ୍ଠୀଗତ ସମ୍ପୃକ୍ତି ନିହାତି ଆବଶ୍ୟକ। ଏଣୁ ରାଜ୍ୟ ସରକାର ତୃଣମୂଳସ୍ତରରେ ସମସ୍ତ ବର୍ଗର ଗୋଷ୍ଠୀଗତ ନେତାଙ୍କୁ ସାମିଲ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ମହାମାରୀର ଅଧିକ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିବ। ମହାମାରୀ ସମୟରେ ୬ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କ ଚଳପ୍ରଚଳ ଓ ଜୀବନଜୀବିକାକୁ ପରିଚାଳନା କରିବା ଏକ ବୃହତ୍ ଓ କଷ୍ଟସାଧ୍ୟ ବ୍ୟାପାର ଥିଲା, ପୁଣି ସେତେବେଳେ ଯେବେ ସାରା ଦେଶ ତାଲାବନ୍ଦ ସ୍ଥିତିରେ ଥିଲା। ଓଡ଼ିଶା ଯାହାକି ଦେଶର ପ୍ରବାସୀ ଶ୍ରମଶକ୍ତି କ୍ଷେତ୍ରରେ ଏକ ବଡ଼ ଅବଦାନ ରଖେ, ଆରମ୍ଭରୁ ହିଁ ଏଭଳି କିଛି ପଦକ୍ଷେପ ଗ୍ରହଣ କଲା ଯାହାଦ୍ବାରା କୋଭିଡ୍- ୧୯ ସଂକ୍ରମଣକୁ ରୋକିବାରେ ଅନେକ ମାତ୍ରାରେ ସହାୟକ ହେଲା। ଯେହେତୁ ରାଜ୍ୟକୁ ଫେରୁଥିବା ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଗ୍ରାମାଞ୍ଚଳରୁ ଥିଲେ, ସେମାନଙ୍କ ପରିଚାଳନା ନିଶ୍ଚିତ ଭାବେ ଏକ ବୃହତ୍ ଆହ୍ବାନ ଥିଲା। ଏଣୁ ତୃଣମୂଳସ୍ତରରେ କାର୍ଯ୍ୟରତ ପଞ୍ଚାୟତିରାଜ ସଂସ୍ଥାକୁ ଏହି ବ୍ୟାପାରରେ ସାମିଲ କରାଇବାକୁ ଏହା ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଥିଲା।

ପ୍ରବାସୀଙ୍କ ବ୍ୟାପାର ପରିଚାଳନା କ୍ଷେତ୍ରରେ ତୃଣମୂଳସ୍ତରର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ ଦୃଷ୍ଟିରୁ ଓଡ଼ିଶା ସେହି ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାକୁ ନିଷ୍ପତ୍ତି ନେଇଥିଲା। ଗ୍ରାମ ପଞ୍ଚାୟତସ୍ତରରେ ପଞ୍ଜୀକରଣ, ସଙ୍ଗରୋଧ ପ୍ରୟାସ ପରିଚାଳନା ଦୃଷ୍ଟିରୁ ସରପଞ୍ଚମାନଙ୍କୁ ସେମାନଙ୍କ ଅଞ୍ଚଳ ପରିସରରେ ନିର୍ଦ୍ଦିଷ୍ଟ ଆଇନ ଓ ନିୟମ ମୁତାବକ ଜିଲ୍ଲାପାଳଙ୍କ ଭଳି କ୍ଷମତା ଦିଆଗଲା। ଦେଶରେ ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଏଭଳି ବ୍ୟବସ୍ଥା କରିପାରିଥିଲା। ଏହି ନିଷ୍ପତ୍ତି ସ୍ଥାନୀୟ ଆବଶ୍ୟକତା ଅନୁସାରେ କୋଭିଡ୍- ୧୯ ନିୟନ୍ତ୍ରଣ ନିମନ୍ତେ ସରପଞ୍ଚମାନଙ୍କୁ ଯୋଜନା କରିବା, ସମନ୍ବୟ ରକ୍ଷା ଓ ପଦକ୍ଷେପ ଗ୍ରହଣ କରିବାକୁ ଅନୁମତି ଦେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ପଞ୍ଚାୟତଗୁଡ଼ିକୁ ଅଧିକ ଶକ୍ତିଶାଳୀ କରି ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ବାରୋପ କରି ଆସିଥିଲା। ଯେହେତୁ ସ୍ଥିତିର ମୁକାବିଲା ନିମନ୍ତେ ତୃଣମୂଳସ୍ତରରେ ପଞ୍ଚାୟତଗୁଡ଼ିକ ସବୁଠାରୁ ଅଧିକ ସକ୍ଷମ ଥିଲେ, ତେଣୁ ନିଜର ପ୍ରଥମ ପଦକ୍ଷେପରେ ସରକାର ପ୍ରତିଟି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଉକ୍ତ ଅର୍ଥ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ଓ ପରିଚାଳନା ଦିଗରେ ବିନଯୋଗ କରାଯାଇଥିଲା। ଏହା ରାଜ୍ୟରେ ଅସ୍ଥାୟୀ ପ୍ରଯତ୍ନ କେନ୍ଦ୍ରଗୁଡ଼ିକୁ ବହୁ ସଂଖ୍ୟାରେ ସ୍ଥାପନ କରିବାରେ ସହାୟକ ହୋଇଥିଲା।

୫-ଟି, ମୋ ସରକାର: ଶାସନର ରୂପାନ୍ତରଣ କ୍ଷେତ୍ରରେ ଅଦ୍ଵିତୀୟ ପଦକ୍ଷେପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରର ପଞ୍ଚମ ପାଳି ଶାସନର ରୂପାନ୍ତରଣ ନିମନ୍ତେ କିଛି ନିଆରା ତଥା ଅଦ୍ୱିତୀୟ ପଦକ୍ଷେପ ସହ ଆରମ୍ଭ ହୋଇଥିଲା, ଯାହାକୁ ରାଜ୍ୟ କିମ୍ବା ଦେଶ ଆଗରୁ କେବେ ଦେଖି ନଥିଲା। ଶାସନ କ୍ଷେତ୍ରରେ ୫-ଟି ଓ ମୋ ସରକାର ପଦକ୍ଷେପ ଏକ ନୂଆ ବେଞ୍ଚମାର୍କ ସ୍ଥାପନ କରିଥିଲା। ଶାସନ କରିବା ପାଇଁ ଜନତାଙ୍କ ମତକୁ ସମ୍ମାନ ଜଣାଇ, ନବୀନ ପଟ୍ଟନାୟକ ପୁଣି ଅନେକ ରୂପାନ୍ତରିତ ପଦକ୍ଷେପ ଗ୍ରହଣ କରିଥିଲେ ଯାହାକି ରାଜ୍ୟରେ ସରକାରର କାର୍ଯ୍ୟଧାରାକୁ ଧିରେ ଧିରେ ପରିବର୍ତ୍ତିତ କରିବାରେ ଲାଗିଥିଲା। ଲୋକଙ୍କ ଆଶା ଆକାଂକ୍ଷା ଦିନକୁ ଦିନ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେ ଗାନ୍ଧି ଜୟନ୍ତୀରୁ ଜନାଭିମୁଖୀ ୫-ଟି ଆକ୍ସନ୍ ପ୍ଲାନ୍ ଅନ୍ତର୍ଗତ ବହୁ ଆକାଂକ୍ଷିତ ‘ମୋ ସରକାର’ ପଦକ୍ଷେପ କାର୍ଯ୍ୟକାରୀ କରିଥିଲେ।

୫-ଟି ଅର୍ଥାତ୍ ସାମୂହିକ କାର୍ଯ୍ୟ (ଟିମ୍ ୱର୍କ), ବୈଷୟିକ ପ୍ରଯୁକ୍ତି ବିଦ୍ୟା (ଟେକ୍ନୋଲୋଜି), ପାରଦର୍ଶିତା (ଟ୍ରାନ୍ସପରେନ୍ସି), ରୂପାନ୍ତରଣ (ଟ୍ରାନ୍ସଫର୍ମେସନ୍) ଓ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ (ଟାଇମ୍ ଲିମିଟ୍) ସାଜିଛି ସରକାରଙ୍କ ଶାସନ ମନ୍ତ୍ର। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ସର୍ବୋଚ୍ଚ କାର୍ଯ୍ୟାଳୟର ଦାୟିତ୍ବ ଗ୍ରହଣ ପରେ ନିଜ କ୍ୟାବିନେଟ୍ ସହଯୋଗୀ ତଥା ବରିଷ୍ଠ ଅଧିକାରୀଙ୍କୁ ଏହି ମନ୍ତ୍ର ପ୍ରଦାନ କରିଥିଲେ। ସେହିପରି ‘ମୋ ସରକାର’ ଯାହାକୁ କି ନିଜସ୍ବ ଧରଣର ଦେଶରେ ପ୍ରଥମ ପଦକ୍ଷେପ ବୋଲି ଯୁକ୍ତି ଦର୍ଶାଯାଇଥାଏ ସେଥି ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ପଦସ୍ଥ ଅଧିକାରୀଗଣ ଲୋକଙ୍କୁ ଫୋନ୍ କଲ୍ କରିବେ। ଡାକ୍ତରଖାନା ପରିଦର୍ଶନ, ପୋଲିସ ଥାନା ଓ ଅନ୍ୟ ସରକାରୀ କାର୍ଯ୍ୟାଳୟରୁ ପାଉଥିବା ସେବା ବାବଦରେ ପଚାରି ବୁଝିବେ, ସେମାନଙ୍କ ମତାମତ ଗ୍ରହଣ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଜନସାଧାରଣଙ୍କୁ ସରକାରୀ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବ୍ୟବହାର, ପେଷାଦାର ଆଭିମୁଖ୍ୟ ବାବଦରେ ଲୋକଙ୍କୁ ପଚାରି ବୁଝାଯାଏ। ଜନତାଙ୍କ ମତାମତ ଆଧାରରେ ସେହି ଅଧିକାରୀଙ୍କ ରାଙ୍କିଂ କରାଯାଏ। ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଅନେକ ବ୍ୟକ୍ତିବିଶେଷଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦନ ସକାଶେ ଏକ ସ୍ୱତନ୍ତ୍ର ୫-ଟି ବିଭାଗ ସୃଷ୍ଟି କରାଯାଇଛି। ପୋଲିସ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇଥିବା ଲୋକଙ୍କୁ ଫୋନ୍ କରି ଓ ସେମାନଙ୍କ ଠାରୁ ଗୁଣାତ୍ମକ ସେବାପ୍ରାପ୍ତି ତଥା ସେସବୁ ଅନୁଷ୍ଠାନରେ ସେମାନଙ୍କ ପ୍ରତି ଆଚାର ବ୍ୟବହାର ସମ୍ପର୍କରେ ପଚାରି ବୁଝି ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପର ଶୁଭାରମ୍ଭ କରିଥିଲେ।

ନୂଆ ମନ୍ତ୍ର: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଓ ଶାସନରେ ପାରଦର୍ଶିତା

ଅସମାନତା, ଦାରିଦ୍ର୍ୟତା, ଅନ୍ୟାୟ ହେଉ କିମ୍ବା ଅନ୍ୟ ଯେକୌଣସି କୁରୀତି ବା କୁପ୍ରଥା ହେଉ ନା କାହିଁକି… ଦୁର୍ନୀତି ବିରୋଧରେ ଲଢ଼େଇ ଆମକୁ ସମାଜର ସମସ୍ତ ମନ୍ଦ ବିରୋଧରେ ଆମର ଲଢ଼େଇରେ ସହାୟକ ହେବ। “ଆମେ ଦାରିଦ୍ର୍ୟ, ରୋଗ, ଆଞ୍ଚଳିକ ବୈଷମ୍ୟତା, ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା, ଅନ୍ୟାୟ ଓ ଅପାରଗତା ବିରୋଧରେ ଲଢ଼େଇ କରୁଛୁ। ଯଦି ଆମେ ପାରଦର୍ଶିତା ସୃଷ୍ଟି ଓ ଦୁର୍ନୀତି ନିବାରଣ ଉପରେ କେନ୍ଦ୍ରୀଭୂତ ନକରିବା ତେବେ ଆମର ସମସ୍ତ ଲଢ଼େଇ ନିରର୍ଥକ ହୋଇଯିବ” ବୋଲି କହନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରାରମ୍ଭରୁ ହିଁ ବିଜୁ ଜନତା ଦଳ ସରକାର ରାଜ୍ୟରେ ଦୁର୍ନୀତିର ମୁକାବିଲା କରି ଆସିଛି। ଦୁର୍ନୀତି ବିରୋଧରେ ଲଢ଼େଇ ଓଡ଼ିଶାକୁ ସାରା ଦେଶରେ ପ୍ରସିଦ୍ଧି ଆଣି ଦେଇଛି। ଦୁର୍ନୀତି ମାମଲାର ବିଚାରଣା ପାଇଁ ସ୍ବତନ୍ତ୍ର କୋର୍ଟ ଖୋଲିବା ହେଉ ବା ଦୁର୍ନୀତିଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବା ହେଉ, ଦୁର୍ନୀତି ବିରୋଧୀ ଲଢ଼େଇରେ ଓଡ଼ିଶା ଅଗ୍ରଣୀ ରହି ଆସିଛି। “ଓଡ଼ିଶା ହେଉଛି ଦେଶର ହାତଗଣତି ରାଜ୍ୟ ମଧ୍ୟରେ ଅନ୍ୟତମ ଯେଉଁଠି ଶକ୍ତିଶାଳୀ ଲୋକାୟୁକ୍ତ ରହିଛନ୍ତି। ସେ କେତେ ବଡ଼ ଓ କେତେ ଶକ୍ତିଶାଳୀ ପୁରୁଷ ବା ମହିଳା ହୁଅନ୍ତୁ ନା କାହିଁକି, ଆମେ ସଦା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ଓ ଅନୁକରଣୀୟ କାର୍ଯ୍ୟାନୁଷ୍ଠାନ ନେଇ ଆସିଛୁ। ଅନେକ କ୍ଷେତ୍ରରେ ସେମାନଙ୍କୁ ବରଖାସ୍ତ ମଧ୍ୟ କରାଯାଇଛି। ଗତ ବର୍ଷକ ମଧ୍ୟରେ ଶତାଧିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ଦୁର୍ନୀତି ବିରୋଧରେ ଏହି ଲଢ଼େଇ ଆଗକୁ ବି ଅଧିକ ଶକ୍ତିଶାଳୀ ଭାବେ ଜାରି ରହିବ ବୋଲି ମଧ୍ୟ ସେ ଇଙ୍ଗୀତ କରି ସାରିଛନ୍ତି।

ସମସ୍ତ ସରକାରୀ ଅଧିକାରୀଙ୍କ ନିମନ୍ତେ ନିଜ ସମ୍ପତ୍ତି ବିବରଣୀ ଦାଖଲ କରିବା ବାଧ୍ୟତାମୂଳକ କରି ନବୀନ ଦୁର୍ନୀତି ବିରୋଧରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି। ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ, ସେ ତୃଣମୂଳସ୍ତରର ସାମାନ୍ୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସକଙ୍କ ପର୍ଯ୍ୟନ୍ତ ଏବଂ ସମସ୍ତ ମନ୍ତ୍ରୀ, ବିଧାୟକମାନେ ନିଜର ସମ୍ପତ୍ତି ତାଲିକା ଦେବେ ଯାହାକୁ ଲୋକାୟୁକ୍ତଙ୍କ ନିକଟକୁ ପ୍ରେରଣ କରାଯିବା ସହ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଏକ ଐତିହାସିକ ଘୋଷଣା ଥିଲା।

ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା… ସମ୍ବେଦନଶୀଳ ସରକାରର ପ୍ରାଥମିକତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ତ କୋଭିଡ୍ ମୁକାବିଲାରେ ଅପାର ସଫଳତା ହାସଲ କରି ଜାତୀୟ, ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହେଲା। ହେଲେ ଉକ୍ତ ପ୍ରଶଂସାରେ ଭାସି ଗଲେନି ସରକାରର ମୁଖିଆ। ବରଂ କରୋନା ସଙ୍କଟ ପରବର୍ତ୍ତୀ ସମୟରେ ମଧ୍ୟ ଲୋକଙ୍କ ଜୀବନ ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି କ୍ଷେତ୍ରକୁ ଯେଭଳି ଏହି ମହାମାରୀର କୁପ୍ରଭାବରୁ ମୁକ୍ତ ରଖି ରାଜ୍ୟକୁ ପ୍ରଗତିର ପଥରେ ଆଗେଇ ନେବେ ତାହା ଉପରେ ତାଙ୍କ ଧ୍ୟାନ କେନ୍ଦ୍ରୀଭୂତ ଥିଲା। ସେଥିପାଇଁ ତ ଗୋଟିଏ ପରେ ଗୋଟିଏ ନିଆରା ପଦକ୍ଷେପ ନେଇଥିଲେ ସେ। ଏଇ ଯେମିତି ରାଜ୍ୟର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଉଚ୍ଚବିଦ୍ୟାଳୟକୁ ରୂପାନ୍ତରଣ କରାଯାଇ ପାରିଛି। ସ୍ମାର୍ଟ ଶ୍ରେଣୀ କକ୍ଷ, ଆଧୁନିକ ବିଜ୍ଞାନାଗାର, ଇ- ଲାଇବ୍ରେରୀ, ଉନ୍ନତ ଖେଳ ପଡ଼ିଆ ଓ ସୁରକ୍ଷିତ ପାଚେରୀ, ସ୍ବଚ୍ଛ ପାନୀୟ ଜଳ, ଉନ୍ନତ ଶୌଚାଳୟ, ସବୁଜିମା ଭରା ଶିକ୍ଷାନୁଷ୍ଠାନ ପରିସର, ସର୍ବୋପରି ଶିକ୍ଷାଦାନ ପାଇଁ ଆବଶ୍ୟକ ଓ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ… ଏସବୁ ଏବେ ରାଜ୍ୟର ଲକ୍ଷ ଲକ୍ଷ ଅଭିଭାବକଙ୍କୁ ବେଶ୍ ଆଶ୍ବସ୍ତ କରୁଛି ଯେ ସେମାନଙ୍କ ପିଲା ଏଣିକି ସରକାରୀ ବିଦ୍ୟାଳୟରୁ ପଢ଼ି ଭବିଷ୍ୟତର ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ସମ୍ପୂର୍ଣ୍ଣ ତୟାର ହୋଇ ବାହାରିବେ। ରାଜ୍ୟ ଓ ଜାତିର ଭବିଷ୍ୟତକୁ ଦକ୍ଷ, ଯୋଗ୍ୟ କରି ଗଢ଼ି ତୋଳିବାକୁ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ, ଯୁଗପଯୋଗୀ ପରିବର୍ତ୍ତନ ଆଣିଛି।

“ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ”। ଏଇ ପଦକ କଥାରୁ ସାଢ଼େ ୪ କୋଟି ଓଡ଼ିଆଙ୍କ ବିଶାଳ ପରିବାରର ମୁଖିଆଙ୍କ ଅନ୍ତରର ଭାବନାକୁ ସ୍ପଷ୍ଟ ବୁଝିହୁଏ। ଓଡ଼ିଶାରେ କେହି ଜଣେ ଯେପରି ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରେ ତାହାର ନିରାକରଣ ସାଙ୍ଗକୁ ନଗଦବିହୀନ ଓ ଜଞ୍ଜାଳମୁକ୍ତ ଭାବେ ଜଣେ ସରକାରୀ ଓ ଘରୋଇ ଉନ୍ନତ ସ୍ୱାସ୍ଥ୍ୟସୁବିଧାର ସୁଯୋଗ ନେଇପାରେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ଏପରିକି ଭୌଗୋଳିକ ଦୃଷ୍ଟିରୁ ଦୁର୍ଗମ ଅଞ୍ଚଳରେ ତ୍ଵରିତ ସ୍ଵାସ୍ଥ୍ୟ ସେବା ଉପଲବ୍ଧ କରାଇବାକୁ ନିକଟରେ ଆରମ୍ଭ କରିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’। ଯୁଗ ସହ ତାଳ ଦେଇ ଲୋକଙ୍କୁ ସେବା ଯୋଗାଇଦେବାର ଏ ପ୍ରୟାସ ବାସ୍ତବରେ ନିଆରା। ସେହିପରି ତାଙ୍କରି ମାର୍ଗଦର୍ଶନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଶତପ୍ରତିଶତ ନିଃଶୁଳ୍କ କୋଭିଡ୍ ଟିକାକରଣ କରାଇବାକୁ ମିଶନ୍ ମୋଡ୍‌ରେ କାର୍ଯ୍ୟକୁ ଆଗେଇ ନେଇ ଚାଲିଛି।

ଖାଲି ସେତିକି ନୁହେଁ, କୋଭିଡ୍ ପରବର୍ତ୍ତୀ ଆର୍ଥିକ ଦୁଃସ୍ଥିତି ସହ ସଂଘର୍ଷ କରୁଥିବା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ନିକଟରେ ଅନେକ ପଦକ୍ଷେପ ତଥା ଯୋଜନା ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ସେ ପଥପାର୍ଶ୍ବ ବିକ୍ରେତା ହୁଅନ୍ତୁ କିମ୍ବା ଖବରକାଗଜ ହକର୍, ସାମ୍ବାଦିକ ହୁଅନ୍ତୁ ଅଥବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ… ସମସ୍ତଙ୍କୁ ମିଳିଛି ଆର୍ଥିକ ସହାୟତା। ବାସହୀନଙ୍କ ପାଇଁ କେବଳ ମୁଣ୍ଡ ଉପରେ ଛାତଟିଏ ସେ ଯୋଗାଡ଼ କରିନାହାନ୍ତି, ବରଂ ଘରର ଚାରିକାନ୍ଥ ମରାମତି ପାଇଁ ମଧ୍ୟ ଅନୁଦାନ ଯୋଗାଇ ଦେଇଛନ୍ତି ସେ। ସେଥିପାଇଁ ତ ରାଜ୍ୟ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବାରମ୍ବାର ପୁରସ୍କୃତ ଓ ପ୍ରଶଂସିତ ହୋଇ ଆସୁଛି। ଜାଗା ମିଶନ୍ ଏସିଆ- ପାସିଫିକ୍ ହାଉସିଂ ଫୋରମ୍ ଇନୋଭେସନ୍ ଆୱାର୍ଡ ପାଇବା ହେଉ ଅଥବା ସହରାଞ୍ଚଳ ରୋଜଗାର ପଦକ୍ଷେପ ପାଇଁ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଞ୍ଚମ ଗୁଆଙ୍ଗଝୁ ପୁରସ୍କାର ମିଳିବା… ଗୋଟିଏ ଗୋଟିଏ ଛୋଟିଆ ନଜିର ମାତ୍ର।

ଧର୍ମ ସମ୍ପ୍ରଦାୟ ବାଛବିଚାର ନକରି ରାଜ୍ୟର ପ୍ରମୁଖ ଧାର୍ମିକ ପୀଠର ବିକାଶ ପାଇଁ ସେ ନେଇଛନ୍ତି ଗୋଟିଏ ପରେ ଗୋଟିଏ ପଦକ୍ଷେପ। ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ତାଙ୍କ ଚିନ୍ତା ଓ ଚେତନାର ଫଳସ୍ବରୂପ ଏହି ସ୍ଥାନର ଆଖି ଝଲସିବା ଭଳି ପରିବର୍ତ୍ତନ ଘଟିଛି। ନିକଟରେ ସେ ପୁରୀ ହେରିଟେଜ୍ କରିଡର୍ ସକାଶେ ଶୁଭ ଦେଇଛନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉ କି ଗଞ୍ଜାମର ତାରାତାରିଣୀ ପୀଠ, ସମ୍ବଲପୁରର ସମଲେଶ୍ୱରୀ ପୀଠ ହେଉ କି ରାଜ୍ୟର କୌଣସି ପ୍ରମୁଖ ଚର୍ଚ୍ଚ, ମସଜିଦ ଅଥବା ଗୁରୁଦ୍ୱାରା, ସବୁଠି ଏ ପରିବର୍ତ୍ତନର ଝଲକ ଦେଖିବାକୁ ମିଳିଲାଣି।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ହକିର ହାର୍ଟଥ୍ରୋବ୍‌ରେ ପରିଣତ କରାଇଲେଣି ମୁଖ୍ୟମନ୍ତ୍ରୀ। ବିଶ୍ୱକପ୍ ହକିରେ ଭାରତୀୟ ମହିଳା ଦଳର ଐତିହାସିକ ସର୍ବପ୍ରଥମ ସଫଳତା ଓ ପୁରୁଷ ଦଳର ଅନେକ ଦଶନ୍ଧି ପରେ ପଦକ ବିଜୟ ପଛରେ ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରାୟୋଜକଗତ ଆଭିମୁଖ୍ୟ ରହିଥିଲା, ତାହାକୁ ଅଚିରେ ସମସ୍ତେ ସ୍ୱୀକାର କରି ନେଇଛନ୍ତି। କେବଳ ହକି ନୁହେଁ, ଆଥଲେଟିକ୍ ସମେତ ଅନ୍ୟ ବହୁ ଖେଳକୁଦର ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଓଡ଼ିଶା ପ୍ରଶଂସା ସାଉଁଟିବାରେ ଲାଗିଛି।

କେବଳ ବଡ଼ବଡ଼ ପ୍ରକଳ୍ପ ବା ଯୋଜନା ନୁହେଁ, ଛୋଟ ଛୋଟ କଥାରେ ମଧ୍ୟ ନିଜ ଜନସେବା ଆଦର୍ଶର ନଜିର ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଇ ଯେମିତି କୁନି ଭାଇଭଉଣୀଙ୍କ ଦାବି ରଖି ନହୁରାଣୀ ନାଳରେ ପୋଲ ନିର୍ମାଣ କରାଇବା ହେଉ ବା ବଲାଙ୍ଗୀର ଜିଲ୍ଲାର ତାରାଚରଣ ରଣାଙ୍କ ଉଚ୍ଚଶିକ୍ଷା (ଏନ୍‌ଆଇଟି ୱାରଙ୍ଗଲରେ ଆଡ୍‌ମିଶନ୍ ପାଇଁ ଅର୍ଥ ଯୋଗାଡ) ସକାଶେ ଗୁହାରୀକୁ ତୁରନ୍ତ ଅଗ୍ରାଧିକାର ଦେଇ ତାଙ୍କ ପାଇଁ ଅର୍ଥ ବ୍ୟବସ୍ଥା କରିବା ହେଉ, ଗୋଟିଏ ସମ୍ବେଦନଶୀଳ ସରକାରର ମୁଖିଆଙ୍କ ଏ ମହତ୍ କାର୍ଯ୍ୟ ଜନମାନସରେ ଅବିସ୍ମରଣୀୟ ରହିବ।

ବଢୁଛି ଜନସମର୍ଥନ, ହେଲେ ଥମିନି ଜନସେବା ଆଭିମୁଖ୍ୟ

ପ୍ରତିଟି ଦିନ ଅତିକ୍ରାନ୍ତ ହେବା ସାଙ୍ଗକୁ, ବିଜୁ ଜନତା ଦଳ ନିଜର ଜନାଭିମୁଖୀ ଶାସନ ହେତୁ ଅଧିକରୁ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହି ଦଳ ଲୋକଙ୍କ ମଧ୍ୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ଯାହାକି ଦେଶର ଅନେକ ରାଜନୈତିକ ଦଳ କରିବାକୁ ସମର୍ଥ ହୋଇପାରି ନାହାନ୍ତି। ନବୀନଙ୍କ କରିସ୍ମା ସାଙ୍ଗକୁ ଦଳର ପ୍ରତିଟି ସଦସ୍ୟ ଓ କର୍ମୀ ବିଜୁ ବାବୁଙ୍କ ସେହି ପ୍ରତିଷ୍ଠିତ ଧାରାକୁ ବଜାୟ ରଖିବା ପାଇଁ କଠୋର ଓ ନିଷ୍ଠାପର ପରିଶ୍ରମ କରି ଆସୁଛନ୍ତି।

ରାଜ୍ୟ ଠାରୁ ଯଦି କିଛି ଅଧିକ ଶକ୍ତିଶାଳୀ ଥାଏ ତେବେ ତାହା ସମ୍ଭବତଃ ତାର ଜନସାଧାରଣ ହୋଇପାରନ୍ତି। ଓଡ଼ିଶାର ଜନତା ବିଜୁ ଲିଗାସୀ ଦ୍ବାରା ବେଶ୍ ତୃପ୍ତ। ସେମାନେ ବୁଝିପାରିଛନ୍ତି ଯେ କିଭଳି ନବୀନ ତାହାକୁ ଆଗେଇ ନେଇ ଚାଲିଛନ୍ତି। ସେମାନେ ଜାଣିପାରିଛନ୍ତି ଯେ ନବୀନ କିଭଳି ରାଜ୍ୟର ମହିଳାଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକଙ୍କୁ ସଶକ୍ତୀକରଣ କରାଇ ପାରିଛନ୍ତି। ନବୀନଙ୍କ ପ୍ରତି ସେମାନଙ୍କ ସମର୍ଥନ, ସହାନୁଭୂତି ଅକ୍ଷୁର୍ଣ୍ଣ ହୋଇ ରହିଛି। ସେ ହେଉଛନ୍ତି ଏମିତି ଜଣେ ନେତା ଯେକି ଲକ୍ଷ ଲକ୍ଷ ଲୋକଙ୍କ ଅକୁହା କଥାକୁ ମଧ୍ୟ ବୁଝିପାରନ୍ତି, ହୃଦୟଙ୍ଗମ କରିପାରନ୍ତି। ଆଜି ହେଉଛି ସେହି ଦିନ ଯେବେକି ଲୋକଙ୍କ ପାଇଁ ପୁଣି ସମର୍ପିତ ହେବା, ବିଜୁ ଲିଗାସୀକୁ ଅଧିକ ଆଗେଇନେବା।