ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍: ଜାଭେଲିନ୍ ଫାଇନାଲରେ ଓଡ଼ିଆ ଖେଳାଳି କିଶୋର ଜେନା | News Room Odisha

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍: ଜାଭେଲିନ୍ ଫାଇନାଲରେ ଓଡ଼ିଆ ଖେଳାଳି କିଶୋର ଜେନା

ବୁଦାପେଷ୍ଟ: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଜାଭେଲିନ୍ ଥ୍ରୋ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଫିଙ୍ଗି ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିଲେ | ଏହା ଚଳିତ ସିଜନରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ନୀରଜଙ୍କ ସହ ଡିପି ମନୁ ଏବଂ ଓଡ଼ିଆ ଜାଭେଲିନ ଖେଳାଳି କିଶୋର ଜେନା ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ପାଇଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଏକ ଇଭେଣ୍ଟରେ ତିନି ଭାରତୀୟ ଆଥଲେଟ୍ ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ୮୫ ମିଟରରୁ ଅଧିକ ଦୂରତା ଜାଭେଲିନ ଫିଙ୍ଗି ନୀରଜ ଚୋପ୍ରା ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପାଇଁ ସର୍ବନିମ୍ନ ୮୫.୫୦ ମିଟର ଦୂରତା ଧାର୍ଯ୍ୟ ହୋଇଥିଲା। ତେବେ ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଫିଙ୍ଗି ଫାଇନାଲ ସହ ଅଲିମ୍ପିକ୍ ଟିକେଟ୍ ହାସଲ କରିଥିଲେ ।

ନୀରଜଙ୍କ ବ୍ୟତୀତ ଭାରତର ଆଉ ଦୁଇ ଜାଭେଲିନ ଖେଳାଳି ଡିପି ମନୁ ଏବଂ କିଶୋର ଜେନା ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ତିନୋଟି ପ୍ରୟାସରେ ମନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୮୧.୩୧ ମିଟର, ଯାହା ସେ ଦ୍ୱିତୀୟ ପ୍ରୟାସରେ ହାସଲ କରିଥିଲେ | ସେ ପ୍ରଥମ ପ୍ରୟାସରେ ୭୮.୧୦ ଏବଂ ତୃତୀୟ ପ୍ରୟାସରେ ୭୨.୪୦ ମିଟର ଦୂରତା ଅତିକ୍ରମ କରିଥିଲେ | ମନୁ ଶୀର୍ଷ ୬ ଜଣଙ୍କ ମଧ୍ୟରେ ରହି ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିଥିଲେ | ସେହିପରି ଓଡ଼ିଶାର କିଶୋର ଜେନା ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୮୦.୫୫ ମିଟର ସହ ନବମ ସ୍ଥାନ ଅଧିକାର ପୂର୍ବକ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।