ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା: ଝଲସି ଉଠେ ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ଭାବାବେଗ | News Room Odisha

ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା: ଝଲସି ଉଠେ ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ଭାବାବେଗ

ବ୍ରହ୍ମପୁର: ରେଶମ ସହରର ପ୍ରସିଦ୍ଧ ବୁଢ଼ି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୁରୁଖୁରୁରେ ଆଗେଇ ଚାଲିଛି। ମଙ୍ଗଳବାର ଯାତ୍ରା ଆରମ୍ଭ ହେବାର ସପ୍ତାହେ ବିତିଯାଇଛି।ପ୍ରତ୍ୟହ ସନ୍ଧ୍ୟାରେ ଘଟ ପରିକ୍ରମା ସହ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରାଯାଉଛି। ସନ୍ଧ୍ୟା ଆଳତି ପରେ ଅସ୍ଥାୟୀ ପୀଠରୁ ବାହାରୁଛି ଘଟ ପଟୁଆର। ମହୁରୀ ରାଜବାଟୀରେ ପୂଜା ଓ ଭୋଗରାଗ ପରେ ବିଭିନ୍ନ ସାହି ପରିକ୍ରମା କରି ଭିନ୍ନ ଭିନ୍ନ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରାଯାଉଛି। ଖାସପା ସାହିରେ ହରି ଅର୍ଜୁନ ରଥ, ନୃସିଂହ ମନ୍ଦିର ସାହିରେ ଶ୍ରୀରାମ ରଥ, ଚନ୍ଦ୍ରଶେଖର ସାହିରେ ବୀର ହନୁମାନ ରଥ, ଶଙ୍ଖାରି ସାହିରେ ବୀର ଲକ୍ଷ୍ମଣ ରଥ ଏବଂ ପୁରୁଣା ବ୍ରହ୍ମପୁରରେ ମହାବୀର କର୍ଣ୍ଣ ରଥ ଏବଂ ଜେମାଦେଇପେଣ୍ଠ ସାହିରେ ଶ୍ରୀଜଗନ୍ନାଥଙ୍କ ୨୨ ପାହାଚ କଳାକୁଞ୍ଜ ଶୀଘ୍ର ପ୍ରସ୍ତୁତ ହୋଇ ଯାତ୍ରାର ଶୋଭା ବୃଦ୍ଧି କରିବ। ସେଗୁଡ଼ିକ ପ୍ରସ୍ତୁତ ହେବା ପରେ ଦେବୀ ସେଗୁଡିକର ଦର୍ଶନ ନିମନ୍ତେ ପୁଣି ଥରେ ପରିକ୍ରମା କରି ସେହି ସାହିରେ ପହଞ୍ଚିବେ। ସେତେବେଳକୁ ଯାତ୍ରା ଧିରେ ଧିରେ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଆଗେଇ ଚାଲିଥିବ।

ଅପରପକ୍ଷରେ ମା’ ସାଆନ୍ତାଣୀଙ୍କ ଯାତ୍ରାରେ ସମାଜର ସବୁ ବର୍ଗର ଭକ୍ତ ନିଜକୁ ଅନ୍ତରର ଆଧ୍ୟାତ୍ମିକ ଭାବାବେଗ ସହ ସମ୍ପୃକ୍ତ ରଖୁଥିବା ଦେଖିବାକୁ ମିଳେ। ମା’ଙ୍କ ଯାତ୍ରା ଅବଧି ଧାର୍ଯ୍ୟ କରନ୍ତି ଡେରା ସମ୍ପ୍ରଦାୟର ପୁରୋହିତ ବା ସିଦ୍ଧାନ୍ତି ତ ଯାତ୍ରାରମ୍ଭ ସୂଚନା ବାଇଦ ବଜାଇ ଜଣେ ପଛୁଆ ଜାତିର ଲୋକ ଦିଏ। ଘଟ ସବୁ ତିଆରି କରନ୍ତି ଆଙ୍କୁଲି ଗ୍ରାମର କୁମ୍ଭକାର। ଘଟକୁ ଆଉ ଏକ ପରିବାର ରଙ୍ଗରେ ସୁସଜ୍ଜିତ କରିଥାନ୍ତି। ସାଧାରଣ ଭକ୍ତ ବା କାହିଁକି ବାଦ୍ ପଡିବେ। ଘଟ ପରିକ୍ରମା ବେଳେ ରାସ୍ତା ସଫା କରି ତାହା ଉପରେ ନୂଆ ଲୁଗା କିଏ ବିଛାଇ ଦିଏ। ପୁଣି କେହି ଲୁଗା ଉପରେ ପୁଷ୍ପ ବିଛାଇ ମା’ଙ୍କ ଆଗମନକୁ ଚାହିଁ ରହନ୍ତି। ପରିକ୍ରମା ରାସ୍ତା ହେଉ ବା ଅସ୍ଥାୟୀ ପୀଠ ସମ୍ମୁଖରେ କିମ୍ବା ଦେବୀଙ୍କ ଆସ୍ଥାନ ନିକଟରେ ମୁରୁଜ ଝୋଟି ପକାଇ, ଚିତା କାଟି ଚିତ୍ରିତ କରିଥାନ୍ତି ଅନେକ ମହିଳା ଭକ୍ତ। ଆଉ ସବୁଠୁ ବଡ଼ କଥା ହେଲା ବିଭିନ୍ନ ବର୍ଗର ଲୋକ ନାନାଦି ବେଶଧାରୀ ହୋଇ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି।