ମା' ତାରାତାରିଣୀ ମନ୍ଦିର: ରାଜ୍ୟର ପ୍ରଥମ ୫-ଟି ରୂପାନ୍ତରଣ ସମ୍ପନ୍ନ ପ୍ରସିଦ୍ଧ ଶକ୍ତି ପୀଠ ଓ ପର୍ଯ୍ୟଟନସ୍ଥଳ | News Room Odisha

ମା’ ତାରାତାରିଣୀ ମନ୍ଦିର: ରାଜ୍ୟର ପ୍ରଥମ ୫-ଟି ରୂପାନ୍ତରଣ ସମ୍ପନ୍ନ ପ୍ରସିଦ୍ଧ ଶକ୍ତି ପୀଠ ଓ ପର୍ଯ୍ୟଟନସ୍ଥଳ

ଛତ୍ରପୁର: ଯଦିଓ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, କିନ୍ତୁ କେବଳ ଦକ୍ଷିଣ ଓଡ଼ିଶା କିମ୍ବା ସମଗ୍ର ରାଜ୍ୟ ନୁହେଁ ବରଂ ସାରା ଦେଶର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀ ମନ୍ଦିର। ଏକଦା କେବଳ ଏକ ଅପେକ୍ଷାକୃତ କମ୍ ପ୍ରସିଦ୍ଧ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ଶକ୍ତି ପୀଠ ଗତ କିଛି ସମୟ ମଧ୍ୟରେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭାବେ ରୂପାନ୍ତରିତ ହୋଇପାରିଛି। ଏହି ଧାରା ଏବେ ବି ଜାରି ରହିଛି। ଆଗକୁ ଏକକାଳୀନ ଆଧ୍ୟାତ୍ମିକ ମହତ୍ତ୍ୱ, ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଓ ଭ୍ରମଣକାରୀଙ୍କ ସକାଶେ ଯାବତୀୟ ସୁବିଧା ସୁଯୋଗରେ ସମ୍ପନ୍ନ ଏକ ଅନ୍ତର୍ଜାତୀୟସ୍ତରର ଟୁରିଷ୍ଟ ସ୍ପଟ୍ ରୂପେ ଖ୍ୟାତିଲାଭ କରିବାକୁ ଯାଉଛି ଏହି ବିଖ୍ୟାତ ମନ୍ଦିର। ଶହ ଶହ ବର୍ଷ ପ୍ରାଚୀନ ଏହି ମନ୍ଦିର କେବଳ ଗତ ଦୁଇ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ଭାବେ ପ୍ରଗତି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବରେ ଏହି ପୀଠର ଉନ୍ନତି ପଥକୁ ସୁଗମ କରି ଆସିଛନ୍ତି। ଫଳରେ ସାମାନ୍ୟ ଧାର୍ମିକ ପୀଠରୁ ଅନ୍ତର୍ଜାତୀୟ ପ୍ରସିଦ୍ଧି ସମ୍ପନ୍ନ ପର୍ଯ୍ୟଟନ ପୀଠ ପର୍ଯ୍ୟନ୍ତ ମାର୍ଗରେ ଆଗେଇ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଓ ପ୍ରଗତିମୂଳକ ଚିନ୍ତାଧାରାର ଫଳ ଏୟା ଥିଲା ଯେ ସାରା ରାଜ୍ୟର ଆଧ୍ୟାତ୍ମିକ ପୀଠଗୁଡିକର ଉନ୍ନତି କରି ତାହାକୁ ଶ୍ରେଷ୍ଠ ଦର୍ଶନୀୟ ମନ୍ଦିର ସହ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଭାବେ ବିକାଶ କରିବାର ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ବହୁମୂଖୀ ଯୋଜନା ମାଧ୍ୟମରେ ଅନୁଦାନ ମଞ୍ଜୁର ସହ ସେଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ଟୁରିଷ୍ଟ ସ୍ପଟ୍ ଭାବେ ବିକଶିତ କରାଇବାର ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଫଳରେ ଏକାସାଙ୍ଗରେ ଆଧ୍ୟାତ୍ମିକ ସହ ପର୍ଯ୍ୟଟନ ପୀଠ ଭାବେ ୫-ଟି ଅନ୍ତର୍ଗତ ରୂପାନ୍ତରିତ ହେବାରେ ଲାଗିଛି ଏଭଳି ବିଭିନ୍ନ ଧର୍ମର ପ୍ରସିଦ୍ଧ ପୂଜାସ୍ଥଳ। ଏହି ପ୍ରକ୍ରିୟାର ସଫଳ ରୂପାୟନ ତାରାତାରିଣୀ ପୀଠରେ ଦେଖିବାକୁ ମିଳୁଛି। କେଇ ସହସ୍ର ବର୍ଷ ପ୍ରାଚୀନ ଏଇ ପୀଠ ରାଜ୍ୟର ପ୍ରଥମ ୫-ଟି ରୂପାନ୍ତରଣ ସମ୍ପନ୍ନ ହୋଇଥିବା ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ପ୍ରକଳ୍ପ ହୋଇପାରିଛି। ଆଗାମୀ ଦିନରେ ଲିଙ୍ଗରାଜ ପୀଠ ହେଉ କି ସମଲେଶ୍ଵରୀ ପୀଠ ଅଥବା କଣ୍ଟିଲୋ ନୀଳମାଧବ ପୀଠର ଏଭଳି ଭବ୍ୟ ଓ ଆଧ୍ୟାତ୍ମିକ-ପର୍ଯ୍ୟଟନ ବୈଭବ ସମ୍ପନ୍ନ ରୂପାନ୍ତରଣ ଦେଖିବାକୁ ମିଳିବ।

ରୂପାନ୍ତରଣର ଏହି ସମଗ୍ର ପ୍ରକ୍ରିୟାରେ ଦୁଇ ପ୍ରମୁଖ ଚେହେରା ଆଦ୍ୟରୁ ଅନ୍ତ ପର୍ଯ୍ୟନ୍ତ ସର୍ବତ୍ର ଓ ସର୍ବଦା ଦୃଷ୍ଟିମାନ ରହିବେ। ଜଣେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ଜଣେ ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ପ୍ରଗତିର ଏଇ ଧାରା ଆରମ୍ଭ ହୁଏ ସେତେବେଳେ ଯେବେ ଏକବିଂଶ ଶତାବ୍ଦୀର ପ୍ରଥମ ଭାଗରେ ହିଞ୍ଜିଳିକାଟୁର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଏହି ପୀଠର ବିକାଶ ପାଇଁ ପ୍ରାଥମିକ ଭାବେ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ- ସେତେବେଳେ ତାରାତାରିଣୀ ପୀଠ ସେ ପ୍ରତିନିଧିତ୍ବ କରୁଥିବା ହିଞ୍ଜିଳିକାଟୁ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଥିଲା। ଏହି ପୀଠକୁ କେବଳ ମନ୍ଦିର ମଧ୍ୟରେ ସୀମିତ ନରଖି ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଭାବେ ବିକଶିତ କରାଯିବାର ଭରପୁର ସମ୍ଭାବନାକୁ ପ୍ରଥମେ ପରଖି ପାରିଥିଲେ ମୁଖ୍ୟମନ୍ତ୍ରୀ। ତେଣୁ ତାଙ୍କ ଦ୍ଵାରା ପ୍ରଦତ୍ତ ପ୍ରାଥମିକ ଅନୁଦାନ ଏଥିପାଇଁ ମାର୍ଗକୁ ପ୍ରଶସ୍ତ କରିଥିଲା। ନିଜେ ତତ୍କାଳୀନ ଆର୍‌ଡିସି ଓ ଜିଲ୍ଲାପାଳଙ୍କୁ ଡକାଇ ଏହି ପୀଠର ନବକଳେବରକୁ ପ୍ରାଥମିକତା ଦେଇ କାର୍ଯ୍ୟାରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ସେ। ପରବର୍ତ୍ତୀ ସମୟରେ ଏଥିପାଇଁ ହାତଖୋଲା ଅର୍ଥ ମଞ୍ଜୁର ମଧ୍ୟ କରିଥିଲେ। ଅନେକ ଥର ସେ ପୀଠ ପରିଦର୍ଶନ କରି ପ୍ରଗତି କାର୍ଯ୍ୟ ତ୍ବରାନ୍ବିତ କରାଇଥିଲେ। ୨୦୨୦ ଫେବ୍ରୁଆରୀ ୫ରେ ଥ୍ରୀ-ଡି ମଡେଲ ଉନ୍ମୋଚନ ସହ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବାକୁ ଦ୍ଵାର ଖୋଲି ଦେଇଥିଲେ ସେ।

ବିଭିନ୍ନ ସମୟରେ ବ୍ରହ୍ମପୁରରେ ନିୟୋଜିତ ଆର୍‌ଡିସିଗଣ ଯଥା ଅରୁଣ ପଣ୍ଡା, ସତ୍ୟବ୍ରତ ସାହୁଙ୍କ ସମେତ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଥିବା ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଏଇ ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଆଗେଇ ଆସିଥିଲେ। ଏଇ ପ୍ରଶାସକଗଣଙ୍କ ଉଦ୍ୟମ ଥିଲା ଯେତେବେଳେ ମନ୍ଦିରର ସୁଦୀର୍ଘ ବିକାଶ ପ୍ରକ୍ରିୟାର ମୂଳଦୁଆ ରଖାଯାଇ ଥିଲା। ପ୍ରାଚୀନ ପୀଢ଼ ଶୈଳୀରେ ପ୍ରସ୍ତୁତ ଏହି ମନ୍ଦିର ନବକଳେବରର ନକ୍ସା ପ୍ରସ୍ତୁତିରୁ ଆରମ୍ଭ କରି ସେଥିରେ ଓଡ଼ିଆ ସ୍ଥାପତ୍ୟ, କଳା ଓ କାରୁକାର୍ଯ୍ୟ ଯେପରି ବଜାୟ ରହିବ ସେଥିନେଇ ଛୋଟରୁ ବଡ଼ ସମସ୍ତ ଦିଗ ପ୍ରତି ଉଚିତ ନଜର ରଖାଯାଇ ଥିଲା। କେବଳ ପ୍ରଶାସନ ବା ମନ୍ଦିର କମିଟି ନୁହେଁ, ବରଂ ମା’ ତାରାତାରିଣୀଙ୍କୁ ନିଜର ଆରାଧ୍ୟା ମଣୁଥିବା ସାଧାରଣ ଜନତା ଓ ଭକ୍ତବୃନ୍ଦ ଏହି ରୂପାନ୍ତରଣର ଏହି ପ୍ରକ୍ରିୟାରେ ଯେପରି ସମ୍ପୃକ୍ତ ରହିବେ ସେଥିପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା। ସେଥିପାଇଁ ଶ୍ରଦ୍ଧାଳୁଜନଙ୍କ ଠାରୁ ନିଜ ସମ୍ବଳ ମୁତାବକ ଦାନଦକ୍ଷିଣା ସୂତ୍ରରୁ ମନ୍ଦିର ନବନିର୍ମାଣ ପାଇଁ ଅର୍ଥରାଶି ସଂଗ୍ରହ କରାଯାଇ ଥିଲା। ଏଥିସହ ମନ୍ଦିରର ରୂପାନ୍ତରଣ ପ୍ରକ୍ରିୟାରେ ଯୋଡ଼ି ହୋଇଯାଇଥିଲେ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ।

ଆରମ୍ଭରୁ ଏକ ଲକ୍ଷ୍ୟ ନିର୍ଦ୍ଧାରିତ ଥିଲା ଯେ- ନବକଳେବରରେ ଓଡ଼ିଆ ସ୍ଥାପତ୍ୟ କଳାର ଏକ ଶୀର୍ଷ ନଜିର ଭାବେ ତାରାତାରିଣୀ ମନ୍ଦିରକୁ ପ୍ରତିଷ୍ଠା କରାଯିବ। ସେଥିପାଇଁ ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଓ ପରବର୍ତ୍ତୀ ସମୟରେ ନାରାୟଣ ତ୍ରିପାଠୀ ଏହି କାର୍ଯ୍ୟରେ ସମ୍ପୃକ୍ତ ହୋଇଥିଲେ। ସେହିପରି ମନ୍ଦିର ନବନିର୍ମାଣ ପାଇଁ ଭୂମିପୂଜନ କରିଥିବା ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି.କେ.ପାଣ୍ଡିଆନ୍ ନିଜ ସମୟରେ ଯଥେଷ୍ଟ ପ୍ରଗତି କରାଇ ଥିଲେ। ତେବେ ସେ ଏହି ଜିଲ୍ଲାରୁ ଯିବା ପରେ କାର୍ଯ୍ୟ କିଛିଟା ଧିମେଇ ଯାଇଥିଲା। ୨୦୧୨ ସୁଦ୍ଧା ରତ୍ନମୁଦ, ପାର୍ଶ୍ଵ ମନ୍ଦିର, ପ୍ରାଚୀର ଆଦି ନିର୍ମାଣ ସରିଥିଲା। କାମ ଧିରେ ଧିରେ ଆଗେଇ ଚାଲିଥିଲା। ତେବେ କିଛି ବର୍ଷ ତଳେ ୫-ଟି ଯୋଜନାରେ ଏହି ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବା ସହ କାର୍ଯ୍ୟକୁ ତ୍ବରାନ୍ବିତ କରାଇଥିଲେ ବିଭାଗୀୟ ସଚିବ ପାଣ୍ଡିଆନ୍। ତାହାର ଫଳସ୍ଵରୂପ ଦୀର୍ଘ ୨୦ ବର୍ଷ ଧରି ଅପେକ୍ଷାରତ ମା’ଙ୍କ ଲକ୍ଷ ଲକ୍ଷ ଭକ୍ତ ଏବେ ପୀଠର ରୂପାନ୍ତରିତ କଳେବର ଦର୍ଶନ କରି ଆମୋଦିତ, ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି।

ଏହି ପୀଠକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ନଜର ପକାଇଲେ ତାହା ସୁସ୍ପଷ୍ଟ। ୨୦୧୬ରେ ୪ ଲକ୍ଷ ୫୦ ହଜାର ୯୦୦, ୨୦୧୭ରେ ୪ ଲକ୍ଷ ୬୧ ହଜାର, ୨୦୧୮ରେ ୪ ଲକ୍ଷ ୮୨ ହଜାର ୫୦୦, ୨୦୧୯ରେ ୪ ଲକ୍ଷ ୯୬ ହଜାର ୭୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏହି ସ୍ଥାନ ପରିଭ୍ରମଣ କରିଛନ୍ତି। ନବକଳେବର ସହ ସୌନ୍ଦର୍ଯ୍ୟକରଣ ସମାପ୍ତି ପରେ ଏହି ସ୍ଥାନକୁ ଦେଶବିଦେଶରୁ ଯେ ଆହୁରି ଲକ୍ଷ ଲକ୍ଷ ପର୍ଯ୍ୟଟକ ଛୁଟି ଆସିବେ ସେଥିରେ ଦ୍ବିମତ ନାହିଁ। ତେଣୁ ଏହି ପୀଠର ଏଭଳି ରୂପାନ୍ତରଣ ନିଶ୍ଚିତ ଭାବେ ରାଜ୍ୟ ପାଇଁ ସବୁଦୃଷ୍ଟିରୁ ଲାଭପ୍ରଦାୟକ ହେବ। ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ଏବଂ ୫-ଟି ସଚିବଙ୍କ ମିଶନ୍ ପୀଠର ପ୍ରସିଦ୍ଧିକୁ ବହୁଗୁଣରେ ବୃଦ୍ଧି କରିବା ସୁନିଶ୍ଚିତ।

Tara Tarini Temple