ଶ୍ରୀକ୍ଷେତ୍ରର ପ୍ରମୁଖ ଆକର୍ଷଣ ନରେନ୍ଦ୍ର ସରୋବର। ଏହାର ନିର୍ମାଣ ଶୈଳୀ ଓ ସୌନ୍ଦର୍ଯ୍ୟ ତା ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ। ସର୍ବୋପରି ଶ୍ରୀମନ୍ଦିରର ଅନେକ ନୀତିକାନ୍ତି ସହିତ ଏହାର ସମ୍ପର୍କ ଥିବାରୁ ଏହି ସରୋବରଟି ପୁରାଣର ପଞ୍ଚତୀର୍ଥ ଭିତରେ ନଥିଲେ ମଧ୍ୟ ଏହା ଭକ୍ତ ମାନଙ୍କ ପାଇଁ ପଞ୍ଚତୀର୍ଥର ମାନ୍ୟତା ଲାଭ କରିଛି।
ଏହି ପଵିତ୍ର ପୁଷ୍କରିଣୀଟି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନରେନ୍ଦ୍ର ଦେବଙ୍କ ଦ୍ୱାରା ୧୫ ଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଗବେଷକ ମାନେ ମତ ଦିଅନ୍ତି। ପୁଷ୍କରିଣୀ ଟିର ଲମ୍ବ ୮୩୪ ଫୁଟ ଏବଂ ଏହାର ଓସାର ୮୭୩ ଫୁଟ ଅଟେ। ସମୁଦାୟ ୮ ଏକର ପରିମିତ ଅଞ୍ଚଳରେ ଏହା ଅବସ୍ଥିତ। ସ୍ନାନ ପାଇଁ ପୁଷ୍କରିଣୀ ଟିରେ ପ୍ରାୟ ୧୬ ଟି ଘାଟ ରହିଛି। ପ୍ରତ୍ୟେକ ବର୍ଷ ବୈଶାଖ ମାସ ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଏହି ପବିତ୍ର ସରୋବରରେ ପାଳିତ ହୋଇଥାଏ। ତେଣୁ ଅନେକେ ଏହି ସରୋବରକୁ ଚନ୍ଦନ ସରୋବର ବା ଚନ୍ଦନ ତାଲାଓ କହିଥାନ୍ତି।
ଶ୍ରୀମନ୍ଦିର ଠାରୁ ପ୍ରାୟ ୨ କିଲୋମିଟର ଦୂର ବଡ଼ଦାଣ୍ଡ ମାର୍କେଟ ଛକର ବାମ ପାର୍ଶ୍ଵ ରାସ୍ତାର ଅନତି ଦୂରରେ ଏହି ନରେନ୍ଦ୍ର ସରୋବର ଅବସ୍ଥିତ। ସରୋବରର ଚତୁର ପାର୍ଶ୍ଵ ପରିବେଶ ଅତି ରମଣୀୟ। ପୂର୍ବରେ ବଡ଼ଦାଣ୍ଡ, ପଶ୍ଚିମ ଦିଗରେ ବିଶୋଇ ଠାକୁରାଣୀ, ଉତ୍ତରରେ ବ୍ରହ୍ମଗିରି ଯିବାକୁ ରାସ୍ତା,ଦକ୍ଷିଣରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ସରୋବର ମଧ୍ୟ ସ୍ଥଳରେ ରହିଛି ଗଙ୍ଗା ମା ଙ୍କ ମନ୍ଦିର ଵା ଦୀପଦାଣ୍ଡି। ଦକ୍ଷିଣ ଘାଟ ରେ ରହିଛି ଚନ୍ଦନ ଘର ବା ମଣ୍ଡପ। ଶ୍ରୀଜୀଉ ଙ୍କ ଚଳନ୍ତି ବିଗ୍ରହ ପଞ୍ଚ ମହାଦେବଙ୍କ ସହ ପ୍ରତିବର୍ଷ ଚନ୍ଦନ ଯାତ୍ରା ସମୟରେ ସରୋବରରେ ନୈବିହାର ସାରି ଏହି ଚନ୍ଦନ ମଣ୍ଡପରେ ଜଳକ୍ରୀଡ଼ା କରିଥାନ୍ତି।
ଶ୍ରୀମନ୍ଦିର ର ପ୍ରାଚୀନ୍ନ ଦଲିଲରୁ ଜଣାଯାଏ କଖାରୁ ମଞ୍ଜି ବିକି ଏହି ପୁଷ୍କରିଣୀଟି ଖନନ କରା ଯାଇଛି। କିମ୍ବଦନ୍ତୀ ଅନୁସାରେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟ ଶାସନ ସମୟରେ ତାଙ୍କ କନିଷ୍ଠ ପୁତ୍ର ନରେନ୍ଦ୍ର ଦେବ ନିଜ ମାତୃଭୂମି କୁ ରକ୍ଷା କରିବାକୁ ଯାଇ ପ୍ରାଣବଳି ଦେଇଥିଲେ। ନରେନ୍ଦ୍ର ଦେବଙ୍କ ପତ୍ନୀ କାଳିନ୍ଦୀ ମହାଦେଇ ଦୁଃଖରେ ମ୍ରିୟମାଣ ହୋଇ ପ୍ରଭୁ ଭଜନ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଓ ଶ୍ରୀବଳଭଦ୍ର ବଲ୍ଲଭ ମଠର ମଧ୍ୟ ସ୍ଥଳରେ ଏକ ବଗିଚାରେ ସାଧନ ରତ ରହିଲେ। ସେହି ସ୍ଥାନରେ ସିଏ ଶିବ ଓ କୃଷ୍ଣଙ୍କୁ ଆରାଧନା କଲେ। ତାଙ୍କ ଗୁରୁ ଥିଲେ ବାବାଜୀ ଗୋବିନ୍ଦ ଦାସ। ଥରେ ଗୁରୁଦେବ ରାଣୀଙ୍କୁ ଏକ କଖାରୁ ମଞ୍ଜି ପ୍ରଦାନ କରିଥିଲେ। ରାଣୀ ଶ୍ରଦ୍ଧାରେ ସେହି ମଞ୍ଜିକୁ ପୋତି ଦେଇଥିଲେ। ସୌଭାଗ୍ୟ ବଶତଃ ସେଇ ମଞ୍ଜି ରୁ ବିଶାଳ କଖାରୁ ଗଛ ଉତ୍ପନ୍ନ ହୋଇ ବହୁଳ ଭାବରେ କଖାରୁ ଫଳିଲା। ବର୍ଷ ତମାମ ଶ୍ରୀମନ୍ଦିର ରୋଷ କାର୍ଯ୍ୟ ରେ ତାହା ବ୍ୟବହୃତ ହେଲା। ଏହି କଥା ରାଷ୍ଟ୍ର ହୋଇଗଲା। ଗଜପତି କପିଳେନ୍ଦ୍ର ଦେବ ନିଜ ଗୁରୁ ମହାଦେବ ବ୍ରହ୍ମପଦଙ୍କ ସହ ସେଇ ବୃକ୍ଷ ଦେଖିବାକୁ ଉକ୍ତ ବଗିଚାକୁ ଆସିଲେ। ଗଜପତି ପ୍ରୀତ ହୋଇ କାଳିନ୍ଦୀ ମହାଦେଇଙ୍କ ଗୁରୁ ଗୋବିନ୍ଦ ଦାସଙ୍କ ଶରଣାପନ୍ନ ହେଲେ। ଗୁରୁ ଗୋବିନ୍ଦ ଦାସ ଗଜପତିଙ୍କୁ ମୃତକ ବୀର ନରେନ୍ଦ୍ର ଦେବଙ୍କ ସ୍ମୃତିରେ ଏକ ଜଳାଶୟ ଖନନ କରିବାକୁ ଅନୁରୋଧ କଲେ। ଏଥିପାଇଁ ଆବଶ୍ୟକ ଅର୍ଥରାଶି କଖାରୁ ବିକି ସଞ୍ଚିତ କରିଥିବା ଅର୍ଥ ଗଜପତିଙ୍କୁ ପ୍ରଦାନ କଲେ। ଏହାପରେ ଗଜପତି କପିଳେନ୍ଦ୍ର ଦେବ ଏହି ସରୋବର ଖନନ କରି ଏହା ନରେନ୍ଦ୍ରଙ୍କ ନାମରେ ଉତ୍ସର୍ଗ କଲେ। ସେହିଦିନ ଠାରୁ ଏହା ନରେନ୍ଦ୍ର ସରୋବର ନାମରେ ଖ୍ୟାତି ଅର୍ଜନ କଲା। ଏହାର ସମୁଦାୟ ୧୬ ଟି ଘାଟରୁ ମୁଖ୍ୟ ଘାଟକୁ ବୀର ନରେନ୍ଦ୍ରଙ୍କ ନାମରେ ନାମିତ କରାଯାଇଥିବା ବେଳେ ଏହାର ପରବର୍ତୀ ଘାଟ ରାଣୀ କାଳନ୍ଦୀଙ୍କ ନାମରେ ନାମିତ ହେଲା। ପରବର୍ତ୍ତୀ ୧୪ ଟି ଘାଟକୁ ତାଙ୍କର ୧୪ ଜଣ ମୃତ ପୁତ୍ରଙ୍କ ନାମରେ ନାମିତ କରାଯାଇଥିଲା।