ପରବର୍ତ୍ତୀ ସିଡିଏସ୍ କିଏ ? ଦୌଡ଼ରେ ଜେନେରାଲ ନରାବଣେ ଆଗରେ | News Room Odisha

ପରବର୍ତ୍ତୀ ସିଡିଏସ୍ କିଏ ? ଦୌଡ଼ରେ ଜେନେରାଲ ନରାବଣେ ଆଗରେ

ନୂଆଦିଲ୍ଲୀ: ସରକାର ଖୁବ୍ ଶୀଘ୍ର ପରବର୍ତ୍ତୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବେ । ଏହି ଶୀର୍ଷ ପଦବୀ ଦୌଡ଼ରେ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରାବଣେ ସର୍ବାଗ୍ରେ ରହିଛନ୍ତି। ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡିଛି। ନରାବଣେଙ୍କୁ ଏହି ପଦରେ ନିଯୁକ୍ତ କରିବା ସଠିକ୍ ପଦକ୍ଷେପ ହେବ ବୋଲି ଅନେକ ଅବସରପ୍ରାପ୍ତ ସେନା କମାଣ୍ଡର ମତ ପ୍ରକାଶ କରିଛନ୍ତି । କାରଣ ଜେନେରାଲ ନରାବଣେ ପାଞ୍ଚ ମାସ ମଧ୍ୟରେ ସେନା ମୁଖ୍ୟ ପଦରୁ ଅବସର ନେବାକୁ ଯାଉଛନ୍ତି।

ଏହି ବିଷୟରେ ଅବଗତ ଥିବା ବ୍ୟକ୍ତିଙ୍କ କହିବା ହେଲା ଯେ ସରକାର ସେନା, ନୌସେନା ଏବଂ ବାୟୁସେନାର ବରିଷ୍ଠ କମାଣ୍ଡରଙ୍କ ଏକ କମିଟି ଗଠନ କରିବେ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଏହି ତିନି ସେବା ତତଫରୁ ମିଳିଥିବା ସୁପାରିଶ ଆଧାରରେ କମିଟିକୁ ଚୂଡ଼ାନ୍ତ ରୂପ ଦିଆଯିବ । ଏ‌ହାପରେ ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅନୁମୋଦନ ପାଇଁ ପଠାଯିବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପାଇବା ପରେ ନାମଗୁଡିକ କ୍ୟାବିନେଟର ନିଯୁକ୍ତି କମିଟି ନିକଟକୁ ବିଚାର ପାଇଁ ପଠାଯିବ, ଯାହା ଭାରତର ପରବର୍ତ୍ତୀ ସିଡିଏସ୍ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ତିନି ସେବାର ମୁଖ୍ୟଙ୍କ ନିଯୁକ୍ତି ପାଇଁ ଧାର୍ଯ୍ୟ ହୋଇଥିବା ପ୍ରୋଟୋକଲ୍ ଅନୁଯାୟୀ ହିଁ ସିଡିଏସ୍ ନିଯୁକ୍ତି କରାଯିବ ।

ସିଡିଏସ୍ ହେଉଛନ୍ତି ଷ୍ଟାଫ୍ କମିଟି (ସିଓଏସସି)ର ଅଧ୍ୟକ୍ଷ, ଯେଉଁଥିରେ ତିନୋଟି ସେବା ମୁଖ୍ୟ ସାମିଲ | ପରବର୍ତ୍ତୀ ସିଡିଏସ୍ ପାଇଁ ଜେନେରାଲ ନରାବନେ ମୁଖ୍ୟ ଦାବିଦାର ।ଜେନେରାଲ ନରାବନେଙ୍କ ପ୍ରଦର୍ଶନ ଏବଂ ପୂର୍ବ ଲଦାଖରେ ଚୀନ୍ ସହ ମୁହାଁମୁହିଁ ସ୍ଥିତିକୁ ସେ ଯେପରି ପରିଚାଳନା କରିଥିଲେ ସେ ଦୃଷ୍ଟିରୁ ତାଙ୍କୁ ଏହି ଶୀର୍ଷ ପଦ ମିଳିବା ସମ୍ଭାବନା ଅଧିକ | ଜେନେରାଲ ନରାବନେଙ୍କ ତିନିଜଣ ସେବା ମୁଖ୍ୟଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଏବଂ ସେ ଏପ୍ରିଲରେ ଅବସର ନେବେ। ଯଦି ଜେନେରାଲ ନରାବନେଙ୍କୁ ସିଡିଏସ୍ ଭାବେ ନିଯୁକ୍ତ କରାଯାଏ, ତେବେ ପରବର୍ତ୍ତୀ ସେନା ମୁଖ୍ୟଙ୍କ ନିଯୁକ୍ତି ଉପରେ ମଧ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ |