ମଜବୁତ୍ ଇଚ୍ଛାଶକ୍ତି... ନିଟ୍ ପାସ୍‌... ହେଲେ ପଢ଼ିବେ କେମିତି ? | News Room Odisha

ମଜବୁତ୍ ଇଚ୍ଛାଶକ୍ତି… ନିଟ୍ ପାସ୍‌… ହେଲେ ପଢ଼ିବେ କେମିତି ?

ମନୋବଳ ଦୃଢ଼ ଥିଲେ କୌଣସି ପ୍ରତିକୂଳ ପରିସ୍ଥିତି ବାଧକ ସାଜିପାରେନି। ଅନ୍ତତଃ ତାମିଲନାଡୁ ରାଜ୍ୟ ମଦୁରାଇ ଜିଲ୍ଲା ପାନୁମାପାନୁପଟ୍ଟି ଅଞ୍ଚଳର ଥଙ୍ଗପତିଚ୍.ଏସ୍.ଙ୍କ କ୍ଷେତ୍ରରେ ଏହା ଅନେକାଂଶରେ ପ୍ରମାଣିତ ହୋଇପାରିଛି। ଝୁମ୍ପୁଡ଼ି ଘରେ ରହୁଥିବା ତଥା କାଁଭାଁ ନୂଆ କପଡ଼ା ପିନ୍ଧିବାକୁ ପାଉଥିବା ଏହି ୧୯ ବର୍ଷୀୟ ଯୁବତୀଜଣକ ଏକରକମ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି। ଅକ୍ଲାନ୍ତ ପରିଶ୍ରମ କରି ସେ ନିଟ୍ ୨୦୨୧- ୨୨ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ଯେଉଁଠି ଲକ୍ଷ ଲକ୍ଷ ଯୁବକ ଯୁବତୀ ନିରାଶ ହୋଇଥାନ୍ତି, ସେଠି ଏଭଳି ସଫଳତା ସାଙ୍ଗକୁ ନିଜ ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି ସେ। ତାଙ୍କ ଘରର ଆର୍ଥିକ ସ୍ଥିତି ଅତି ଖରାପ। ଘରକୁ ଦେଖିଲେ ଯେକେହି ଏହା ସ୍ପଷ୍ଟ ଜାଣିପାରିବ। ହେଲେ ଆର୍ଥିକ ଦୁର୍ଗତି ସତ୍ତ୍ବେ ହାର ମାନିନାହାନ୍ତି ଥଙ୍ଗପତିଚ୍।

ତେବେ ବର୍ତ୍ତମାନ ତାଙ୍କ ଆଗରେ ଆଉ ଏକ ସମସ୍ୟା ଠିଆ ହୋଇଛି। ମେଡିକାଲ୍ ପଢ଼ା ପାଇଁ ବହୁତ ଖର୍ଚ୍ଚ ହୁଏ। କଲେଜରେ ଆଡ୍‌ମିଶନ୍, ରହଣୀ, ଖାଦ୍ୟପେୟ ଆଦି ବ୍ୟୟବହୁଳ। ତେବେ ନିଟ୍ ସ୍କୋର ୨୫୬ ପାଇ ସାଧାରଣ ବ୍ୟାଙ୍କ୍ ୩୨୬ ହାସଲ କରିଥିବା ଥଙ୍ଗପତିଚ୍ କନ୍ୟାକୁମାରୀର ଏକ ମେଡିକାଲ କଲେଜ ହସ୍ପିଟାଲ୍‌ରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାମିଲନାଡୁ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ଏହି ଯୁବତୀଜଣକ। ତଥାପି ଏତେ ପ୍ରତିଭାସମ୍ପନ୍ନ ମେଡିକାଲ୍ ଆଶାୟୀ ଛାତ୍ରୀଜଣଙ୍କୁ ତାମିଲନାଡୁର ଷ୍ଟେଲିନ୍‌ ସରକାର ମାତ୍ର ଟ୍ୟୁସନ୍ ଫି’ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଏହା ମେଡିକାଲ୍ ଶିକ୍ଷା ପାଇଁ ଯଥେଷ୍ଟ ନୁହେଁ ବୋଲି ଜାଣିପାରିଛନ୍ତି ଥଙ୍ଗପତିଚ୍। ଏଣୁ ଆଶଙ୍କା ଉପୁଜିଲାଣି ଯେ- ଏହି ପ୍ରତିଭାସମ୍ପନ୍ନ ଛାତ୍ରୀଙ୍କ ସ୍ବପ୍ନ କ୍ଷେତ୍ରରେ ଆଉ ସୀମିତ ରହିଯିବନି ତ।