ଲେଖକ : ବିପିନ ମହାପାତ୍ର
ଅକ୍ଷୟ ମହାନ୍ତି (ଖୋକା ଭାଇ) । ଏକ ଚିର ପରିଚିତ ନାଁ ଟିଏ । ସଂଗୀତ ଆକାଶର ଧ୍ରୁବତାରା ।
‘ମଧୁସଞ୍ଜରେ ଭ୍ରମରା’ ଠାରୁ ‘ହାରିଯାଇଥିବା ଲୋକର କି ଅଛି’————- । ଦୀର୍ଘ ଅର୍ଦ୍ଧଶତାବ୍ଦୀର ସଂଗୀତମୟ ପଥ ଅତିକ୍ରମ କରି କରି ସେ ସମ୍ଭବତଃ ଲକ୍ଷ୍ୟସ୍ଥଳରେ ପହଂଚିପାରିଥିଲେ । ଅଥଚ ସତରେ କଣ ତାଙ୍କର ଗୋଟିଏ କାହାଣୀ କହିବାର ଥିଲା? କି କାହାଣୀ ?? ବ୍ୟର୍ଥତାର ନା ସାର୍ଥକତାର? ଜୟ ନା ପରାଜୟର?? ସଫଳତା ନା ବିଫଳତାର??? ହୁଏତ ସଂଗୀତ ସାଧକ ହେଲେ ବି ରକ୍ତମାଂସର ମଣିଷ ହିସାବରେ ତାହା ହେଇଥିବ ଅବ୍ୟକ୍ତ ବେଦନା । ସମୟ, ସୁବିଧା, ସୁଯୋଗ ଦେଖି ସେ ଯଦି ତାହା ବ୍ୟକ୍ତ କରିପାରି ନାହାନ୍ତି, ତେବେ ଧରିନିଆଯିବ ତାଙ୍କ ଅବଶୋଷ ରହିଗଲା । ପୁଞ୍ଜିଭୂତ ଅବଶୋଷ । କିନ୍ତୁ ଅନ୍ୟ ଏକ ଦୃଷ୍ଟିକୋଣରୁ ବିଚାର କଲେ ତାଙ୍କ ଅଗଣିତ ସଂଗୀତପ୍ରେମୀ, ଶ୍ରୋତା ଓ ପ୍ରଶଂସକଙ୍କୁ ସେ ଗୀତ ମାଧ୍ୟମରେ ଶୁଣାଇଛନ୍ତି ଅନେକ କଥା, କିମ୍ବଦନ୍ତୀ, ଜନଶ୍ରୁତି, କାହାଣୀ, ଗାଥା ଓ କବିତା । ଏହାଛଡ଼ା ଉକ୍ରଳୀୟ କଳା, ସାହିତ୍ୟ,ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଗର୍ବ ଓ ଗୌରବ – କାଂଚି ଅଭିଯାନ, ବୋଇତ ବନ୍ଦାଣ, ରାଣ୍ଡିପୁଅ ଅନନ୍ତା, ପେଟେଣ୍ଟ୍ଟ୍ଟ ମେଡିସିନ୍, ମାଲ୍ୟାଣି ବୁଢ଼ୀ ଇତ୍ୟାଦି ମାଧ୍ୟମରେ ।
ଦିନ ଥିଲା, ଏଇ ସଂଗୀତକୁ ଆପଣେଇ ସେ ନିଜ ପରିବାରରେ ବହୁ ଛୋଟବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ହିତଶତ୍ରୁମାନଙ୍କ ସମାଲୋଚନାର ଶରବ୍ୟ ହୋଇଥିଲେ । ବେତାର କଣ୍ଠଶିଳ୍ପୀ ହେଲାପରେ ବି ଏଚ୍ଏମ୍ଭି କମ୍ପାନୀର ଦ୍ୱାରସ୍ଥ ହୋଇ ନିରାଶରେ ଫେରିଥିଲେ । ଠିକ୍ ସେତିକିବେଳେ ସେ ଅନୁତାପ କରିଛନ୍ତି । କାରଣ ଏଥିପାଇଁ ସେ ପ୍ରିୟ ଫୁଟ୍ବଲ୍ ଓ କ୍ରିକେଟ୍ରୁ ନିବୃତ ହେଲେ । ଚାକିରି ଖଣ୍ଡକ ଚାଲିଗଲା । ସବୁକିଛିରୁ ବଂଚିତ ହେଇ ମଧ୍ୟ ସଂଗୀତକୁ ପେସା କରି ବଂଚିବାର ରାସ୍ତା ବାଛିନେବା ଉଦେ୍ଦଶ୍ୟରେ ସେ ଆଉ ପଛକୁ ଫେରିନଥିଲେ । ତାଙ୍କ ଲକ୍ଷ୍ୟ ଥିଲା ଅନେକ । ଓଡ଼ିଆ ସଂଗୀତକୁ ଅନ୍ୟ ଭାଷାଭାଷୀ ସଂଗୀତର ସମତୁଲ୍ୟ କରିବାକୁ ସେ ମନେ ମନେ ସଂକଳ୍ପବଦ୍ଧ ହେଲେ । ଆଶା ଓ ଆଶଙ୍କା ନେଇ ଦେଖି ଚାଲିଲେ ଅନେକ ରଂଗୀନ ସ୍ୱପ୍ନ । ସେତିକିବେଳେ ଶାସ୍ତ୍ରୀୟ ସଂଗୀତର ଆଦର ଥିଲା ଓଡ଼ିଶାରେ । ଲଘୁ ସଂଗୀତର ପ୍ରଚାର ଓ ପ୍ରସାର ଥିଲା ସୀମିତ । ସହଜେ ସେ ଥିଲେ ସଂଗୀତ ଜଗତର ନବାଗତ ।
ଓଡ଼ିଆ ଲଘୁ ସଂଗୀତକୁ ଆଗାମୀ ଦିନରେ ସମୃଦ୍ଧ ଓ ଲୋକପ୍ରିୟ କରିବାକୁ ସେ ଅଣ୍ଟା ଭିଡ଼ିଲେ । ବହୁ ପରୀକ୍ଷା ନିରୀକ୍ଷା କଲେ । ଏଥିପାଇଁ ତଦାନୀନ୍ତନ କେତେଜଣ ସଂଗୀତଜ୍ଞ ମାନଙ୍କର ଅବିଶ୍ୱାସର ପାତ୍ର ହେଲେ ତ ଆଉ କେତେଜଣ ତାଙ୍କ ଉପରେ ଅଜାଡ଼ି ଦେଲେ ମିଛ ପ୍ରଶଂସା । ତାଙ୍କ ନେତୃତ୍ୱରେ ପ୍ରତିବର୍ଷ ଆକାଶବାଣୀ କଟକ ତରଫରୁ ପ୍ରେରିତ ଯୁବ କଣ୍ଠଶିଳ୍ପୀମାନେ କଲିକତା (କୋଲକାତା)ରେ ଲଗାତାର ଦେଶଭକ୍ତି ଗୀତ ପରିବେଷଣ କରି ପୁରସ୍କୃତ ହେବାରୁ ସେ ସମ୍ୟକ୍ ଆଶ୍ୱସ୍ତ ଲଭି ଥିଲେ । ଠିକ୍ ତାର କିିଛି ଦିନ ପରେ ଗ୍ରାମ୍ଫୋନ୍ ରେକର୍ଡରେ ଶୁଣିବାକୁ ମିଳିଲା ତାଙ୍କ ସୁମଧୁର କଣ୍ଠରୁ “ମୋ ରଙ୍ଗଲତା ଋଷିଛି’ ଓ ‘ସବାରୀ ଚାଲେରେ ଧିରେ ଧିରେ’ ଗୀତ । ସେତିକିବେଳେ ହିଁ ସେ ଲୁକ୍କାୟିତ ପ୍ରତିଭାର ଅଧିକାରୀ ବୋଲି ପ୍ରମାଣିତ ହେଲା । ତାହା ହିଁ ଥିଲା ତାଙ୍କ ଜୀବନର ମାଇଲସ୍ତମ୍ଭ । ଇତିମଧ୍ୟରେ ସେ ବେତାର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର ଓ କମ୍ପୋଜର୍ ହୋଇସାରିଥିଲେ । ପ୍ରଥମ କରି ଗୌର ଘୋଷ ପ୍ରଯୋଜିତ ଓଡ଼ିଆ ସିନେମା ‘ମା’ରେ ସେ କେତୋଟି ଗୀତ ଲେଖିଲେ ଓ ଗାଇଲେ ମଧ୍ୟ । ତେଣେ ବେତାର କେନ୍ଦ୍ରରୁ ତାଙ୍କ କଣ୍ଠରୁ ପରିବେଷିତ ଗୀତଗୁଡିକର ଗାୟନ ଶୈଳୀ ବହନ କରିଥିଲା ସ୍ୱତନ୍ତ୍ରତା । ସମ ସାମୟିକ କଣ୍ଠଶିଳ୍ପୀ ମାନଙ୍କ ଠାରୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଶୋତ୍ରୁବର୍ଗର ସେ ହେଲେ ନିକଟତମ । ଏବଂ ସଂଗୀତଜ୍ଞ ମହଲରେ ବହୁ ଚର୍ଚ୍ଚିତ । ତାର ପୁଣି କିଛି ବର୍ଷ ପରେ ଆରମ୍ଭ ହେଲା “ସେନୋଲା” ଓ “ଗାଥାନୀ” କମ୍ପାନୀ ସହ ତାଙ୍କ ସ୍ୱାକ୍ଷରିତ ଚୁକ୍ତି । ପ୍ରତିବର୍ଷ ସେମାନଙ୍କ ତରଫରୁ ସେ ଦେଇ ଚାଲିଲେ ନୂଆ ନୂଆ ଗୀତର ଦଶହରା ଭେଟି । ଫଳରେ ଓଡ଼ିଆ ଲଘୁ ସଂଗୀତର ସଂସ୍କାରକ ରୂପେ ସେ ଖ୍ୟାତି ଅର୍ଜନ କଲେ । ତାଙ୍କ ପାଇଁ ଗୀତ ଲେଖୁଥିବା ପ୍ରମୁଖ ଲେଖକ ମାନଙ୍କ ସହ ତାଙ୍କ ଯୋଗସୂତ୍ର ଥିଲା ସାଲିସ୍ ବିହୀନ । ସେମାନଙ୍କ ଲେଖାର ତ୍ରୁଟି-ବିଚୁ୍ୟତିରେ ସୁଧାର ଆଣି ସେ ଗାୟନ ଉପଯୋଗୀ କରି ନିଜ କଣ୍ଠରେ ଜୀବନ୍ତ କରିପାରୁଥିଲେ । ପ୍ରତିଶ୍ରୁତି ରକ୍ଷା କରୁଥିଲେ । କାରଣ ଲଘୁ ସଂଗୀତର ଫର୍ମୁଲା ଅନୁଯାୟୀ ଗୋଟିଏ ଗୀତ କିପରି ସୁର, ତାଳ ଓ ଲୟରେ ସହଜେ ଆବଦ୍ଧ ହେଇପାରିବ ଏବଂ ଆରମ୍ଭଠୁଁ ଶେଷ ଯାଏଁ ଭାଷା ଓ ଭାବର ସମନ୍ୱୟ ରକ୍ଷା ହେଇପାରିବ ସେଇ କଳାକୌଶଳରେ ସେ ଥିଲେ ଧୂରନ୍ଧର । ଶବ୍ଦ ସଂଯୋଜନାକୁ ସେ ପ୍ରାଧାନ୍ୟ ଦେଇଥିଲେ । ତାଙ୍କ ନିଜସ୍ୱ ସାହିତ୍ୟ ଚର୍ଚ୍ଚାର ପ୍ରଭାବରେ ଏହାସବୁ ପ୍ରଭାବିତ ହେଇଥିଲା । ଅବଶ୍ୟ ତାଙ୍କ ସ୍ମୃତିଚାରଣ ପୂର୍ବକ କାଁ ଭାଁ ଅଧୁନା ଅକ୍ଷୟ ସଂଗୀତ ପରିବେଷଣ ହେବା ସୁଖର କଥା । କିନ୍ତୁ ସେ ଗୁଡିକରେ ମୌଳିକତ୍ୱର ଅଭାବ ଦେଖିବାକୁ ମିଳୁଛି । ଦୁର୍ଭାଗ୍ୟର କଥା ଅପସ୍ୱର ଓ ଅସଫଳ ଅନୁକୃତି ଯୋଗୁଁ ଅନ୍ତସାର ଶୂନ୍ୟ ପରି ମନେ ହେଉଛି ।
ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓ ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଶହ ଶହ ସିନେମା ଗୀତ ଗାଇଥିଲେ ବି ଗୋଟେ ଅଧେ ମାତ୍ର ଗାଇଛନ୍ତି ପ୍ରଫୁଲ୍ଲ କର ଓ ବାସୁଦେବ ରଥଙ୍କ ନିର୍ଦ୍ଦେଶନାରେ । ସିନେମାର ମୁଖ୍ୟ, ଗୌଣ, ହାସ୍ୟରସାତ୍ମକ ଚରିତ୍ର ଗୁଡିକର ଗୀତ ବୋଲିବାକୁ ତାଙ୍କୁ ଯଥେଷ୍ଟ ସୁଯୋଗ ଦିଆଯାଉଥିଲା । ତା ସହିତ ସିରିୟସ୍ ଗୀତ ମଧ୍ୟ । ନିଜ ନିର୍ଦ୍ଦେଶିତ ସିନେମାରେ ବି ସେ ବହୁତ ଭଲ ଭଲ ଗୀତ ଗାଇଛନ୍ତି । ପାଖାପାଖି ଦଶ ହଜାର ଓଡ଼ିଆ ଗୀତ ବୋଲିବାରେ ସେ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ କଣ୍ଠଶିଳ୍ପୀ ।
ବସ୍ତୁତଃ ଅକ୍ଷୟ ସଂଗୀତରେ ଅଛି ପ୍ରେମ ଓ ବିରହର ସଙ୍କେତ, ସଂଜ୍ଞା ଓ ପରିଣତି । ମନ ଓ ବିବେକର ଧ୍ୱନି ଓ ପ୍ରତିଧ୍ୱନି । ଧର୍ମ ଓ ଦର୍ଶନର ମୂଳତ୍ୱ । ସ୍ମୃତି ଓ ବିସ୍ମୃତିର ଛଳ ଛଳ ଆବେଗ । ହସର ଫଲଗୁ ଓ ଅଶ୍ରୁର ବନ୍ୟା । ବ୍ୟକ୍ତିର ଅଭିମାନ ଓ ବ୍ୟକ୍ତିତ୍ୱର ଅଭିବ୍ୟକ୍ତି । ମାନବେତର ଜିଗୀଷା ଓ ଅନୁସନ୍ଧିଚ୍ଛା । ଏବଂ ଅଛି ତଥାକଥିତ ମିଥ୍ ପ୍ରୟୋଗ ସହ ରୋମାଣ୍ଟିକ, ମୃତୁ୍ୟ ଓ ଇନ୍ଦ୍ରିୟୋର ଚେତନା । ବହୁ ଗୀତର ନାୟକ ଓ ନାୟିକାମାନେ ପ୍ରାଣ ପାଚୁର୍ଯ୍ୟରେ ବିଭୋର ହୋଇ କେବେ ଅମରାବତୀରେ ବିଚରଣ କରନ୍ତି ତ ଆଉ କେବେ ବ୍ୟଥିତ, ଇତସ୍ତତଃ ହୋଇ ଭୂଲୁଣ୍ଠିତ ହେଇଛନ୍ତି ପାଦ ତଳର ମାଟିରେ ।
ସିନେମା ସଂଗୀତର ନିଦେ୍ର୍ଦଶକ ଭାବେ ତାଙ୍କ ପରିଚୟ ମିଳିଥିଲା ‘ମଲାଜହ୍ନ’ରୁ । ତଥାପି ‘କିଏ କାହାର’ ଓ ‘ନାଗଫାଶ’ ତାଙ୍କୁ ଟାଣି ନେଇଗଲା ଅନେକ ଦୂରକୁ । ପରିଶେଷରେ ସେ ଅଟକିଗଲେ ସବ୍ୟସାଚୀଙ୍କ ‘ଜୟ ଜଗନ୍ନାଥ‘ରେ । ତାଙ୍କ ସଂଗୀତ ନିଦେ୍ର୍ଦଶିତ ସିନେମାର ଟାଇଟଲ୍ ଗୀତ ମଧ୍ୟରୁ ‘ଯାଯାବର..ମନ ମୋର’ ଏକ ଯୁଗାନ୍ତକାରୀ ସୃଷ୍ଟି । ଏବଂ ସାହିତ୍ୟ କୃତି ମଧ୍ୟରୁ ‘ଆର୍ଯ୍ୟଦାସର ଆତ୍ମଲିପି’ ଶ୍ରେଷ୍ଠ ଗ୍ରନ୍ଥ ।
ସେ ସମାଲୋଚନା, ପ୍ରତିଯୋଗିତାକୁ ସ୍ୱାଗତ କରୁଥିଲେ ଯଦିଓ, ନିନ୍ଦା ଓ ପ୍ରଶଂସାକୁ ଗୁରୁତ୍ୱ ଦେଉନଥିଲେ । କିନ୍ତୁ ନୂତନ ଏକ ସ୍ୱର ସମ୍ଭାର ଆଣି ପ୍ରତିଦ୍ୱନ୍ଦ୍ୱୀ ମାନଙ୍କ ମୁହଁକୁ ଅକସ୍ମାତ ବନ୍ଦ କରିଦେଉଥିଲେ । ସେ ଥିଲେ ଖାଣ୍ଟି କଟକିଆ । କଟକରେ ହାଇକୋର୍ଟ ଓ ମହାନଦୀ ଅଛି ବୋଲି ସେ ଗର୍ବ କରୁଥିଲେ ।
କାବ୍ୟ, କବିତା ଓ ଚମ୍ପୁ ଭଳି ଓଡ଼ିଆ ଗୀତିକବିତାର ଆଲୋଚନା ହେଇପାରୁନି ଆମ ଓଡ଼ିଶାରେ । ଯଦି ଆଗାମୀରେ ତାହା ହୁଏ, ତେବେ ତାର ପ୍ରେକ୍ଷାପଟ୍ଟରେ ସମୀକ୍ଷାର ଅନ୍ତର୍ଭୁକ୍ତ ହେଇପାରେ ଅକ୍ଷୟ ସଂଗୀତ ମଧ୍ୟରୁ ଏଇ କେତୋଟି ଗୀତ ଯଥା – ବାହୁରେ କୁଟାଇ ତୋର ରାଧାକୃଷ୍ଣ ମୂରତୀ, କଳଙ୍କିତ ଏଇ ନାୟକ ଆଖିରୁ (ଗଜଲ), ବୟସର କୃଷ୍ଣଚୂଡ଼ା, ଆରେ ଆରେ ଚନ୍ଦ୍ରମା ନାହିଁ, ବନ୍ଧୁରେ ଆଣିଦେ ଆଣିଦେ ଧରି ସୁନା ଇଲିଶି, ହେ ଫଗୁଣ ତୁମେ, ସ୍ମୃତି ତୁମେ ଶ୍ରାବଣ ରାତିରେ, ନଦୀର ନାମ ଅଳସ କନ୍ୟା, ପୁଣ୍ୟର ନଦୀ ତୀରେ, ଯାରେ ଭାସି ଭାସି ଯା.., ହେ ମୋର ଜୀବନ, ଟୋପାଏ ଲୁହରେ ଭସାଇ ଦେବି ତୋ ଦେଉଳ, ରକତ ଟଳମଳ, ହାଏ ମଦଭରି ଆଖି, ନାଁ ତାର ଲଳିତା,ନ କର ନକର ମନ, ମାୟାବିନୀ ବନଜୋଛନା, ବଧୂ ହସେ ମଧୁ ମଧୁ (ଡବ୍), ମତେ ଭୁଲିଯାରେ ରାଣ ତତେରେ (ଡବ୍), ନା ବୁଝେ ମତେ ମନ, ଲୁହର ଦୀପାଳି ଜାଳି ମୁଁ ବସିଛି, ତୋ ବିନା ଲାଗେନା ଭଲ କିଛି, ଭସା ମେଘ ମୁଁ ଯେ, ହୃଦୟକୁ କରିଦିଅ ପାନ୍ଥଶାଳା ପ୍ରଭୃତି ଏବଂ ଆହୁରି କେତେ । ଏଇ କ୍ଷୁଦ୍ର କଳେବରରେ ସେଗୁଡିକ ସ୍ଥାନିତ ହେବା କଷ୍ଟସାଧ୍ୟ । ଐଶୀ ପ୍ରତିଭା ତାଙ୍କୁ ସବୁ ରକମ ଗୀତ ବୋଲିବାକୁ ପ୍ରଦାନ କରିଥିଲା ଏକ ସୁମଧୁର କଣ୍ଠସ୍ୱର । ତା ନହେଲେ ଯେ କୌଣସି ଗୀତ ତାଙ୍କର ଶ୍ରୋତାଙ୍କୁ ମୁଗ୍ଧ, ବିଭୋର କରିପାରିନଥାନ୍ତା । କିମ୍ବା ତାଙ୍କ ଗୀତ ଏକାଧିକବାର ଶୁଣିବାକୁ କିଏ ଭଲ ପାଇନଥାନ୍ତା ।
ସେ ଆଜି ଆମ ଗହଣରେ ନାହାନ୍ତି । କିନ୍ତୁ ଯୁଗ ଯୁଗ ଧରି ଓଡ଼ିଆ ଆଧୁନିକ ସଂଗୀତର ପ୍ରାଣ ସ୍ପନ୍ଦନରେ ଲିପିବଦ୍ଧ ହୋଇ ରହିଯିବ ଅକ୍ଷୟ ସଂଗୀତର ଇତିବୃତ୍ତ ।
ଲେଖକ : ବିପିନ ମହାପାତ୍ର , ଲାଞ୍ଜିପଲ୍ଲୀ, ବ୍ରହ୍ମପୁର
ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।