ବିଜନ କୁମାର ମହାପାତ୍ର
ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ଭୋଟ୍ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବିଜେପି ଓ ଏବେ ବି ଅସଂଗଠିତ ବିରୋଧୀ ଦଳ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷାର ସମୟ । ବିଶେଷ କରି ଦେଶର ରାଜନୈତିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱ ବହନ କରୁଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିବ । ଉତ୍ତର ପ୍ରଦେଶ ସମେତ ଉତ୍ତରାଖଣ୍ଡ, ପଂଜାବ, ମଣିପୁର ଓ ଗୋଆରେ ନୂଆ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ । ୨୦୨୪ ନିର୍ବାଚନରେ ଚିତ୍ର କିଭଳି ରହିବ, ତାହାର ଝଲକ ଆସନ୍ତାମାସ ୧୦ ତାରିଖରେ ଦେଖିବାକୁ ମିଳିବ । ବିରୋଧୀଙ୍କ ଅପେକ୍ଷା ବିଜେପି ଓ ‘ବ୍ରାଣ୍ଡ୍ ମୋଦି’ ପାଇଁ ଚଳିତ ନିର୍ବାଚନ ଯେ, ଏକ କଠୋର ଅଗ୍ନି ପରୀକ୍ଷା ବୋଲି ନିଶ୍ଚିତ ଭାବେ କହିହେବ । ଚାଷୀ ଆନ୍ଦୋଳନ ଓ କୋରୋନା ମହାମାରୀ ପରେ ଏହା ହେଉଛି ବଡ ଧରଣର ନିର୍ବାଚନ । ୫ଟି ରାଜ୍ୟ ମଧ୍ୟରୁ ୪ଟିରେ ବିଜେପିର ଶାସନ ରହିଛି । ତେଣୁ ଏହି ନିର୍ବାଚନ ଅନ୍ୟ ଦଳ ଅପେକ୍ଷା ବିଜେପି ପାଇଁ ଅତି ସମ୍ମାନର ପ୍ରଶ୍ନ ହୋଇପଡିଛି ।
ମାର୍ଚ୍ଚ ୧୦ ତାରିଖରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ ଯେ, ବିଜେପି କଣ ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରି ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର କୃଷକଙ୍କ ଅସନ୍ତୋଷ ଦୂର କରିବାରେ ସଫଳ ହୋଇଛି କି ନାହିଁ । ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନୀ କ୍ଷତି ଆଶଙ୍କା କରି ମୋଦି ସରକାର ଗତବର୍ଷ ତିନିିଟି କୃଷି ଆଇନ ପ୍ରତ୍ୟାହାର କରିନେଇଥିଲେ । ନିର୍ବାଚନ ପ୍ରଚାର ବେଳେ ବିଜେପି ନେତାମାନେ ଜୋର୍ ଦେଇ କହୁଛନ୍ତି ଯେ, କେନ୍ଦ୍ର ସରକାର କୃଷକଙ୍କ ଆୟ ଦୁଇଗୁଣା କରିବାରେ ସମର୍ଥ । କିନ୍ତୁ ସଂଖ୍ୟା କହୁଛି ଯେ, କୃଷକଙ୍କ ଆୟ ଦୁଇଗୁଣା କରିବା ଭଳି ସ୍ଥିତିରେ ନାହିଁ ଭାରତ । କୃଷକଙ୍କ ଆୟ ସ୍ଥିର ହିଁ ରହିଛି । ଏଥିରେ ଆଉ ବୃଦ୍ଧି ହେଉନାହିଁ । ସେଥିପାଇଁ କୃଷକମାନେ କେନ୍ଦ୍ର ଉପରେ ଭୀଷଣ ଖପ୍ପା ।
ଉତ୍ତର ପ୍ରଦେଶ ଓ ପଞ୍ଜାବକୁ ଛାଡିଦେଲେ ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ କଂଗ୍ରେସ ସହ ବିଜେପିର ସିଧାସଳଖ ଲଢେଇ ହେଉଛି । ଏହି ତିନି ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ରହିଛି । ମଣିପୁର ଓ ଗୋଆରେ ୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜେପିଠାରୁ ଅଧିକ ଆସନ ଜିତିଥିଲେ ସରକାର ଗଠନ କରିପାରି ନ ଥିଲା କଂଗ୍ରେସ । ଏଥର ଉତ୍ତର ପ୍ରଦେଶରେ ଶାସକ ବିଜେପି , ମୁଖ୍ୟ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିଠାରୁ କଡା ମୁକାବିଲାର ସମ୍ମୁଖୀନ ହୋଇଛି । ଯୋଗୀଙ୍କ ପାଇଁ ଅଖିଳେଶ ବିପର୍ଯ୍ୟୟ ସୃଷ୍ଟି କରିବା ସମ୍ଭାବନାକୁ କେହି ଏଡାଇ ପାରୁନାହାନ୍ତି । ପଂଜାବରେ ଏଥର ତ୍ରିକୋଣୀୟ ମୁକାବିଲା ହେଉଛି । କାରଣ ଶାସକ କଂଗ୍ରେସ , ଆମ ଆଦମୀ ପାର୍ଟି ଓ ବିଦାୟୀ ବିଧାନସଭାର ମୁଖ୍ୟ ବିରୋଧୀ ଦଳ ଶିରୋମଣି ଅକାଳୀ ଦଳଠାରୁ କଡା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେଉଛି । ୨୦୧୭ରେ ଶିରୋମଣି ଅକାଳୀ ଦଳ ଓ ବିଜେପି ମେଂଟକୁ ବଡ ବ୍ୟବଧାନରେ ମାତ୍ ଦେଇ କ୍ଷମତା ଅକ୍ତିଆର କରିଥିଲା କଂଗ୍ରେସ । କିନ୍ତୁ ସେତେବେଳେ କଂଗ୍ରେସର ଚେହେରା ଥିଲେ କ୍ୟାପଟେନ ଅମରିନ୍ଦର ସିଂହ । ଆଜି ସେ ଦଳରେ ନାହାନ୍ତି । ତାଙ୍କୁ ଉପେକ୍ଷା କରି କଂଗ୍ରେସ ନିଜ ପାଇଁ ଗାତ ଖୋଳିଛି ନା ଏହା ଦ୍ୱାରା ବିଶେଷ କିଛି ଫରକ ପଡିବ ନାହିଁ , ତାହା ମାର୍ଚ୍ଚ ୧୦ରେ ସ୍ପଷ୍ଟ ହୋଇଯିବ ।
୫ଟି ରାଜ୍ୟରେ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ
କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିଥିଲେ ମଧ୍ୟ କୃଷକଙ୍କ ଅସନ୍ତୋଷ ଦୂର ହୋଇଛି ବୋଲି ଦୃଢତାର ସହ କୁହାଯାଇ ପାରିବ ନାହିଁ । ୫ଟି ରାଜ୍ୟରେ ମୋଟ ୬୨୦ ବିଧାନସଭା ଆସନ ମଧ୍ୟରୁ ୨୪୦ ଆସନରେ କୃଷକ ଅସନ୍ତୋଷ ମୁଖ୍ୟ ପ୍ରସଙ୍ଗ ରହିବ ଏଥିରେ ସନ୍ଦେହ ନାହିଁ । ଏବେ ବି ପଞ୍ଜାବରେ କୃଷକ ସଂଗଠନର କର୍ମକର୍ତ୍ତାମାନେ କୃଷି ଆଇନ ନେଇ ବିଜେପି ନେତାଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି । ପଶ୍ଚିମ ଉତ୍ତର ପ୍ରଦେଶରେ ମଧ୍ୟ କୃଷକ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିପାରେ । ତେଣୁ ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ସତ୍ତତ୍ତ୍ୱ କୃଷକ ଅସନ୍ତୋଷ ବିଜେପି ପାଇଁ ବଡ ମୁଣ୍ଡବ୍ୟଥା ହେବ । କୃଷକମାନେ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପିର ନିର୍ବାଚନୀ ଗଣିତକୁ ଓଲଟପାଲଟ କରିପାରନ୍ତି । ଏହି ଅଂଚଳରେ ୧୧୦ଟି ବିଧାନସଭା ଆସନ ରହିଛି । ଏଠାରେ କୃଷକ ନେତା ରାକେଶ ଟିକାୟତଙ୍କ ପ୍ରଭାବ ବି ଅଧିକ । ବିଜେପିକୁ ଭୋଟ୍ ନ ଦେବା ପାଇଁ ସେ ଭୋଟରଙ୍କୁ ଅପିଲ କରିସାରିଛନ୍ତି । ୨୦୧୭ ନିର୍ବାଚନରେ ବିଜେପି ପଶ୍ଚିମ ଉତ୍ତର ପ୍ରଦେଶରେ ୮୦ରୁ ଅଧିକ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଏଥର କୃଷକ ପ୍ରସଙ୍ଗ ବିଜେପି ପାଇଁ ସୃଷ୍ଟି କରିଛି ବଡ ଆହ୍ୱାନ । ଯୋଗୀ ସରକାର କିଛି ପ୍ୟାକେଜ ଘୋଷଣା କରିବା ସହ ବିଜେପିର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଛି ଅନେକ ଲୋଭନୀୟ ପ୍ରତିଶ୍ରୁତି । ବିଜେପି ଏଥିରେ ସଫଳ ହେଉଛି କି ନାହିଁ, ତାହା ଜାଣିବା ପାଇଁ ମାର୍ଚ୍ଚ ୧୦ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିବ ।
ଉତ୍ତରାଖଣ୍ଡରେ ବି କୃଷକ ଅସନ୍ତୋଷ ବିଜେପିକୁ ପ୍ରଭାବିତ କରିପାରେ । ରାଜ୍ୟର ୭୦ ବିଧାନସଭା ଆସନ ମଧ୍ୟରୁ ୧୫ଟି ଆସନରେ କୃଷକ ଅସନ୍ତୋଷ ପ୍ରସଙ୍ଗ ବିଜେପି ପ୍ରତି ଆହ୍ୱାନ ସୃଷ୍ଟି କରିବ । ଏହି ୧୫ ଆସନ ମଧ୍ୟରୁ କିଛି ଆସନରେ ଶିଖ ଓ ମୁସଲିମଙ୍କ ସଂଖ୍ୟା ଅଧିକ । କୃଷକ ଅସନ୍ତୋଷ ସହ ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ଏବଂ ତିନି ତିନ ଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଶାସକ ଦଳକୁ ବ୍ୟାକଫୁଟକୁ ଆଣିଥିବା ବେଳେ ବିରୋଧୀ କଂଗ୍ରେସ ପାଇଁ ସୃଷ୍ଟି କରିଛି ମସ୍ତ ବଡ ସୁଯୋଗ । ଏହାଛଡା ଗତବର୍ଷ ଡିସେମ୍ବରରେ ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମସଂସଦରେ ସାଧୁସନ୍ଥଙ୍କ ସଂଖ୍ୟାଲଘୁ ବିରୋଧୀ ଉଗ୍ର ଭାଷଣ ଓ ବିଜେପି ନେତାଙ୍କ ନୀରବତା ବିରୋଧୀ ଦଳକୁ ଖୋରାକ ଯୋଗାଇଛି ।
କୋରୋନା ମହାମାରୀରେ ଦ୍ୱିତୀୟ ଲହରରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ଅନେକଙ୍କ ଜୀବନ ଯାଇଥିଲା । ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ଗଙ୍ଗା ଓ ଅନ୍ୟ ନଦୀ କୂଳରେ କୋରୋନାରେ ପ୍ରାଣ ହରାଇଥିବା ଶହ ଶହ ଲୋକଙ୍କ ଶବ ପୋତାଯାଇଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମହାମାରୀ ବିପଦ ସତ୍ତ୍ୱେ ୨୦୨୧ ଏପ୍ରିଲ ମାସରେ ଉତ୍ତରାଖଣ୍ଡ ସରକାର ହରିଦ୍ୱାରରେ ଆୟୋଜିତ କରିଥିଲେ କୁମ୍ଭମେଳା । କୌଣସି କଟକଣା ନ ଥିଲା । କୋରୋନା ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇଛି ।
କୋରୋନା ମହାମାରୀ ଯୋଗୁଁ ଭୁଶୁଡି ପଡିଥିଲା ଅର୍ଥନୀତି । ସାଧାରଣ ଲୋକ ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡିଥିଲା । ଏଥିସହ ଅହେତୁକ ଦରବୃଦ୍ଧି ଲୋକଙ୍କ ପାଇଁ ଥିଲା ବୋଝ ଉପରେ ନଳିତା ବିଡା ସଦୃଶ । ପେଟ୍ରୋଲ ଲିଟର ୧୦୦ ଟଙ୍କାରୁ ଅଧିକ ହୋଇଛି । ଅନେକ ରାଜ୍ୟରେ ଏଲପିଜି ସିଲିଣ୍ଡରର ଦାମ ମଧ୍ୟ ୧ ହଜାର ଟଙ୍କାରୁ ଉପରେ ରହିଛି । ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ବିରୋଧୀ ମୁଖ୍ୟ ନିର୍ବାଚନ ଅସ୍ତ୍ର କରି ବିଜେପିକୁ ଘେରିବେ ।
ଉପରୋକ୍ତ ସବୁ ଆହ୍ୱାନ ବିଜେପି ନେତୃବୃନ୍ଦଙ୍କୁ ବିବ୍ରତ କରିବ ନିଶ୍ଚୟ । ବିଜେପି ଏସବୁ ଆହ୍ୱାନର ସଫଳ ମୁକାବିଲା କରିବାରେ ସଫଳ ହୋଇପାରୁଛି ନା ବିରୋଧୀଙ୍କୁ ଏଥର ଜନତା ଜନାର୍ଦ୍ଦନ ସୁଯୋଗ ଦେଉଛନ୍ତି, ତାହା ଜାଣିବା ପାଇଁ ମାର୍ଚ୍ଚ ୧୦ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିବ ।