ଏସିଆ କପ୍: ଶ୍ରୀଲଙ୍କାର ବିଜୟ ଧାରା ଭାଙ୍ଗି ଫାଇନାଲରେ ଭାରତ | News Room Odisha

ଏସିଆ କପ୍: ଶ୍ରୀଲଙ୍କାର ବିଜୟ ଧାରା ଭାଙ୍ଗି ଫାଇନାଲରେ ଭାରତ

କଲମ୍ବୋ: ଭାରତ ମଙ୍ଗଳବାର ଏହାର ଦ୍ୱିତୀୟ ସୁପର-୪ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଏସିଆ କପର ଫାଇନାଲରେ ପ୍ରବେଶ କରିଛି । ଭାରତ ମଧ୍ୟ ଏହି ଫର୍ମାଟରେ ଶ୍ରୀଲଙ୍କାର ଲଗାତାର ୧୩ ମ୍ୟାଚ୍ ବିଜୟ ଧାରା ଭାଙ୍ଗିଦେଇଛି ।

ଆର୍ ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୪୯.୧ ଓଭରରେ ୨୧୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ସ୍ପିନରେ କୁଲଦୀପ ଯାଦବ ପୁଣି ସଫଳ ବୋଲର‌ ସାବ୍ୟସ୍ତ ହୋଇଥିଲେ । ପାକିସ୍ତାନ ବିପକ୍ଷରେ ୫ ଓ୍ବିକେଟ୍ ନେଇଥିବା କୁଲଦୀପ ଏହି ମ୍ୟାଚରେ ମଧ୍ୟ ୪ଟି ଓ୍ବିକେଟ୍ ହାସଲ କରିଥିଲେ ‌ । ବୁମରା ଓ ଜାଡେଜା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲେ ମଧ୍ୟ ପରେ ଶ୍ରୀଲଙ୍କା ସ୍ପିନରଙ୍କ ଆଗରେ ସଂଘର୍ଷ କରି ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ପୂର୍ବକ ସର୍ବାଧିକ ୫୩ ରନ୍ କରିଥିବା ବେଳେ କେଏଲ୍ ରାହୁଲ ୩୯, ଇଶାନ କିଶନ ୩୩ ଓ ଅକ୍ଷର ପଟେଲ ୨୬ ରନ୍ କରିଥିଲେ । ଶ୍ରୀଲଙ୍କା ତରଫରୁ ସ୍ପିନରମାନେ ହିଁ ୧୦ଟି ଯାକ ୱିକେଟ୍ ନେଇଥିଲେ । ପକ୍ଷରୁ ଯୁବ ସ୍ପିନର ଦୁନିତ ୱେଲାଲେଗା କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ସହ ୫ଟି ଓ୍ବିକେଟ୍ ନେଇଥିବା ବେଳେ ଚରିତ ଅସଲଙ୍କା ୪ ୱିକେଟ ଓ ମହୀଶ ତୀକ୍ଷାନା ଗୋଟିଏ ୱିକେଟ ପାଇଥିଲେ ।