କେକେଆରକୁ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ଚତୁର୍ଥ ଥର ଆଇପିଏଲ୍ ଚାମ୍ପିୟନ୍ | News Room Odisha

କେକେଆରକୁ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ଚତୁର୍ଥ ଥର ଆଇପିଏଲ୍ ଚାମ୍ପିୟନ୍

ଦୁବାଇ: ତିନି ବର୍ଷ ପରେ ଚେନ୍ନାଇ ସୁପରକିଙ୍ଗ୍ସ ପୁଣି ଆଇପିଏଲ୍ ଚାମ୍ପିୟନ ହୋଇଛି । ଆଜି ଅନୁଷ୍ଠିତ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୨୭ ରନରେ ହରାଇ ଚେନ୍ନାଇ ଚତୁର୍ଥ ଥର ପାଇଁ ଟାଇଟଲ୍ ଜିତିଛି । ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ୩୦୦ତମ ଟି୨୦ ମ୍ୟାଚରେ ଚେନ୍ନାଇ ଏହି ସଫଳତା ହାସଲ କରିଛି । ଗତ ଥର ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିବା ଚେନ୍ନାଇ ଏଥର ବିଜେତା ଭାବେ ଅଭିଯାନ ଶେଷ କରିଛି ।

ଫାଇନାଲରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ୍ ହରାଇ ୧୯୨ ରନ୍ କରିଥିଲା । ଏହାର ଜବାବରେ ‌କେକେଆର୍ ୯ ଓ୍ବିକେଟ୍ ହରାଇ କେବଳ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଦୁଇ ଓପନର୍ ଶୁଭମାନ ଗିଲ୍ (୫୧) ଓ ଭେଙ୍କଟେଶ ଆୟାର (୫୦) ଙ୍କୁ ଛାଡି ଦେଲେ ଅନ୍ୟମାନେ ଫେଲ୍ ମାରିଥିଲେ । ଚେନ୍ନାଇ ପକ୍ଷରୁ ଠାକୁର ୩ଟି ଓ୍ବିକେଟ୍ ନେଇଥିବାବେଳେ ହାଜଲଉଡ୍ ଓ ଜାଡେଜା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ପୂର୍ବରୁ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ କେକେଆର୍ ଟସ୍ ଜିତି ପ୍ରଥବେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି କିନ୍ତୁ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଚେନ୍ନାଇ ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ଓ ଋତୁରାଜ ଗାଏକ୍ୱାଡ୍ ଦଳକୁ ଦୃଢ଼ ଷ୍ଟାର୍ଟ ଦେଇଥିଲେ ।

ଦୁହେଁ ପ୍ରଥମ ୱିକେଟ ପାଇଁ ୬୧ ରନର ଭାଗିଦାରୀ କରିଥିଲେ। ଗାଏକ୍ୱାଡ୍ ୩୨ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସୁନୀଲ ନରିନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବିନ୍ ଉଥାପ୍ପା ପୁଣିଥରେ ଖେଳିଥିଲେ ଆକ୍ରମଣାତ୍ମକ ଇନିଂସ୍। ସେ ମାତ୍ର ୧୫ ବଲରେ ୩୧ ରନର (୩ ଛକା) ଧୂଆଁଧାର ଇନିଂସ୍ ଖେଳିଥିଲେ, ଯାହା ବଳରେ ଚେନ୍ନାଇର ରନ୍ ଗତି ବଢ଼ିଥିଲା। ଉଥାପ୍ପାଙ୍କୁ ମଧ୍ୟ ନରିନ୍ ନିଜର ଶିକାର ବନାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଡୁପ୍ଲେସିସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ।

ମୋଇନ୍ ଅଲୀ ମଧ୍ୟ ଠିକଣା ସମୟରେ କ୍ଲିକ୍ କରିଥିଲେ ଏବଂ ଖେଳିଥିଲେ ବିସ୍ଫୋରକ ଇନିଂସ୍। ଡୁପ୍ଲେସିସ୍ ଓ ମୋଇନ୍ ମିଶି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। ଡୁପ୍ଲେସିସ୍ ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ। ସେ ୫୯ ବଲରେ ୭ ଚୌକା ଓ ୩ ଛକା ସହ ୮୬ ଓ ମୋଇନ୍ ୨୦ ବଲରେ ୨ ଚୌକା ଓ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ନରିନ୍ ୨ଟି ଓ ଶିବମ ମାଭି ଗୋଟିଏ ୱିକେଟ୍ ନେଇଥିଲେ।

IPL 2021