ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ | News Room Odisha

ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର – ନିର୍ବାଚନ ଫଳାଫଳ ଘୋଷଣାର ୮ ଦିନ ପରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ସ୍ଥିର କରିଛି ବିଜେପି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ବିଷ୍ଣୁଦେଓ ସାଏ ହେବ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଜଣେ ଟାଣୁଆ ଆଦିବାସୀ ନେତା ଭାବେ ପରିଚିତ ବିଷ୍ଣୁଦେଓ ସାଏ ଆଜି ରାୟପୁରରେ ବସିଥିବା ବିଜେପି ବିଧାୟକ ଦଳର ନୂଆ ନେତା ନିର୍ବାଚିତ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ବିଧାୟକ ଦଳ ନେତା ଭାବେ ବିଷ୍ଣୁଦେଓ ସାଏଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହାକୁ ରାଜ୍ୟ ବିଜେପି ସଭାପତି ଓ ଅନ୍ୟମାନେ ସମର୍ଥନ କରିଥିଲେ । ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିଥିଲା । ୫୯ ବର୍ଷିୟ ବିଷ୍ଣୁଦେଓ ସାଏ ଏଥର କୁଙ୍କୁରୀ ସଂରକ୍ଷିତ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଘନିଷ୍ଠ କୁହାଯାଉଥିବା ବିଷ୍ଣୁଦେଓ ସାଏ ଦୁଇ ଥର ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୪ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିଲେ ବିଷ୍ଣୁଦେଓ ସାଏ ।