ରାଜପୁତ କର୍ଣ୍ଣି ସେନା ମୁଖ୍ୟଙ୍କ ହତ୍ୟା ମାମଲାରେ ତିନି ଗିରଫ | News Room Odisha

ରାଜପୁତ କର୍ଣ୍ଣି ସେନା ମୁଖ୍ୟଙ୍କ ହତ୍ୟା ମାମଲାରେ ତିନି ଗିରଫ

ନୂଆଦିଲ୍ଲୀ/ଜୟପୁର: ରାଜପୁତ କର୍ଣ୍ଣି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡି ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦୁଇଜଣ ସୁଟର ଅଛନ୍ତି |

ଦିଲ୍ଲୀ ଏବଂ ରାଜସ୍ଥାନ ପୋଲିସର ମିଳିତ ଅପରେସନରେ ଶନିବାର ରାତିରେ ଚଣ୍ଡିଗଡ଼ରୁ ଦୁଇ ଜଣ ସୁଟର ରୋହିତ ରାଠୋର ଏବଂ ନିତିନ ଫୌଜିଙ୍କୁ ଗିରଫ କରାଯାଇଥିଲା।

ସେମାନଙ୍କ ଅନ୍ୟ ଜଣେ ସହଯୋଗୀ ଉଧମ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଥିବା ପୋଲିସ କହିଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରିଛି।

ସୁଖଦେବ ସିଂହ ଗୋଗାମେଡି ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଚଣ୍ଡିଗଡ଼ ସେକ୍ଟର ୨୨ରୁ ଗିରଫ କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଉଭୟଙ୍କୁ ଜୟପୁରକୁ ଅଣାଯାଇଛି।

ଶନିବାର ଏହି ମାମଲାରେ ରାଜସ୍ଥାନ ପୋଲିସ ପ୍ରଥମ ଗିରଫ କରିଥିଲା। ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଯୋସେଫଙ୍କ କହିବାନୁସାରେ, ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ୨୩ ବର୍ଷୀୟ ଅଭିଯୁକ୍ତ ରାମବୀରଙ୍କୁ ଗିରଫ କରାଯାଇଥିଲା।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ରାମବୀର ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାର ସତାନାଲି ଅଞ୍ଚଳ ବାସିନ୍ଦା। ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା ପାଇଁ ରାମବୀର ଦୁଇ ସୁଟର ନିତିନ ଫୌଜି ଏବଂ ରୋହିତ ରାଠୋରଙ୍କୁ ଜୟପୁର ପଠାଇଥିଲେ । ଗିରଫ ରାମବୀର ଏବଂ ନିତିନ ଫୌଜି ଘନିଷ୍ଠ ସାଙ୍ଗ ଏବଂ ଉଭୟଙ୍କ ଗାଁ ମଧ୍ୟ ପାଖାପାଖି । ଦୁହେଁ ଏକାଠି ଦ୍ୱାଦଶ ଶ୍ରେଣୀ ଯାଏଁ ପଢିଥିଲେ।

ଗତ ମଙ୍ଗଳବାର ଅପରାହ୍ନରେ ଜୟପୁରରେ ରାଜପୁତ କର୍ଣ୍ଣି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କୁ ଭେଟିବା ବାହାନାରେ ଶ୍ୟାମ ନଗର ଅଞ୍ଚଳରେ ଥିବା ତାଙ୍କ ଘରକୁ ଆସିଥିବା ତିନିଜଣ ଆକ୍ରମଣକାରୀ ସୁଖଦେବଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ସୁଖଦେବଙ୍କ ଅଙ୍ଗରକ୍ଷୀଙ୍କ ପାଲଟା ଗୁଳିମାଡ଼ରେ ଜଣେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ହୋଇଥିଲା । ସିସିଟିଭିରେ କଏଦ ହୋଇଥିଲା ଏହି ହତ୍ୟାକାଣ୍ଡର ଦୃଶ୍ୟ।

ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁରୁତର ଅବସ୍ଥାରେ ମାନସରୋବରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।