ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ମୁଖ୍ୟ ଶାସନ ସଚିବ  | News Room Odisha

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ମୁଖ୍ୟ ଶାସନ ସଚିବ 

ଭୁବନେଶ୍ବର – ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାରର ସହଯୋଗ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାକହିଛନ୍ତି। ଅଲିଭ୍‌ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ସଂପର୍କରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଅଲିଭ୍‌ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଓଡ଼ିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ନଦୀତଟକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି। କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏଦିଗରେ ଆବଶ୍ୟକ ସହଯୋଗ ଦିଆଯାଉଛି।

ଚଳିତ ବର୍ଷ ମାର୍ଚ୍ଚ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗହୀରମଥା ଉପକୂଳରେ ଅଣ୍ଡା ଦେବା ପାଇଁ ୫.୧୨ ଲକ୍ଷରୁ ଅଧିକ କଇଁଛ ଓ ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଋଷିକୂଲ୍ୟାଠାରେ ୬.୩୭ ଲକ୍ଷ କଇଁଛ ଆସିଥିଲେ। ଏହିପରି ଉଭୟ ଗହୀରମଥା ଓ ଋଷିକୂଲ୍ୟାରେ ୧୧ ଲକ୍ଷ ୪୯ ହଜାର ଅଲିଭ୍‌ ରିଡଲେ କଇଁଛଙ୍କର ସମୂହ ଅଣ୍ଡାଦାନ ହୋଇଥିଲା। ସମୂହ ଅଣ୍ଡାଦାନ ପରେ ଅଣ୍ଡାର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଘେରି କରାଯାଇ ବରାବର କଡ଼ା ନଜର ରଖାଯାଇଥିଲା।