ଧୀରେ ଧୀରେ ସ୍ୱାଭାବିକ ହେଉଛି ଅର୍ଥନୀତି, ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ | News Room Odisha

ଧୀରେ ଧୀରେ ସ୍ୱାଭାବିକ ହେଉଛି ଅର୍ଥନୀତି, ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ଅର୍ଥନୀତି ଏବେ ସ୍ୱାଭାବିକ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୋଭିଡ ମୁକାବିଲା ବୈଠକରେ ଏ କଥା କୁହାଯାଇଛି । ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସବୁ ବିଭାଗର ଜୀବିକା ସୃଷ୍ଟି କାର୍ଯ୍ୟକ୍ରମଗୁଡିକ ଜୋରଦାର କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ଶିଳ୍ପ , କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଥିଲା ।

ବୈଠକରୁ ଜଣାପଡିଛି ଯେ, ରାଜ୍ୟରେ କୃଷି, ଶିଳ୍ପ,ଏମଏସଏମଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର୍ଯ୍ୟକ୍ରମ ସ୍ୱାଭାବିକ ହୋଇଆସୁଛି । ଅଗଷ୍ଟ ସେପଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାର ଆସିଛି । କୃଷି କ୍ଷେତ୍ରରେ ଚଳିତବର୍ଷ ଖରିଫରେ ୫୫ ଦଶମିକ ୫୨ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି,ଯାହା କି ଗତବର୍ଷଠାରୁ ୫ ପ୍ରତିଶତ ଅଧିକ । ଚଳିତ ବର୍ଷ୯୯୬୫ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି,ଯାହା କି ଗତବର୍ଷଠାରୁ ଅଧିକ । ଇସ୍ପାତ ଓ ଖଣି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଥିବା କହିଛନ୍ତି ସରକାର । ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୭ ହଜାର ୫୧୪ କୋଟି ଟଙ୍କାର ୨୦୦ଟି ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି । ଏଥିରେ ୧୩ ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି ।

ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତ ଯାଏଁ ବୃଦ୍ଧି ପାଇସାରିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏମଏସଏମଇ କ୍ଷେତ୍ରରେ ସେପଟେମ୍ବର ସୁଦ୍ଧା ଦେଢଲକ୍ଷରୁ ଅଧିକ ୟୁନିଟକୁ ପାଖାପାଖି ୩ ହଜାର କୋଟିର ଋଣ ପ୍ରଦାନ କରାଯିବ । ଶିଳ୍ପ ଓ ଏମଏସଏମଇ ସଂସ୍ଥାଗୁଡିକ ଯେପରି ସୁବିଧାରେ କାର୍ଯ୍ୟ କରିପାରିବେ , ସେଥିପାଇଁ ଜିଏସଟି ରିଇମ୍ବର୍ସମେଂଟ ପ୍ରକ୍ରିୟାକୁ ସଂପୂଣ୍ଣ ର୍ ସ୍ୱଚ୍ଛ ଓ ସହଜ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

#odishaeconomy