ରେଳମନ୍ତ୍ରୀଙ୍କ ସୂଚନା: ଟ୍ରେନ୍ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି, ଦୋଷୀ ଚିହ୍ନଟ ହୋଇଛନ୍ତି | News Room Odisha

ରେଳମନ୍ତ୍ରୀଙ୍କ ସୂଚନା: ଟ୍ରେନ୍ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି, ଦୋଷୀ ଚିହ୍ନଟ ହୋଇଛନ୍ତି

ବାଲେଶ୍ବର: ବାହାନଗା ନିକଟରେ ଘଟିଥିବା ଟ୍ରିପଲ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି ଓ ଦୁର୍ଘଟଣାର ମୁଖ୍ୟ କାରଣ ଜଣାପଡ଼ିଛି । ଘଟଣାସ୍ଥଳରେ ଟ୍ରାକ୍ ମରାମତି କାର୍ଯ୍ୟ ତଦାରଖ କରୁଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ବୈଷ୍ଣବ କହିଛନ୍ତି ଯେ, ରେଳ ସୁରକ୍ଷା କମିଶନର ଏହି ଘଟଣାର ତଦନ୍ତ କରିଛନ୍ତି। ସେ ଯଥାଶୀଘ୍ର ତାଙ୍କ ବିସ୍ତୃତ ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହି ରିପୋର୍ଟ ଆସିବା ପରେ ସବୁ ଜଣା ପଡ଼ିବ । କିନ୍ତୁ ଏଭଳି ଭୟଙ୍କର ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି। ଏଥିପାଇଁ ଦୋଷୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।

ଗୋଟିଏ ଟ୍ରାକର ମରାମତି ରାତାରାତି ଶେଷ ହୋଇଛି। ବର୍ତ୍ତମାନ ଓଭରହେଡ୍ ତାରଗୁଡ଼ିକର କାମ ଚାଲିଛି । ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ କିପରି ସ୍ବାଭାବିକ ହେବ ତାହା ଆମର ପ୍ରାଥମିକତା ବୋଲି ବୈଷ୍ଣବ କହିଛନ୍ତି ।

ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବାଞ୍ଚଳ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ କୁମାର କହିଛନ୍ତି ଯେ ଓଲଟି ପଡ଼ିଥିବା ବଗିଗୁଡ଼ିକୁ ଧାରଣାରୁ ହଟାଇ ଦିଆଯାଇଛି । ଗୋଟିଏ ପାର୍ଶ୍ୱରୁ ଟ୍ରାକ୍ କନେକ୍ଟିଂ କାର୍ଯ୍ୟ ଚାଲିଛି।

ଶୁକ୍ରବାର ରାତିରେ ଘଟିଥିବା ଏହି ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ତିନି ଦଶନ୍ଧିରେ ଏହା ଦେଶର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ।

ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଅନୁଯାୟୀ ହାଓ୍ବଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସକୁ ଅପ୍ ଲାଇନରେ ଯିବାକୁ ପ୍ରଥମେ ଗ୍ରୀନ୍ ସିଗ୍ନାଲ ଦିଆଯାଇଥିଲା । ହେଲେ ପରେ ଏହାକୁ ହଟାଇ ଦିଆଯାଇଥିଲା । ସେତେବେଳେ ୧୩୦ କିଲୋମିଟର ବେଗରେ ଦୌଡ଼ୁଥିବା କରମଣ୍ଡଳ ଲୁପ୍ ଲାଇନରେ ପ୍ରବେଶ କରି ସେଠାରେ ଛିଡ଼ା ହୋଇଥିବା ମାଲ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଏହାର ୧୭ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ କିଛି କୋଚ୍ ଡାଉନ୍ ଲାଇନରେ ଛିଟିକି ହୋଇ ପଡ଼ିଥିଲା ‌। ଫଳରେ ସେତେବେଳେ ଡାଉନ୍ ଲାଇନ୍ ପଟେ ଆସୁଥିବା ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସର ଶେଷ ଭାଗ ସହ ତାହା ଧକ୍କା ହୋଇଥିଲା । ଯେଉଁ କାରଣରୁ ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସର ଶେଷ ଦୁଇଟି ବଗି ମଧ୍ୟ ଓଲଟି ପଡ଼ିଥିଲା ।‌