୩୮ ବର୍ଷ ତଳେ ଆଜିର ଦିନରେ ଭିଭ୍ ରିଚାର୍ଡସ ଖେଳିଥିଲେ ଅନ୍ତର୍ଜାତୀୟ ଦିନିକିଆ ଇତିହାସର ସର୍ବଶ୍ରେଷ୍ଠ ଇନିଂସ | News Room Odisha

୩୮ ବର୍ଷ ତଳେ ଆଜିର ଦିନରେ ଭିଭ୍ ରିଚାର୍ଡସ ଖେଳିଥିଲେ ଅନ୍ତର୍ଜାତୀୟ ଦିନିକିଆ ଇତିହାସର ସର୍ବଶ୍ରେଷ୍ଠ ଇନିଂସ

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ ରିଚାର୍ଡସ ନିଜ ଜାଜୁଲ୍ୟମାନ କ୍ୟାରିୟରରେ ଅନେକ ସ୍ମରଣୀୟ ପାଳି ଖେଳିଛନ୍ତି । ବ୍ୟାଟିଂ କ୍ରିଜରେ ତାଙ୍କ ଉପସ୍ଥିତି ବିପକ୍ଷ ଦଳ ଓ ସେମାନଙ୍କ ବୋଲରଙ୍କ ମନରେ ଭୟ ସଞ୍ଚାର କରୁଥିଲା । ଏପରି ଥିଲା ରିଚାର୍ଡସଙ୍କ ଖ୍ୟାତି । ଏହି ମହାନ ବ୍ୟାଟ୍ସମ୍ୟାନ୍ ୧୯୮୪ରେ ଠିକ୍ ଆଜିର ଦିନରେ (ମେ ୩୧) ଏହିପରି ଏକ ଅବିସ୍ମରଣୀୟ ଇନିଂସ ଖେଳିଥିଲେ । ଓଲ୍ଡଟ୍ରାଫୋର୍ଡରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ୧୮୯ ରନର ବିସ୍ଫୋରକ ଇନିଂସକୁ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଇନିଂସ୍ ଭାବେ ବିବେଚିତ କରାଯାଏ।

୧୯୮୪ରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ତିନୋଟି ଦିନିକିଆ ଓ ପାଞ୍ଚଟି ଟେଷ୍ଟ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଥିଲା । ଦିନିକିଆ ସିରିଜକୁ ଆରମ୍ଭ ହୋଇଥିଲା ଏହି ଗସ୍ତ । ୧୯୮୪ର ମେ ୩୧ରେ ଓଲ୍ଡଟ୍ରାଫୋର୍ଡରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ୍ ଅଧିନାୟକ କ୍ଲାଇଭ୍ ଲଏଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏକଦା ୧୬୬ ରନରେ ୯ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ରିଚାର୍ଡସ୍ ବିସ୍ଫୋରକ ତଥା ଅପରାଜିତ ୧୮୯ ରନର ଇନିଂସ୍ ସହ ମ୍ୟାଚର ମୋଡ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ । ତାଙ୍କର ଏହି ଇନିଂସ୍ ପାଇଁ ରିଚାର୍ଡସ ୧୭୦ ବଲ୍ ଖେଳିଥିବା ବେଳେ ୨୧ଟି ଚୌକା ଓ ୫ଟି ଛକା ମାରିଥିଲେ । ରିଚାର୍ଡଙ୍କ ଏହି ଅବିଶ୍ବସନୀୟ ପାଳି ବଳରେ ଓ୍ବେଷ୍ଟଇଣ୍ଡିଜ୍ ୧୬୬/୯ ରୁ ନିର୍ଦ୍ଧାରିତ ୫୫ ଓଭରରେ ୨୭୨/୯ ରନ୍ କରିଥିଲା । ରିଚାର୍ଡସ୍ ଦଶମ ଓ୍ବିକେଟ୍ ପାଇଁ ସାଥୀ ଖେଳାଳି ମାଇକଲ୍ ହୋଲ୍ଡିଂ ସହ ୧୦୬ ରନର ଅପରାଜିତ ଭାଗିଦାରୀ କରିଥିଲେ। ଏଥିମଧ୍ୟରୁ ରିଚାର୍ଡଙ୍କ ଅବଦାନ ଥିଲା ୯୩ ରନ୍ ।

କିଙ୍ଗ୍ ରିଚାର୍ଡସଙ୍କ ଏହି ଅବିସ୍ମରଣୀୟ ଇନିଂସ ସହାୟତାରେ ଉକ୍ତ ଦିନିକିଆରେ ଇଂଲଣ୍ଡକୁ ୧୦୪ ରନରେ ହରାଇଥିଲା ଓ୍ବେଷ୍ଟଇଣ୍ଡିଜ୍। କ୍ଲାଇଭ ଲୟଡଙ୍କ ଦଳ ତିନି ଟିକିଆ ସିରିଜକୁ ମଧ୍ୟ ୨-୧ରେ ଜିତି ନେଇଥିଲା ।