କଂଗ୍ରେସ ସଭାପତି ପଦ ପାଇଁ ଖଡଗେ-ଥରୁର ମୁକାବିଲା, କେଏନ୍ ତ୍ରିପାଠୀଙ୍କ ନାମାଙ୍କନ ପତ୍ର ଖାରଜ | News Room Odisha

କଂଗ୍ରେସ ସଭାପତି ପଦ ପାଇଁ ଖଡଗେ-ଥରୁର ମୁକାବିଲା, କେଏନ୍ ତ୍ରିପାଠୀଙ୍କ ନାମାଙ୍କନ ପତ୍ର ଖାରଜ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀଙ୍କ ନାମାଙ୍କନ ପତ୍ର ଶନିବାର ଖାରଜ ହୋଇଯାଇଛି । ଫଳରେ ଏବେ ଏହି ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେବ ।

ଏହି ତିନି ନେତା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେପ୍ଟେମ୍ବର ୩୦ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା |

କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ନାମାଙ୍କନ ପ୍ରକ୍ରିୟା ସମୟରେ ମୋଟ ୨୦ଟି ଫର୍ମ ଗ୍ରହଣ କରାଯାଇଥିଲା ଏବଂ ସେଥିରୁ ଚାରିଟି ଖାରଜ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖଡଗେ ୧୪ଟି ଫର୍ମ ପୂରଣ କରିଥିବାବେଳେ ଥରୁର ପାଞ୍ଚଟି ଏବଂ ତ୍ରିପାଠୀ ଗୋଟିଏ ଫର୍ମ ପୂରଣ କରିଥିଲେ।

ମିସ୍ତ୍ରୀ କହିଛନ୍ତି କହିଛନ୍ତି ଯେ ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ଖାରଜ କରାଯାଇଛି । କାରଣ ତାଙ୍କର ଜଣେ ପ୍ରସ୍ତାବକଙ୍କ ଦସ୍ତଖତ ମେଳ ଖାଉ ନ ଥିଲା ଏବଂ ଅନ୍ୟ ଜଣେ ପ୍ରସ୍ତାବକ ଦୁଇଥର ଦସ୍ତଖତ କରିଥିଲେ ।

କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଅକ୍ଟୋବର ୧୭ରେ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ।