ବିରୋଧୀଙ୍କ ମେଣ୍ଟର ନାମ 'ଇଣ୍ଡିଆ' | News Room Odisha

ବିରୋଧୀଙ୍କ ମେଣ୍ଟର ନାମ ‘ଇଣ୍ଡିଆ’

ବାଙ୍ଗାଲୋର: ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ କଡ଼ା ଟକ୍କର ଦେବା ପାଇଁ ୨୬ ବିରୋଧୀ ଦଳ ଅଣ୍ଟା ଭିଡିଛନ୍ତି । ବେଙ୍ଗାଳୁରୁ ଠାରେ ଅନୁଷ୍ଠିତ ବିରୋଧୀଙ୍କ ବୈଠକର ଦ୍ବିତୀୟ ତଥା ଅନ୍ତିମ ଦିବସରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ମେଣ୍ଟର ନାମ ଘୋଷଣା କରିଛନ୍ତି । ବିରୋଧୀଙ୍କ ମେଣ୍ଟକୁ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁଜିଭ୍ ଆଲାଏନ୍ସ’ (ଇଣ୍ଡିଆ) ନାମରେ ନାମିତ କରାଯାଇଛି । ସମସ୍ତେ ଗୋଟିଏ ସ୍ୱରରେ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବୋଲି ଖଡ଼ଗେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହାଛଡ଼ା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିରୋଧୀ ମେଣ୍ଟର ୧୧ ଜଣ ସଦସ୍ୟଙ୍କୁ ଏକ ସମନ୍ୱୟ କମିଟି ଗଠନ ହେବ । ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ପରବର୍ବତ୍ତୀ ବୈଠକରେ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀରେ ଏକ ସାଧାରଣ ସଚିବାଳୟ ଗଠନ କରାଯିବ ବୋଲି ଖଡ଼ଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଦେଶ ତଥା ଦେଶର ଲୋକଙ୍କୁ ବଞ୍ଚାଇବା ଆମର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ଆମେ ଆମର ମତଭେଦ ପଛରେ ରଖିବାକୁ ନିଷ୍ପତ୍ତି ନେଇଛୁ |

ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ଦଳର ବୈଠକରେ ଯୋଗ ଦେଇଥିବା ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟକୁ ପ୍ରଶଂସା କରି ୨୦୨୪ରେ ସେମାନଙ୍କ ସାମ୍ନା କରିବାକୁ ବିଜେପିକୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ, ‘ଏନଡିଏ, ଆପଣ ‘ଇଣ୍ଡିଆ’କୁ ଚ୍ୟାଲେଞ୍ଜ କରିପାରିବେ କି?’

ଅପରପକ୍ଷରେ ଏହି ବୈଠକରେ ଯୋଗ ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଆଜି ଏହା ଆମର ଦ୍ୱିତୀୟ ସଫଳ ବୈଠକ ଥିଲା। ଦେଶ ଆମର ପରିବାର ଏବଂ ଆମ ପରିବାରକୁ ବଞ୍ଚାଇବା ପାଇଁ ଆମେ ଏକାଠି ଲଢ଼ିବୁ। ଏହି ମେଣ୍ଟର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ।