ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, କାଶ୍ମୀର ପଣ୍ଡିତଙ୍କ ସମସ୍ୟା, ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି | News Room Odisha

ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, କାଶ୍ମୀର ପଣ୍ଡିତଙ୍କ ସମସ୍ୟା, ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି

ନୂଆଦିଲ୍ଲୀ: ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଆପ୍ ସମେତ ବିଭିନ୍ନ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ଗୃହ କିପରି ସୁରୁଖୁରୁରେ ଚାଲିବ, ଅଧିବେଶନ ସମୟରେ ବୈଧାନିକ କାର୍ଯ୍ୟ ଏବଂ ଏହା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସରକାରଙ୍କ ସମ୍ମୁଖରେ ବିରୋଧୀ ଅନେକ ପ୍ରସଙ୍ଗ ଉଠାଇଥିଲେ। କାଶ୍ମୀର ପଣ୍ଡିତ, ବେକାରୀ ଭଳି ପ୍ରସଙ୍ଗ ସେମାନେ ସଂସଦରେ ସରକାରଙ୍କୁ ଘେରିବେ ବୋଲି କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ଟିଏମସି ସାଂସଦ ଡେରେକ ଓ’ବ୍ରାଏନ୍ କହିଛନ୍ତି ଯେ ସଂସଦରେ ତାଙ୍କ ଦଳ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର, ଅର୍ଥନୈତିକ ମନ୍ଥରତା, ମୂଲ୍ୟ ବୃଦ୍ଧି, ନିର୍ବାଚନ କମିଶନରଙ୍କ ନିଯୁକ୍ତି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ। ଅନ୍ୟପକ୍ଷରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଭାରତରେ ଡହୁ ସମସ୍ୟା ରହିଛି। ବେକାରୀ ଏବଂ ମୁଦ୍ରାସ୍ଫୀତି ହେଉଛି ସବୁଠାରୁ ବଡ ପ୍ରସଙ୍ଗ | କଂଗ୍ରେସ ତରଫରୁ ଯେଉଁ ପ୍ରସଙ୍ଗ ଉଠାଯିବ ସେଥିରେ ନ୍ୟାୟପାଳିକା ସହ କେନ୍ଦ୍ର ସରକାରଙ୍କ ମୁହାଁମୁହିଁ ସ୍ଥିତି, ଭାରତ-ଚୀନ୍ ସୀମାରେ ବିବାଦ ଅନ୍ୟତମ। ସରକାର ଏହା ଉପରେ ବିତର୍କ କରିବାକୁ ରାଜି ହେବା ଉଚିତ ବୋଲି ସେ କହିଛନ୍ତି ।

ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ କାଶ୍ମୀରରେ ପଣ୍ଡିତମାନଙ୍କୁ ନିର୍ଯାତନାର ଶିକାର ହେଉଛନ୍ତି । ଏଥିପାଇଁ ସେମାନେ ସେଠାରୁ ପଳାୟନ କରୁଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ। ଏହା ସହିତ ଚାଷୀଙ୍କ ସର୍ବନିମ୍ନ ସମର୍ଥନ ମୂଲ୍ୟ ଅର୍ଥାତ୍ ଏମ୍ଏସପି ପ୍ରସଙ୍ଗ ମଧ୍ୟ ଉଠାଯିବ | ସଂଘୟ ବ୍ୟବସ୍ଥା ଉପରେ ଆକ୍ରମଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାଛଡ଼ା ସେ କହିଛନ୍ତି, ଖ୍ରୀଷ୍ଟମାସ ପର୍ବକୁ ଦୃଷ୍ଟିରେ ରଖି ସରକାର ଗୃହ କାର୍ଯ୍ୟର ସମୟ ଧାର୍ଯ୍ୟ କରିବା ଉଚିତ୍। ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ଏବଂ ଶୀତ ଅଧିବେଶନ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ | ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଖ୍ରୀଷ୍ଟମାସ ଛୁଟିଦିନକୁ ଏକ ପ୍ରସଙ୍ଗ କରିବା ଦୁର୍ଭାଗ୍ୟଜନକ। ୨୪ ଏବଂ ୨୫ ଛୁଟିଦିନ, ଆମେ ସମସ୍ତେ ଖ୍ରୀଷ୍ଟମାସ ପାଳନ କରିବୁ | ଏହାର ଅର୍ଥ ନୁହେଁ ଯେ କାର୍ଯ୍ୟ ବନ୍ଦ ହେବା ଉଚିତ୍ |