ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ପରେ ଉଠିଲା ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି, ଯାତ୍ରୀ ସୁରକ୍ଷା ପାଇଁ ସରକାର କିଛି କରୁନଥିବା ଅଭିଯୋଗ କଲେ ବିରୋଧୀ | News Room Odisha

ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ପରେ ଉଠିଲା ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି, ଯାତ୍ରୀ ସୁରକ୍ଷା ପାଇଁ ସରକାର କିଛି କରୁନଥିବା ଅଭିଯୋଗ କଲେ ବିରୋଧୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡିଶାର ବାଲେଶ୍ବରରେ ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସୂଚନା ମୁତାବକ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୩୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ରେଳ ଦୁର୍ଘଟଣାସ୍ଥଳ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଅନ୍ୟପକ୍ଷରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ବିରୋଧୀ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଓ ସିପିଆଇ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ସିପିଆଇ ସାଂସଦ ବିନୟ ବିଶ୍ୱମ କହିଛନ୍ତି ଯେ ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ।

ସେପଟେ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଏଭଳି ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ ଆଧୁନିକ ଉପକରଣ ସ୍ଥାପନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ବିରୋଧୀଦଳର ନେତାଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ ସଫ୍ଟୱେୟାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର କେବଳ ଗର୍ବ କରନ୍ତି।

ବାନାର୍ଜୀ କହିଛନ୍ତି, ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ତଥା ରାଜନୈତିକ ସମର୍ଥନ ହାସଲ କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବନ୍ଦେ ଭାରତ ଟ୍ରେନ୍ ଓ କିଛି ନବ ନିର୍ମିତ ଷ୍ଟେସନକୁ ନେଇ କେବଳ ଗର୍ବ କରୁଛନ୍ତି । ସରକାର ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କିଛି କରୁନାହାଁନ୍ତି। ଓଡ଼ିଶା ଟ୍ରେନ ଦୁର୍ଘଟଣା ପରେ ଯଦି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମାନ୍ୟମ ନୈତିକତା ବାକି ତେବେ ସେ ଇସ୍ତଫା ଦେବା ଉଚିତ। ”

ଅନ୍ୟପକ୍ଷରେ ସିପିଆଇ ସାଂସଦ ବିଶ୍ବମ ଅଭିଯଗ କରିଛନ୍ତି ଯେ ମୋଦୀ ସରକାର କେବଳ ବିଳାସପୂର୍ଣ୍ଣ ଟ୍ରେନ୍ ଉପରେ ଧ୍ୟାନ ଦେଉଛନ୍ତି। ସରକାରଙ୍କ ଧ୍ୟାନ କେବଳ ବିଳାସପୂର୍ଣ୍ଣ ଟ୍ରେନ୍ ଉପରେ ରହିଛି। ସାଧାରଣ ଲୋକଙ୍କ ଟ୍ରେନ୍ ଏବଂ ଟ୍ରାକ୍ ଅବହେଳିତ, ଓଡିଶାରେ ଟ୍ରେନ୍ ମୃତ୍ୟୁ ଏହାର ପରିଣାମ । ” ସେ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

କଂଗ୍ରେସ ସାଂସଦ ମଣିକାମ ଟାଗୋର ମଧ୍ୟ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ପରେ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମଣିକମ୍ ଟାଗୋର ଏକ ଟୁଇଟ୍ ମାଧ୍ୟମରେ ଏକ ପୁରୁଣା ଘଟଣା ସେୟାର କରି ଲେଖିଛନ୍ତି ଯେ ଆମ ଭାରତରେ ଏପରି ନେତା ଅଛନ୍ତି ଯେଉଁମାନେ ଦାୟିତ୍ବ ନେଉଥିଲେ । କିନ୍ତୁ ଆଜି ସେଭଳି ନେତା ନାହାଁନ୍ତି ।