ସରକାରଙ୍କ ବିରୋଧରେ ଫୋନ୍ ହ୍ୟାକିଂ ଅଭିଯୋଗ ଆଣିଲେ ବିରୋଧୀ, କହିଲେ ଆପଲ୍ ପଠାଇଛି ଆଲର୍ଟ ମେସେଜ୍ | News Room Odisha

ସରକାରଙ୍କ ବିରୋଧରେ ଫୋନ୍ ହ୍ୟାକିଂ ଅଭିଯୋଗ ଆଣିଲେ ବିରୋଧୀ, କହିଲେ ଆପଲ୍ ପଠାଇଛି ଆଲର୍ଟ ମେସେଜ୍

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମଇତ୍ର ଓ କଂଗ୍ରେସ ଏମପି ଶଶି ଥରୁରଙ୍କ ସହ କିଛି ବିରୋଧୀ ନେତାଙ୍କ ଫୋନ୍ ହ୍ୟାକିଂ ହେଉଥିବା ଅଭିଯୋଗ ହୋଇଛି । ଆଇଫୋନ୍ ନିର୍ମାତା ‘ଆପଲ୍’ ସେମାନଙ୍କ ନିକଟକୁ ଏପରି ଏକ ଆଲର୍ଟ ମେସେଜ୍ ପଠାଇଛି ବୋଲି ସେମାନେ ଦାବି କରିଛନ୍ତି ।

ପ୍ରଶ୍ନ ପାଇଁ ଲାଞ୍ଚ ବିବାଦରେ ଛନ୍ଦି ହୋଇଥିବା ଟିଏମସି ସାଂସଦ ମହୁଆ ମଇତ୍ର ଦାବି କରିଛନ୍ତି ଯେ ସରକାର ତାଙ୍କ ଫୋନ୍ ଓ ଇମେଲ୍ ହ୍ୟାକ୍ କରିବାକୁ ଉଦ୍ୟମ କରୁଛନ୍ତି। ଏନେଇ ଆପଲ୍ ତାଙ୍କୁ ଏକ ଆଲର୍ଟ ମେସେଜ୍ ପଠାଇଛି । ଟିଏମସି ସାଂସଦ ‘ଏକ୍ସ’ରେ ଏକ ପୋଷ୍ଟରେ ଦାବି କରିଛନ୍ତି, ମୁଁ ଆପଲରୁ ଏକ ଚେତାବନୀ ବାର୍ତ୍ତା ଓ ଇମେଲ ପାଇଛି । ସରକାର ମୋ ଫୋନ୍ ଓ ଇମେଲ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି । ସରକାରଙ୍କ ଏପରି ଭୟ ପାଇଁ ମୋତେ ଦୟା ଆସୁଛି।

ମହୁଆ ଲେଖିଛନ୍ତି, ତାଙ୍କ ବ୍ୟତୀତ ଆଉ କିଛି ନେତା ମଧ୍ୟ ଏଭଳି ଆଲର୍ଟ ମେସେଜ୍ ପାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହୁଆ ମଇତ୍ର‌ଙ୍କ ବ୍ୟତୀତ ଏସପି ମୁଖ୍ୟ ଅଖିଳେଶ ଯାଦବ, ଶିବସେନା (ୟୁବିଟି) ର ପ୍ରିୟଙ୍କା ଚତୁର୍ବେଦୀ, ଆପ୍ ସାଂସଦ ରାଘବ ଚଢ଼ା, ସିପିଆଇ (ଏମ୍) ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ସୀତାରାମ ୟେଚୁରୀ, ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସି, କଂଗ୍ରେସ ନେତା ତଥା ମୁଖପାତ୍ର ପଓ୍ବନ ଖେଡା, ୱାୟାର୍ ନ୍ୟୁଜ୍ ୱେବସାଇଟ୍ ପ୍ରତିଷ୍ଠାତା, କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଆପଲରୁ ଏଭଳି ସତର୍କ ସୂଚନା ପାଇଛନ୍ତି।

ଅକ୍ଟୋବର ୩୦ ରାତି ପ୍ରାୟ ୧୧:୪୫ ଏଭଳି ଚେତାବନୀ ମେସେଜ୍ ସେମାନଙ୍କ ମୋବାଇଲକୁ ଆସିଥିଲା । ଏହି ପ୍ରସଙ୍ଗରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଗୃହମନ୍ତ୍ରୀଙ୍କୁ କଟାକ୍ଷ କରି ଟ୍ୱିଟ୍ କରି କହିଛନ୍ତି, “ ଆଶ୍ଚର୍ଯ୍ୟ ! ଏହା(ହ୍ୟାକିଂ) କିଏ କରୁଛି? ଲଜ୍ଜାର ବିଷୟ” । କଂଗ୍ରେସ ନେତା ପୱନ ଖେଡା ଟ୍ୱିଟ କରି କହିଛନ୍ତି, “ପ୍ରିୟ ମୋଦୀ ସରକାର, ଆପଣ ଏହା କାହିଁକି କରୁଛନ୍ତି? ଏଆଇଏମ୍ଏମ ସାଂସଦ ଅସଦୁଦ୍ଦିନ ଓଓ୍ବେସି ମଧ୍ୟ ଟ୍ୱିଟ କରି ଆପଲରୁ ଏପରି ସତର୍କ ସୂଚନା ପାଇଥିବା କହିଛନ୍ତି ।

ବିରୋଧୀ ନେତାଙ୍କ ହ୍ୟାକିଂ ଅଭିଯୋଗକୁ ସରକାର ଖଣ୍ଡନ କରିଛନ୍ତି । ତେବେ ଏହି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କହିଛନ୍ତି ।

ବୈଷ୍ଣବ କହିଛନ୍ତି, କିଛି ମୋ’ର ସହକର୍ମୀ ମଧ୍ୟ ଆପଲ୍ ଆଲର୍ଟ ପାଇଛନ୍ତି । ଏଭଳି ପରିସ୍ଥିତିରେ ଆମେ ମାମଲାର ମୂଳକୁ ଯିବୁ। ବିରୋଧୀଙ୍କ ଅଭିଯୋଗ ଉପରେ ସେ କହିଛନ୍ତି, ଆମର କିଛି ସମାଲୋଚକ ଅଛନ୍ତି ଯେଉଁମାନେ ସର୍ବଦା ମିଛ ଅଭିଯୋଗ କରନ୍ତି। ସେମାନେ ଦେଶର ପ୍ରଗତି ଚାହୁଁ ନାହାଁନ୍ତି। ଆପଲ୍ ଏଭଳି ଆଡଭାଇଜରି ୧୫୦ଟି ଦେଶରେ ଜାରି କରିଛି।