ଦେଶରେ ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ | News Room Odisha

ଦେଶରେ ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ନିକଟରେ ଦେଶରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ତଥା ହେଟ୍ ସ୍ପିଚ୍ ଘଟଣା ନେଇ ବିରୋଧୀ ଦଳର ନେତାମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଶାନ୍ତି ଏବଂ ସଦଭାବ ରକ୍ଷା କରିବାକୁ ସେମାନେ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀଦଳର ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏକ ମିଳିତ ବିବୃତ୍ତିରେ ୧୩ ବିରୋଧୀ ଦଳର ନେତା କହିଛନ୍ତି ଯେ ଶାସକ ଦଳ ଖାଦ୍ୟ, ପୋଷାକ, ବିଶ୍ୱାସ, ପର୍ବପର୍ବାଣୀ ଏବଂ ଭାଷା ଭଳି ପ୍ରସଙ୍ଗର ଧ୍ରୁବୀକରଣ କରୁଛି ଏବଂ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ୧୩ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି ।

ଦେଶରେ ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ବିରୋଧୀ ଦଳ ନେତାମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିରବତା ଏହା ପ୍ରମାଣିତ କରୁଛି ଯେ ଏହିପରି ଭଡାଟିଆ ସଶସ୍ତ୍ର ଦଙ୍ଗାକାରୀଙ୍କୁ ସରକାରୀ ପୃଷ୍ଠପୋଷକତା ମିଳୁଛି। ଏକଜୁଟ ହୋଇ ସାମାଜିକ ସୌହାର୍ଦ୍ଦ୍ୟକୁ ମଜବୁତ କରିବା ପାଇଁ ସେମାନେ ସଂକଳ୍ପବଦ୍ଧ ବୋଲି ବିରୋଧୀ ଦଳର ନେତାମାନେ କହିଛନ୍ତି ।
ଶାନ୍ତି ବଜାୟ ରଖିବା ପାଇଁ ଆମେ ସମସ୍ତ ବର୍ଗର ଲୋକଙ୍କୁ ନିବେଦନ କରୁଛୁ ଏବଂ ସାମ୍ପ୍ରଦାୟିକ ଧ୍ରୂବୀକରଣକୁ ବ୍ୟାପକ କରିବାକୁ ଚାହୁଁଥିବା ଏହିପରି ଲୋକଙ୍କ ଚକ୍ରାନ୍ତ ସଫଳ ହେବାକୁ ଦିଅନ୍ତୁ ନାହିଁ ବୋଲି ବିରୋଧୀ ଦଳ ନେତା ଦେଶବାସୀଙ୍କୁ ଅପିଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୦ ରାମ ନବମୀ ଅବସରରେ ଦେଶର କେତେକ ଅ ଅଞ୍ଚଳରୁ ସାମ୍ପ୍ରଦାୟିକ ହିଂସା ଖବର ସାମ୍ନାକୁ ଆସିଥିଲା।