ଲୋକସଭାରେ ସୁରକ୍ଷା ତ୍ରୁଟି ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ, ଗୃହମନ୍ତ୍ରୀଙ୍କ ଠାରୁ ଜବାବ ଲୋଡ଼ିଲେ | News Room Odisha

ଲୋକସଭାରେ ସୁରକ୍ଷା ତ୍ରୁଟି ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ, ଗୃହମନ୍ତ୍ରୀଙ୍କ ଠାରୁ ଜବାବ ଲୋଡ଼ିଲେ

ନୂଆଦିଲ୍ଲୀ: ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ଦୁଇ ଯୁବକ ପଶିବା ଘଟଣାରେ ବିରୋଧୀ ସାଂସଦ ସରକାରଙ୍କୁ ଘେରିଛନ୍ତି । ଏହି ଗମ୍ଭୀର ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ସାଂସଦ ।

ନୂଆ ସଂସଦ ଭବନରେ ସୁରକ୍ଷା ବ୍ୟବସ୍ଥା ଉପଯୁକ୍ତ ନୁହେଁ ବୋଲି ମଧ୍ୟ ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି‌। ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେମାନେ କହିଛନ୍ତି ।

ସଂସଦ ଉପରେ ୨୦୦୧ ଆତଙ୍କବାଦୀ ଆକ୍ରମଣର ୨୨ତମ ବାର୍ଷିକୀରେ ବୁଧବାର ଲୋକସଭା ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଘଟିଥିଲା । ଲୋକସଭାରେ ପ୍ରଶ୍ନ କାଳ ଚାଲିଥିବା ସମୟରେ ଦୁଇ ଜଣ ଲୋକ ହଠାତ୍ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁପଡିଥିଲେ । କିଛି ସାଂସଦଙ୍କ ହଁ ସେମାନଙ୍କୁ କାବୁ କରିବା ପୂର୍ବରୁ ଦୁଇ ଯୁବକ ଜୋତାରେ ଲୁଚାଇ ଆଣିଥିବା ଗ୍ୟାସ୍ କ୍ୟାନରୁ ହଳଦିଆ ଧୂଆଁ ଛାଡିଥିଲେ । ସେମାନେ ‘ତାନାଶାହୀ ନହିଁ ଚଲେଗି (ଏକଛତ୍ରବାଦ ଚଳିବନି)’ ସ୍ଲୋଗାନ ଦେଇଥିଲେ। ସେହି ସମୟରେ ସଂସଦ ବାହାରେ ମଧ୍ୟ ଜଣେ ପୁରୁଷ ଏବଂ ଜଣେ ମହିଳା “ତାନାସାହି ନହିଁ ଚଲେଗି” ସ୍ଲୋଗାନ ଦେଉଥିବା ବେଳେ ରଙ୍ଗୀନ ଗ୍ୟାସ୍ ସ୍ପ୍ରେ କରିଥିଲେ।

ଏହି ଘଟଣାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ ସହ ଗୁଇନ୍ଦା ବିଭାଗ ଏହି ଘଟଣାର ତଦନ୍ତ କରୁଛି। ଲୋକସଭା ଭିତରେ ପଶିଥିବା ଯୁବକଙ୍କୁ ମହୀଶୂରର ବିଜେପି ସାଂସଦ ପାସ୍ ଦେଇଥିଲେ ବୋଲି ଜଣାପଡିଛି ।