ଯଶଓ୍ବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ | News Room Odisha

ଯଶଓ୍ବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଯଶଓ୍ବନ୍ତ ସିହ୍ନା ବିରୋଧୀ ଦଳଙ୍କ ମିଳିତ ପ୍ରାର୍ଥୀ ହୋଇଛନ୍ତି । ଏନସିପି ନେତା ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳଙ୍କ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଯଶଓ୍ବନ୍ତ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ୍ ୨୭ରେ ଯଶଓ୍ବନ୍ତ ସିହ୍ନା ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।

ଏହାପୂର୍ବରୁ ବିରୋଧୀଦଳର ତିନି ଜଣ ସମ୍ଭାବ୍ୟ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ । ଶରଦ ପାୱାରଙ୍କ ସହ ଫାରୁକ୍ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ଦୌଡ଼ରୁ ଓହରି ଯାଇଥିଲେ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସମସ୍ତ ବିରୋଧୀ ଦଳ ଏକାଠି ନିଷ୍ପତ୍ତି ନେଇଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନା ଆମର ପ୍ରାର୍ଥୀ ହେବେ। ଜୟରାମ ରମେଶ କହିଛନ୍ତି, ସିହ୍ନା ଜଣେ ଯୋଗ୍ୟ ପ୍ରାର୍ଥୀ। ସେ ଭାରତର ଧର୍ମନିରପେକ୍ଷତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ କରନ୍ତି। ଏହାଛଡ଼ା ଜୟରାମ କହିଛନ୍ତି, ଆମେ ଦୁଃଖିତ ଯେ ରାଷ୍ଟ୍ରପତି ପ୍ରାର୍ଥୀ ଉପରେ ସହମତି ସୃଷ୍ଟି କରିବାରେ ମୋଦି ସରକାର ବିରୋଧୀଙ୍କ ସହ ଆଲୋଚନା କଲେ ନାହିଁ |

ବିରୋଧୀ ଦଳର ଆଜିର ବୈଠକ ପୂର୍ବରୁ ଯଶଓ୍ବନ୍ତ ସିହ୍ନା ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ଟ୍ବିଟ୍ କରି କହିଥିଲେ ଯେ ଏକ ବଡ଼ ଜାତୀୟ କାରଣ ପାଇଁ ଦଳରୁ ଦୂରେଇ ଯାଇ ବିରୋଧୀଙ୍କ ଏକତା ପାଇଁ କାମ କରିବାର ସମୟ ଆସିଛି। ତାଙ୍କର ଏହି ଟ୍ବିଟରୁ ସେ ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା ।