ସଂସଦରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବିରୋଧୀ ଦଳଙ୍କ ବର୍ଜନ, ବାଚସ୍ପତି କହିଲେ ଭଲ ପରମ୍ପରା ନୁହେଁ | News Room Odisha

ସଂସଦରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବିରୋଧୀ ଦଳଙ୍କ ବର୍ଜନ, ବାଚସ୍ପତି କହିଲେ ଭଲ ପରମ୍ପରା ନୁହେଁ

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ସଂସଦରେ ଆୟୋଜିତ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ବର୍ଜନ କରିଛନ୍ତି । ବିରୋଧୀ ଦଳଙ୍କ ଏଭଳି ଆଭିମୁଖ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗଣତାନ୍ତ୍ରିକ ସଂସ୍ଥା ଗୁଡ଼ିକରେ ମର୍ଯ୍ୟାଦାପୂର୍ଣ୍ଣ ଆଚରଣ କରିବା ଏବଂ ଦେଶ ତଥା ଦେଶର ସ୍ୱାର୍ଥରେ ମିଳିତ ଭାବେ କାର୍ଯ୍ୟ କରିବା ଲୋକ ପ୍ରତିନିଧୀଙ୍କ ଦାୟିତ୍ବ । ଏହାଦ୍ବାରା ଲୋକଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ଆସିପାରେ | ବାଚସ୍ପତି କହିଛନ୍ତି, ବିରୋଧୀ ଏହି କାର୍ଯ୍ୟକ୍ରମ ବର୍ଜନ କରିବା ନେଇ ମୁଁ ଆଶ୍ଚର୍ଯ୍ୟଚକିତ । ବିରୋଧୀ ଦଳ ଆସି ମୋ ସହ କଥା ହୋଇଥିଲେ ମୁଁ କିଛି ସମାଧାନର ରାସ୍ତା ବାହାର କରିଥା’ନ୍ତି। ସେ କହିଛନ୍ତି ଯେ ଏହା ପ୍ରଧାନମନ୍ତ୍ରୀ କିମ୍ବା ଦଳର ନୁହେଁ ବରଂ ସଂସଦର ଏକ କାର୍ଯ୍ୟକ୍ରମ। ଏହା ଏକ ଭଲ ପରମ୍ପରା ନୁହେଁ | ବିଜେପି ମଧ୍ୟ ବିରୋଧୀଙ୍କୁ ସମାଲୋଚନା କରି କହିଛି ଯେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବର୍ଜନ କରିବା ସମ୍ବିଧାନର ପ୍ରଣେତ ବିଆର୍. ଆମ୍ବେଦକରଙ୍କ ପ୍ରତି ଅପମାନ ।

କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ଏବଂ ମଲ୍ଲିକାର୍ଜୁନ ଖଡଗେ ପାଇଁ ବସିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଓମ୍ ବିର୍ଲା କହିଛନ୍ତି ଯେ ମୋର ଅଭିଯୋଗ ହେଉଛି, ଗଣମାଧ୍ୟମରେ ମନ୍ତବ୍ୟ ଦେବା ପୂର୍ବରୁ ମୋ ସହ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା। ସେ କହିଛନ୍ତି ଯେ କଂଗ୍ରେସ ଯେଉଁ ପ୍ରସଙ୍ଗ ଉଠାଇବାକୁ ଚାହୁଁଛି, ତାହା ନିୟମ ଅନୁଯାୟୀ ଉଠାଇ ପାରିବ।

ସମ୍ବିଧାନ ଦିବସରେ ପାର୍ଲାମେଣ୍ଟ ହାଉସର ସେଣ୍ଟ୍ରାଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସଂସଦରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ସହ ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ସିପିଆଇ, ସିପିଏମ୍, ଡିଏମକେ, ଅକାଲୀ, ଶିବସେନା, ଏନସିପି, ଟିଏମସି, ଆରଜେଡି, ଆରଏସପି, କେରଳ ଏମ.ୟୁ.ଏମ.ଏଲ ପ୍ରମୁଖ ଦଳ ଅନୁପସ୍ଥିତ ରହିଥିଲେ ‌।

ସୂଚନାଯୋଗ୍ୟ, ନଭେମ୍ବର ୧୪ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ସଂସଦରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଯୋଗ ଦେଇନଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୌଣସି କେନ୍ଦ୍ର ମନ୍ତ୍ରୀ ବି ଆସିନଥିଲେ ।