ଲୋକସଭା ନିର୍ବାଚନ ଏକାଠି ଲଢ଼ିବାକୁ ବିରୋଧୀ ଦଳଙ୍କ ବୈଠକରେ ସହମତି | News Room Odisha

ଲୋକସଭା ନିର୍ବାଚନ ଏକାଠି ଲଢ଼ିବାକୁ ବିରୋଧୀ ଦଳଙ୍କ ବୈଠକରେ ସହମତି

ପାଟନା: ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳଙ୍କ ବୈଠକ ଶେଷ ହୋଇଛି। ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ନୀତୀଶ କୁମାର କହିଛନ୍ତି ଯେ ସମସ୍ତ ଦଳ ନିଜର ମତ ରଖିଛନ୍ତି। ଏହା ଏକ ବେଶ୍ ଭଲ ବୈଠକ ଥିଲା | ଏକାଠି ଚାଲିବା ପାଇଁ ଆଲୋଚନା ହୋଇଛି। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ଖୁବ ଶୀଘ୍ର ଅନୁଷ୍ଠିତ ହେବ। ପରବର୍ତ୍ତୀ ବୈଠକ ଶିମଲାରେ ଅନୁଷ୍ଠିତ ହେବା ସମ୍ଭାବନା ରହିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ସମସ୍ତ ନେତା ଏକାଠି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ଶିମଲାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଏଜେଣ୍ଡାର ରୂପରେଖ ସ୍ଥିର କରାଯିବ । ଖୁବ ଶୀଘ୍ର ଏହି ବୈଠକ ଅନୁଷ୍ଠିତ ହେବ । ଆମକୁ ପ୍ରତି ରାଜ୍ୟରେ ପୃଥକ ଢଙ୍ଗରେ କାମ କରିବାକୁ ପଡିବ | ଆମକୁ ଏକାଠି ହୋଇ ୨୦୨୪ ଲଢ଼େଇ ଲଢ଼ିବାକୁ ପଡିବ ଏବଂ ବିଜେପିକୁ ହରାଇବାକୁ ପଡ଼ିବ | ଆମେ ଏଥିରେ ସଫଳ ହେବା ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଭାରତର ମୂଳଦୁଆ ଉପରେ ଆକ୍ରମଣ ହେଉଛି। ଆମେ ସମସ୍ତେ ଏକାଠି ଠିଆ ହେବା | ଆମର କିଛି ମତପାର୍ଥକ୍ୟ ଅଛି । କିନ୍ତୁ ଆମେ ଏକାଠି କାମ କରିବୁ ଏବଂ ଆମର ବିଚାରଧାରାକୁ ରକ୍ଷା କରିବୁ | ଆଜିର ଆଲୋଚନାକୁ ଆମେ ଆହୁରି ଗଭୀରତାକୁ ନେବୁ | ବିରୋଧୀଙ୍କ ଏକତା ଆଗକୁ ବଢ଼ିବ।

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ପାଟନାରେ ଏକ ବହୁତ ଭଲ ବୈଠକ ହୋଇଥିଲା। ଏଥିରେ ଶରଦ ପାୱାରଙ୍କ ପରି ସିନିୟର ନେତାମାନେ ଯୋଗ ଦେଇଥିଲେ ଓ ବଡ଼ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଦେଶର ଅନେକ ଆନ୍ଦୋଳନ ପ୍ରଥମେ ପାଟନାରୁ ଆରମ୍ଭ ହୋଇଥିଲା | ସେଥିପାଇଁ ମୁଁ ନୀତୀଶ ଜୀଙ୍କୁ ପାଟନାଠାରୁ ଏହି ସଭା ଆରମ୍ଭ କରିବାକୁ କହିଥିଲି। ଆମେ ଏକଜୁଟ ଅଛୁ ଓ ଏକାଠି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ।