ମଣିପୁର ପ୍ରସଙ୍ଗରେ ଯେକୌଣସି ନିୟମ ଅନୁଯାୟୀ ଆଲୋଚନା ପାଇଁ ବିରୋଧୀ ପ୍ରସ୍ତୁତ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ହେବ ବିବୃତ୍ତି | News Room Odisha

ମଣିପୁର ପ୍ରସଙ୍ଗରେ ଯେକୌଣସି ନିୟମ ଅନୁଯାୟୀ ଆଲୋଚନା ପାଇଁ ବିରୋଧୀ ପ୍ରସ୍ତୁତ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ହେବ ବିବୃତ୍ତି

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁଁ ସଂସଦର ଚଳିତ ମୌସୁମୀ ଅଧିବେଶନ ଠପ୍ ହୋଇପଡ଼ିଛି । ସଂସଦରେ ଏହି ଅଚଳାବସ୍ଥା ଦୂର କରିବାକୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପ୍ରହ୍ଲାଦ ଯୋଶୀ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ବିରୋଧୀ ଅଚଳାବସ୍ଥାର ସମାଧାନ ପାଇଁ ଯେ କୌଣସି ନିୟମ ଅନୁଯାୟୀ ଆଲୋଚନା ପାଇଁ ରାଜି ହୋଇଛି | କିନ୍ତୁ ବିରୋଧୀ ଦଳ ସର୍ତ୍ତ ରଖିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ବିବୃତ୍ତି ଦେବାକୁ ପଡିବ। ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସମୟ ବଢାଇବାକୁ ମଧ୍ୟ ବିରୋଧୀ ଚାହୁଁଛନ୍ତି।

ଜଣେ ବିରୋଧୀ ଦଳର ସାଂସଦ ଗଣମାଧ୍ୟମକୁ କହିଛନ୍ତି, ସରକାର ନିୟମ ୧୭୬ ଅନୁଯାୟୀ ଆଲୋଚନା ଚାହୁଁଛନ୍ତି । କିନ୍ତୁ ଆମେ ୨୭୬ ଅଧୀନରେ ଆଲୋଚନା କରିବାକୁ ଦାବି କରୁଛୁ। ଏପରି ସ୍ଥିତିରେ ଯଦି ନିୟମ ୧୬୭ ଅନୁଯାୟୀ ଆଲୋଚନା ହୁଏ, ତେବେ ସମାଧାନର ଏକ ମଝି ରାସ୍ତା ବାହାରି ପାରିବ | ବିରୋଧୀ ଦଳ ବର୍ତ୍ତମାନ ନିୟମ ୧୬୭ ଅନୁଯାୟୀ ଯେଉଁ ପ୍ରସ୍ତାବ ଆଣିବାକୁ ଚାହୁଁଛନ୍ତି, ତାହାର ଏବେ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି । ଏହାକୁ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଯିବ। ଉଲ୍ଲେଖଯୋଗ୍ୟ କୌଣସି ପ୍ରସଙ୍ଗରେ ନିୟମ ୨୬୭ ଅନୁଯାୟୀ ଆଲୋଚନା ହେଲେ ଅନ୍ୟ ସବୁ ଗୃହକାର୍ଯ୍ୟ ସ୍ଥଗିତ ରଖିବାକୁ ହେବ । ଅନ୍ୟପକ୍ଷରେ ନିୟମ ୧୬୭ ଅନୁଯାୟୀ କେବଳ ସଂକ୍ଷିପ୍ତ ଚର୍ଚ୍ଚା ହୋଇପାରିବ ।