ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ଶାସିତ ରାଜ୍ୟ ମାନଙ୍କୁ କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୂଣମୂଳ କଂଗ୍ରେସ ଓ କଂଗ୍ରେସ ଦଳ ମଧ୍ୟ ତୈଳଦର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏପରି ପରାମର୍ଶ ନେଇ ପ୍ରଶ୍ନ ଉଠାଇଛନ୍ତି।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପରେ ଶିବସେନା ମୁଖପାତ୍ର ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ କରୋନା ନାମରେ ଡକାଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ତୈଳଦଳ ବୃଦ୍ଧିକୁ ନେଇ ରାଜନୀତି କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଇନ୍ଧନ ଉପରେ ଉତ୍ପାଦନ ଶୁଳ୍କରୁ କେନ୍ଦ୍ର ସରକାର ୨୬ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟରେ ଲେଖିଛନ୍ତି – ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ଦର ଯେବେ କମ୍ ଥିଲା, ସେତେବେଳେ ମଧ୍ୟ ଏହାର ଦର ୧୮ ଗୁଣ ବୃଦ୍ଧି କରାଯାଇଥିଲା। ଏଥିମଧ୍ୟରୁ ରାଜ୍ୟଗୁଡିକର ଜିଏସଟି ଭାଗ ଏବେ ବି କେନ୍ଦ୍ର ପାଖରେ ବାକି ରହିଛି । ସେ କହିଛନ୍ତି ଯେ ଇନ୍ଧନ ଉପରେ ମୋଟ ଟିକସରେ କେନ୍ଦ୍ର ସରକାରଙ୍କ ଅଂଶ ୬୮% ରହିଛି । ତଥାପି ରାଜ୍ୟମାନଙ୍କୁ ଭାଟ୍ ହ୍ରାସ କରିବାକୁ କୁହାଯାଉଛି । ଏହାକୁ ବୁଝିବା ଆବଶ୍ୟକ |
ଇନ୍ଧନ ଉପରେ ଏକ୍ସାଇଜ୍ ଡ୍ୟୁଟିରୁ କେନ୍ଦ୍ରର ଆୟ ବିଷୟରେ କଂଗ୍ରେସ ମଧ୍ୟ ଉଲ୍ଲେଖ କରିଛି। କଂଗ୍ରେସ କହିଛି ଯେ ଇନ୍ଧନ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରି କେନ୍ଦ୍ର ସରକାର ୨୬ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି।
କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ମଧ୍ୟ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ମୋଦୀ ସରକାରଙ୍କୁ ଘେରିଛନ୍ତି। ଏକ ଟୁଇଟ୍ରେ ସେ ଲେଖିଛନ୍ତି – ମୋଦୀ ଜୀ, ସମାଲୋଚନା ନାହିଁ କି କୌଣସି ବିଭ୍ରାନ୍ତ ନାହିଁ, କି ମିଛ ବି ନାହିଁ, କଂଗ୍ରେସ ଶାସନ କାଳରେ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୯.୪୮ ଟଙ୍କା ଏବଂ ଡିଜେଲ ଉପରେ ୩.୫୬ ଟଙ୍କା ଥିଲା। ମୋଦି ସରକାର ସମୟରେ ଏବେ ଏହା ଯଥାକ୍ରମେ ୨୭.୯୦ ଟଙ୍କା ଏବଂ ୨୧.୮୦ ଟଙ୍କାକୁ ବୃଦ୍ଧି ପାଇଛି | ଆପଣ ଏହି ବୃଦ୍ଧି ପ୍ରତ୍ୟାହାର କରନ୍ତୁ ବୋଲି ମୋଦିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ସୁରଜେଓ୍ବାଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତିରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ଦୃଢ ଆପତ୍ତି ଜଣାଇଛି। ପାର୍ଟି ଏହାର ଟ୍ୱିଟରେ ଲେଖିଛି- ଶ୍ରୀ ନରେନ୍ଦ୍ର ମୋଦୀ, ଆମେ ସେହି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ପ୍ରତି ଧ୍ୟାନ ଦେବାକୁ ଚାହୁଁଛୁ, ଯାହାକୁ ଆପଣ ହୁଏତ ‘ଜ୍ଞାନ ବଣ୍ଟନ’ ଅଧିବେଶନରେ ଭୁଲି ଯାଇଥିବେ। ଭାରତ ସରକାରଙ୍କ ଉପରେ ପଶ୍ଚିମବଙ୍ଗ ସରକାରଙ୍କ ୯୭୮୦୭.୯୧କୋଟି ଟଙ୍କା ବାକି ରହିଛି। ଆପଣ ଏହା ଉପରେ ଆଲୋକପାତ କରିବାକୁ ଚିନ୍ତା କରିବେ କି? ବକେୟା କ୍ଲିୟର କରିବାକୁ ଆପଣଙ୍କର କୌଣସି ଯୋଜନା ଅଛି କି?
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୁଡ଼ିକୁ, ବିଶେଷକରି ବିରୋଧୀଦଳ ଶାସିତ ରାଜ୍ୟ ମାନଙ୍କୁ ଟିକସ ହ୍ରାସ କରିବାକୁ କରୋନା ଉପରେ ଡକାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ନିବେଦନ କରିଥିଲେ।