'ବିନାଶ କାଳେ ବିପରୀତ ବୁଦ୍ଧି.', ବିବିସି ଉପରେ ରେଡ୍ ନେଇ ସରକାରଙ୍କୁ ଘେରିଲେ ବିରୋଧୀ | News Room Odisha

‘ବିନାଶ କାଳେ ବିପରୀତ ବୁଦ୍ଧି.’, ବିବିସି ଉପରେ ରେଡ୍ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଆୟକର ବିଭାଗ ଆଜି ବିବିସିର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଅଫିସରେ ଚଢ଼ାଉ କରିଛି। ୨୦୦୨ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ନେଇ ବିବିସିର ଦୁଇ ଅଧ୍ୟାୟ ବିଶିଷ୍ଟ ଡକ୍ୟୁମେଣ୍ଟାରୀ ପ୍ରସାରଣର କିଛି ସପ୍ତାହ ପରେ ଏହି ଗଣମାଧ୍ୟମ ସଂସ୍ଥା ଉପରେ ଅଚାନକ ରେଡ୍ ହୋଇଛି । ବିବିସି ଉପରେ ଚଢ଼ାଉ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହା ସରକାରଙ୍କ ଅସହିଷ୍ଣୁତା, ଏକଛତ୍ରବାଦ ଆଭିମୁଖ୍ୟର ପ୍ରମାଣ ବୋଲି ବିରୋଧୀ କହିଛନ୍ତି ।

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ବିବିସି ଉପରେ ରେଡ୍ ଖବର ହେଉଛି ‘ଜରୁରୀକାଳୀନ ପରିସ୍ଥିତି’ର ଘୋଷଣା ।

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଏକ ଟ୍ୱିଟରେ କହିଛନ୍ତି, ” ସତରେ କ’ଣ ବିବିସିର ଦିଲ୍ଲୀ ଅଫିସରେ ଆଇଟି ରେଡ୍ ହୋଇଛି ? କେତେ ଅପ୍ରତ୍ୟାଶିତ !”

ପିଡିପି ନେତ୍ରୀ ମେହବୁବା ମୁଫତି ବିବିସି ଅଫିସରେ ହୋଇଥିବା ଚଢ଼ାଉର କାରଣ ଏବଂ ପ୍ରଭାବ ସ୍ପଷ୍ଟ । ଯେଉଁମାନେ ସତ କହୁଛନ୍ତି, ସରକାର ଲଜ୍ଜାଜନକ ଭାବେ ସେମାନଙ୍କୁ ହଇରାଣ କରୁଛନ୍ତି | ବିରୋଧୀ ଦଳର ନେତା, ଗଣମାଧ୍ୟମ, କାର୍ଯ୍ୟକର୍ତ୍ତା କିମ୍ବା ଅନ୍ୟ କେହି ହୁଅନ୍ତୁ ନା କାହିଁକି ସତ୍ୟ ପାଇଁ ସଂଗ୍ରାମ କରିବାକୁ ହେବ।”

ସିପିଆଇ (ଏମ୍) ସାଂସଦ ଜନ୍ ବ୍ରିଟାସ୍ କହିଛନ୍ତି, ବିବିସି ଉପରେ ରେଡ୍ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିପରି ପ୍ରତିକ୍ରିୟା ରଖିବେ ?

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସରକାର ବିବିସି ପଛରେ ପଡ଼ିଯାଇଛନ୍ତି। ବିନାଶ କାଳେ ବିପରୀତ ବୁଦ୍ଧି । ସେ କହିଛନ୍ତି ଯେ ଆମେ ଆଦାନୀ ମାମଲାରେ ଜେପିସି ଦାବି କରୁଛୁ, ସରକାର କିନ୍ତୁ ବିବିସି ପଛରେ ଲାଗିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆୟକର ବିଭାଗ ମଙ୍ଗଳବାର ବିବିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ଚଢ଼ାଉ ଜାରି ରଖିଛି । ଆୟକର ବିଭାଗ ଏହାକୁ ‘ସର୍ଭେ ଅପରେସନ’ ବୋଲି କହିଛି । ବିବିସି ଅଫିସ ସିଲ୍ କରାଯିବା ସହ କର୍ମଚାରୀ ମାନଙ୍କର ଫୋନ୍ ଜବତ କରାଯାଇଥିବା ଜଣାପଡ଼ିଛି ।