ଓସ୍କାର ପୁରସ୍କାରରେ ଏଥର‌ ଯୋଡ଼ି ହେଲା ନୂଆ କେଟେଗୋରି 'ଫ୍ୟାନ୍ ଫେଭରିଟ୍', ପ୍ରଶଂସକ ବାଛିବେ ନିଜ ପସନ୍ଦର ଫିଲ୍ମ | News Room Odisha

ଓସ୍କାର ପୁରସ୍କାରରେ ଏଥର‌ ଯୋଡ଼ି ହେଲା ନୂଆ କେଟେଗୋରି ‘ଫ୍ୟାନ୍ ଫେଭରିଟ୍’, ପ୍ରଶଂସକ ବାଛିବେ ନିଜ ପସନ୍ଦର ଫିଲ୍ମ

ଲସ୍ ଆଞ୍ଜେଲେସ୍: ବିଶ୍ବର ସବୁଠୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଓସ୍କାରରେ ଏଥର ଏକ ନୂଆ “ଫ୍ୟାନ୍ ଫେଭରିଟ୍” କେଟେଗୋରି ସାମିଲ କରାଯାଇଛି । ଟ୍ୱିଟର ୟୁଜରଙ୍କ ଭୋଟ୍ ଆଧାରରେ ବର୍ଷର ସବୁଠାରୁ ଲୋକପ୍ରିୟ ଫିଲ୍ମକୁ ଏହି ପୁରସ୍କାର ଦିଆଯିବ | ମାର୍ଚ୍ଚ ୨୭ରେ ୯୪ତମ ଓସ୍କାର ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ “ଫ୍ୟାନ୍ ଫେଭରିଟ୍” ପୁରସ୍କାର ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଯିବ |

‘ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍’ ଏବଂ ‘ନୋ ଟାଇମ୍ ଟୁ ଡାଏ’ ଭଳି ବ୍ଲକବଷ୍ଟର ଫିଲ୍ମ ଓସ୍କାର ନୋମିନେସନ୍ ପାଇବାରେ ବିଫଳ ହୋଇଛନ୍ତି। ଏଥିପାଇଁ ଓସ୍କାର ପୁରସ୍କାର ଆୟୋଜକଙ୍କ ମନରେ ଭୟ ଥିଲା ଯେ ଏହିଭଳି ଫିଲ୍ମର ପ୍ରଶଂସକମାନେ ଏଥର ଇଭେଣ୍ଟକୁ ଏଡ଼ାଇ ଦେଇ ପାରନ୍ତି |

୨୦୨୧ରେ ରିଲିଜ୍ ହୋଇଥିବା ଫିଲ୍ମ ଗୁଡ଼ିକ ମଧ୍ୟରୁ ପ୍ରଶଂସକମାନେ ଟ୍ବିଟର୍ ହ୍ୟାସଟ୍ୟାଗ୍ #OscarsFanFavorite କିମ୍ବା ଏକାଡେମୀ ପୁରସ୍କାର ୱେବସାଇଟକୁ ଯାଇ ନିଜ ପସନ୍ଦର ଫିଲ୍ମ ପାଇଁ ଭୋଟିଂ କରିପାରିବେ | ଏହି ମାଷ୍ଟର ଷ୍ଟ୍ରୋକ୍ ଦ୍ବାରା ଆୟୋଜକମାନେ ପୁରସ୍କାର ଦୌଡରୁ
ବାଦ୍ ପଡ଼ିଥିବା ଫିଲ୍ମ ଓ ଏହାର ଫ୍ୟାନମାନଙ୍କୁ ଏକାଡେମୀ ପୁରସ୍କାର‌ ପ୍ରତି ଆକୃଷ୍ଟ କରିବେ ବୋଲି ମନେ କରାଯାଉଛି ।

ଟିଭିରେ ଓସ୍କାର ପୁରସ୍କାରକୁ କୋଟି କୋଟି ଦର୍ଶକ ଦେଖନ୍ତି।କିନ୍ତୁ ଗତ କିଛି ବର୍ଷ ଧରି ଓସ୍କାର ପୁରସ୍କାରର ଟିଭି ରେଟିଂ ଖସି ଚାଲିଛି। ଗତ ବର୍ଷ କେବଳ ୧୦ ମିଲିୟନରୁ ଅଧିକ ଦର୍ଶକ ଟିଭିରେ ଓସ୍କାର ପୁରସ୍କାର ଦେଖିଥିଲେ | ୨୦୨୦ ତୁଳନାରେ ଏହା ପ୍ରାୟ ୫୬ ପ୍ରତିଶତ କମ୍ ଥିଲା।

ଆୟୋଜକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂଆ କେଟେଗୋରି “ଫ୍ୟାନ୍ ଫେଭରିଟ୍”ରେ ପ୍ରଥମ ବିଜେତା କିଏ ହେବ ତାହା ଦେଖିବାକୁ ଚଳଚ୍ଚିତ୍ର ପ୍ରେମୀଙ୍କ ମଧ୍ୟରେ ଏବେଠୁ ହିଁ ଉତ୍ସୁକତା ବଢିଲାଣି | ତେବେ ଏହି ନିଷ୍ପତ୍ତି ଏକାଡେମୀ ବିଚାରକଙ୍କ ହାତରେ ନୁହେଁ ବରଂ ଫ୍ୟାନ୍ ମାନଙ୍କ ହାତରେ ରହିବ।