ନିର୍ବାଚନ ପୂର୍ବରୁ ଟିଏମସି ନେତାମାନଙ୍କୁ ଦଳରେ ସାମିଲ କରି ଆମ ନେତୃବର୍ଗ ଭୁଲ୍ କରିଥିଲେ: ବିଜେପି ବିଧାୟକ | News Room Odisha

ନିର୍ବାଚନ ପୂର୍ବରୁ ଟିଏମସି ନେତାମାନଙ୍କୁ ଦଳରେ ସାମିଲ କରି ଆମ ନେତୃବର୍ଗ ଭୁଲ୍ କରିଥିଲେ: ବିଜେପି ବିଧାୟକ

କୋଲକାତା: ଗତ ଚାରି ମାସ ମଧ୍ୟରେ ବିଜେପିର ଚାରି ବିଧାୟକ ଦଳ ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିଛନ୍ତି । ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳରୁ ନେତାଙ୍କ ଏଭଳି ପଳାୟନ ପଶ୍ଚିମବଙ୍ଗ ବିଜେପି ପାଇଁ ଡବଲ୍ ଝଟକା ସଦୃଶ ହୋଇଛି । ଏନେଇ ଦଳର ଜଣେ ବିଧାୟକ ନିଖିଳ ରଂଜନ ଦେ ଦଳର କେନ୍ଦ୍ରୀୟ ନେତୃବର୍ଗକୁ ଦାୟୀ କରିଛନ୍ତି । କୁଚ୍ ବେହାର ଦକ୍ଷିଣରୁ ବିଧାୟକ ଥିବା ଦେ’ କହିଛନ୍ତି ଯେ ତୂଣମୂଳ କଂଗ୍ରେସ ନେତାଙ୍କୁ ବିଜେପିରେ ସାମିଲ କରିବା ହିଁ ଭୁଲ୍ ଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ନେତାମାନଙ୍କୁ ସାମିଲ କରି ଶୀର୍ଷ ନେତୃତ୍ୱ ଭୁଲ କରିଥିଲେ।

ଦେ କହିଛନ୍ତି , ଯଦି ଟିଏମସି ନେତାଙ୍କୁ ସାମିଲ କରାଯାଇ ନଥାନ୍ତା ତେବେ ବିଧାନସଭା ନିର୍ବାଚନରେ ଦଳ ଆହୁରି ଭଲ କରିଥାନ୍ତା। ଟିଏମସି ନେତା ବିଜେପିର ଆଦର୍ଶ ସହିତ ଜଡିତ ନଥିଲେ । ତେଣୁ ସେମାନଙ୍କୁ ଦଳରେ ମିଶାଇ ଦଳର ଶୀର୍ଷ ନେତୃବର୍ଗ ଭୁଲ୍ କରିଥିଲେ । ପଶ୍ଚିମବଙ୍ଗରେ ଦଳ କ୍ଷମତାକୁ ଆସିବ ବୋଲି ଆଶାରେ ଟିଏମସି ନେତାମାନେ ବିଜେପିରେ ଯୋଗ ଦେଇଥିଲେ । ଏବଂ ଆମ ଦଳରେ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସେମାନେ ଦଳ ଛାଡୁଛନ୍ତି ।

ପୂର୍ବତନ ବିଜେପି ଉପାଧ୍ୟକ୍ଷ ତଥା କିଛି ଦିନ ପୂର୍ବରୁ ପାର୍ଟି ଟିକେଟରେ ନିର୍ବାଚିତ ହୋଇଥିବା ମୁକୁଲ ରୟ ମେ ମାସରେ ତୃଣମୂଳ କଂଗ୍ରେସକୁ ଫେରିଥିଲେ। ତାଙ୍କ ପରେ ପରେ ଅନ୍ୟ ତିନିଜଣ ବିଜେପି ବିଧାୟକ ମଧ୍ୟ ବିଜେପି ଛାଡ଼ି ଟିଏମସିକୁ ଫେରିଥିଲେ ।