ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ୧୧୦୦ରୁ ଊର୍ଦ୍ଧ୍ବ ମୃତ | News Room Odisha

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ୧୧୦୦ରୁ ଊର୍ଦ୍ଧ୍ବ ମୃତ

ଜେରୁଜେଲମ: ଆତଙ୍କବାଦୀ ସଂଗଠନ ହମାସ୍ ଆକ୍ରମଣର ୩୬ ଘଣ୍ଟା ପରେ ମଧ୍ୟ ଇସ୍ରାଏଲ ଓ‌ ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ସଂଘର୍ଷ ଜାରି ରହିଛି। ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସଂଘର୍ଷରେ ଏଯାବତ୍ ୧୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ।

ଯୁଦ୍ଧ ଘୋଷଣା ପରଠୁ ଇସ୍ରାଏଲ୍ ବିମାନ ହମାସ୍ ନିୟନ୍ତ୍ରିତ ଗାଜାରେ ୪୨୬ ଠିକଣାକୁ ଟାର୍ଗେଟ୍ କରିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଇସ୍ରାଏଲରେ ପ୍ରାୟ ୭୦୦ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫୭ ଜଣ ସୈନିକ ଏବଂ ୩୪ ଜଣ ପୋଲିସ କର୍ମଚାରୀ ଅଛନ୍ତି। ଏହାଛଡ଼ା ହମାସ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୨୦୦ ଲୋକ ଆହତ ହୋଇଛନ୍ତି।

ହମାସ୍ ଆକ୍ରମଣରେ ୧୦ ନେପାଳୀ, ଚାରି ଆମେରିକୀୟ, ଦୁଇ ୟୁକ୍ରେନ, ଜଣେ ବ୍ରିଟିଶ ଏବଂ ଜଣେ ଫରାସୀ ନାଗରିକ ମଧ୍ୟ ନିହତ ହୋଇଛନ୍ତି । କିଛି ଜର୍ମାନ ନାଗରିକଙ୍କୁ ହତ୍ୟା କରାଯିବା ସହ ଆମେରିକୀୟ ନାଗରିକଙ୍କୁ ପଣବନ୍ଦୀ କରାଯାଇଥିବା ଚର୍ଚ୍ଚା ହେଉଛି । ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ମଧ୍ୟ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୩୦୦ ଆହତ ହୋଇଛନ୍ତି।

ଇସ୍ରାଏଲର ପ୍ରାୟ ୧୦୦ ନାଗରିକଙ୍କୁ ହମାସ୍ ପଣବନ୍ଦୀ କରି ରଖିଛି । ଇସ୍ରାଏଲ ମଧ୍ୟ ଏହା ନିଶ୍ଚିତ କରିଛି। ଶନିବାର ରକେଟ୍ ଆକ୍ରମଣ ପରେ ଇସ୍ରାଏଲରେ ପଶି ହାମାସ୍ ଆତଙ୍କବାଦୀମାନେ ଏହି ଲୋକଙ୍କୁ ବନ୍ଧକ ରଖି ଗାଜା ଅଞ୍ଚଳକୁ ନେଇ ଯାଇଥିଲେ। ହାମାସ୍ ଦ୍ବାରା ଅପହୃତ ଲୋକଙ୍କ ମଧ୍ୟରେ ଅନ୍ୟ ଦେଶର ନାଗରିକ ବି ଥାଇପାରନ୍ତି ବୋଲି କୁହାଯାଇଛି ।