ନେପାଳରେ ଶକ୍ତିଶାଳୀ ଭୂକମ୍ପ, ୧୨୦ରୁ ଊର୍ଦ୍ଧ୍ବ ମୃତ | News Room Odisha

ନେପାଳରେ ଶକ୍ତିଶାଳୀ ଭୂକମ୍ପ, ୧୨୦ରୁ ଊର୍ଦ୍ଧ୍ବ ମୃତ

କାଠମାଣ୍ଡୁ: ଭୂକମ୍ପରେ ଥରିଲା ନେପାଳ । ଶୁକ୍ରବାର ରାତିରେ ଆସିଥିବା ବଡ଼ ଧରଣର ଭୂକମ୍ପ ଯୋଗୁଁ ୧୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ‌। ୧୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପର ତୀବ୍ରତା ୬.୪ ଥିଲା । ଭୂକମ୍ପରେ ନେପାଳର ଜାଜରକୋଟ୍ ଓ ପଶ୍ଚିମ ରୁକୁମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ନେପାଳ ଭୂକମ୍ପର ପ୍ରଭାବ ଭାରତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଅନୁଭୂତ ହୋଇଥିଲା ‌। ଲୋକେ ଭୟରେ ଘର ବାହାରକୁ ଚାଲି ଓଆସିଥିଲେ।

ନେପାଳ ପୋଲିସର ମୁଖପାତ୍ର କୁବେର କାଦାୟତଙ୍କ କହିବା ଅନୁଯାୟୀ ଜାଜରକୋଟ୍ ଏବଂ ରୁକୁମ ପଶ୍ଚିମ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ଉଦ୍ଧାର ଓ ସର୍ଚ୍ଚ ଅପରେସନ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଉଦ୍ଧାର କାର୍ଯ୍ୟରେ ପୋଲିସ, ସେନା ଏବଂ ସଶସ୍ତ୍ର ବାହିନୀକୁ ନିୟୋଜିତ କରାଯାଇଛି।

ଶୁକ୍ରବାର ରାତି ୧୧:୩୦ ରେ ଆସିଥିବା ଏହି ଭୂକମ୍ପ ୨୦୧୫ରେ ନେପାଳରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଇଛି। ୨୫ ଏପ୍ରିଲ ୨୦୧୫ରେ ନେପାଳରେ ୭.୮ ତୀବ୍ରତାର ଭୟଙ୍କର ଭୂକମ୍ପରେ ପ୍ରାୟ ୯୦୦୦ ଲୋକ ପ୍ରାଣ ହରାଇଥିଲେ । ଉକ୍ତ ଭୂକମ୍ପରେ ୧୦ ଲକ୍ଷ ଘର ଧ୍ବଂସ ହୋଇଥିବାବେଳେ ପ୍ରାୟ ୨୮ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ।

ଭୟଙ୍କର ଭୂକମ୍ପରେ ନେପାଳର ରାଜଧାନୀ କାଠମାଣ୍ଡୁରେ ଅବସ୍ଥିତ ଅନେକ ଐତିହାସିକ କୋଠା ନଷ୍ଟ ହୋଇଯାଇଥିଲା ଏବଂ ଶହ ଶହ ବିଦେଶୀ ପର୍ଯ୍ୟଟକ ମଧ୍ୟ ପ୍ରଭାବିତ ହୋଇଥିଲେ।

କାଠମାଣ୍ଡୁ ଉପତ୍ୟକାର ସାତୋଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟରୁ ଅତି କମରେ ଚାରିଟି ୨୦୧୫ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିଲା।