ତୁର୍କି, ସିରିଆରେ ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା | News Room Odisha

ତୁର୍କି, ସିରିଆରେ ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା

ଇସ୍ତାନବୁଲ: ତୁର୍କି ଏବଂ ମଧ୍ୟପ୍ରାଚ୍ୟରେ ସୋମବାର ସକାଳେ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ ଧନଜୀବନ ହାନି ହୋଇଛି । ଚାରିଆଡେ ଖାଲି ଧ୍ବଂସର ତାଣ୍ଡବ ଦେଖିବାକୁ ମିଳିଛି | ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଭୟାବହ ଭୂକମ୍ପ ଯୋଗୁଁ ତୁର୍କି ଏବଂ ସିରିଆରେ ଏପର୍ଯ୍ୟନ୍ତ ମୋଟ ୭୫୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ସିରିଆର ୨୩୭ ଜଣ ଏବଂ ତୁର୍କୀରେ ୫୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ୩ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମାଲ୍ଟା ଏବଂ ସାନଲୁଏରଫାର ବାସିନ୍ଦା ରହିଛନ୍ତି। ତୁର୍କିର ଆଡାନା ସହରରେ ୧୭ ମହଲା ଏବଂ ୧୪ ମହଲା କୋଠା ଭୁଶୁଡି ପଡିଛି | ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି।

ସ୍ଥାନୀୟ ସମୟ ସକାଳ ୪.୧୭ରେ ଭୂକମ୍ପର ପ୍ରଥମ ଝଟକା ଅନୁଭୂତ ହୋଇଥିଲା ଏବଂ କିଛି ମିନିଟ୍ ପରେ କେନ୍ଦ୍ରୀୟ ତୁର୍କୀରେ ଦ୍ୱିତୀୟ ଭୂକମ୍ପ ଆସିଥିଲା । ରିଆକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୮ ଆକଳନ କରାଯାଇଥିଲା | ଏହି ଭୂକମ୍ପ ଦକ୍ଷିଣ ତୁର୍କିରେ ଘଟିଥିଲା | ଅନେକ ଆପାର୍ଟମେଣ୍ଟ ଏଠାରେ ଭୁଶୁଡି ପଡିଛି | ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ଭୂକମ୍ପ ପରେ ତୁର୍କୀ ଆନ୍ତର୍ଜାତୀୟ ସହାୟତା ପାଇଁ ନିବେଦନ କରିଛି। ହାବର୍ଟର୍କ ଟେଲିଭିଜନ ରିପୋର୍ଟ କରିଛି ଯେ ପଡୋଶୀ ମାଲାଟିଆ, ଡିଆରବାକିର ଏବଂ ମାଲାଟିଆରେ ଅନେକ କୋଠା ଭୁଶୁଡି ପଡିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିରିଆରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପର୍ଯ୍ୟନ୍ତ ଏଠାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ତୁର୍କି ଗୃହମନ୍ତ୍ରୀ ସୁଲେମାନ ଶୋଏଲୁ କହିଛନ୍ତି ଯେ ଦେଶର ୧୦ଟି ସହର ଏହି ଭୂକମ୍ପ ଦ୍ବାରା ପ୍ରଭାବିତ ହୋଇଛି । ଏଥିମଧ୍ୟରେ କାହମେନମର୍ଶ, ହାଟାଇ, ଗାଜିଆଣ୍ଟେପ, ଓସମାନି, ଆଡିୟମାନ, ସାନଲିଉର୍ଫା, ମାଲାଟିଆ, ଆଡାନା, ଡିଆରବାକିର ଏବଂ କିଲିସ୍ ଅନ୍ତର୍ଭୁକ୍ତ |