ଓଓ୍ବେସି 'ଜେଡ୍' କାଟେଗୋରି ସୁରକ୍ଷା ନେବାକୁ ମନାକଲେ | News Room Odisha

ଓଓ୍ବେସି ‘ଜେଡ୍’ କାଟେଗୋରି ସୁରକ୍ଷା ନେବାକୁ ମନାକଲେ

ନୂଆଦିଲ୍ଲୀ: ଦିଲ୍ଲୀ-ମେରଟ ଏକ୍ସପ୍ରେସୱେରେ ନିଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆସାଦୁଦ୍ଦିନ ଓଓ୍ବେସି ସଂସଦରେ ସରକାରଙ୍କ ଉପରେ ବର୍ଷିଛନ୍ତି। ତାଙ୍କୁ ଦିଆଯିବାକୁ ଥିବା ‘ଜେଡ୍’ କାଟେଗୋରି ସୁରକ୍ଷାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କ ଉପରେ ଆକ୍ରମଣ ଘଟଣା ନେଇ ସଂସଦରେ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ତାଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାହିଁକି ୟୁଏପିଏ ଆଇନ ଲାଗୁ କରାଯିବ ନାହିଁ? ସେ କହିଛନ୍ତି, ‘ମୁଁ ୬ ଫୁଟ ଦୂରରେ ଗୁଳି ଦେଖିଛି। ହୁଏତ କାଲି ମୁଁ ଆଉ କହିବାକୁ ନ ରହିପାରେ | ହରିଦ୍ୱାର, ରାୟପୁର ଏବଂ ଆହ୍ଲାବାଦ (ଧର୍ମ ସଂସଦ)ରେ ମୋ ବିରୋଧରେ କଣ ନ କୁହାଯାଇଥିଲା | ମୁଁ ‘ଜେଡ୍’ କାଟେଗୋରି ସୁରକ୍ଷା ଚାହୁଁ ନାହିଁ | ମୁଁ ଏକ ମୁକ୍ତ ଜୀବନ ଚାହୁଁଛି | ମୁଁ ଏହି ଦୁନିଆରେ ଶ୍ୱାସରୁଦ୍ଧ ହେବାକୁ ବଞ୍ଚିବାକୁ ଚାହେଁ ନାହିଁ | ମୁଁ ଗରିବ ଲୋକଙ୍କ ପାଇଁ ସ୍ୱର ଉଠାଇବାକୁ ଚାହୁଁଛି | ଗରିବ ଲୋକମାନଙ୍କର ଜୀବନ ବଞ୍ଚାଇଲେ ହିଁ ମୋର ଜୀବନ ରହିବ |

ଓଓ୍ବେସି ନିଜ ଉପରେ ହୋଇଥିବା ଆକ୍ରମଣ ନେଇ କହିଛନ୍ତି ଯେ ଲୋକଙ୍କଠାରେ ଏପରି ବିଷ କିପରି ସୃଷ୍ଟି କରାଯାଉଛି। ଏହା ଚିନ୍ତା କରିବାର ସମୟ । ସେ କହିଛନ୍ତି ଯେ ମୁଁ ‘ଜେଡ୍’ କାଟେଗୋରି ସୁରକ୍ଷା ଚାହୁଁ ନାହିଁ, ବରଂ ମୋତେ ‘ଏ’ କାଟୋଗୋରି ନାଗରିକ କରନ୍ତୁ | ଓଓ୍ବେସି କହିଛନ୍ତି ଯେ ସେ ୟୁପିରେ ପ୍ରଚାର ବନ୍ଦ କରିବେ ନାହିଁ। ସେ କହିଛନ୍ତି ଯେ ସମସ୍ତଙ୍କ ପାଇଁ ମୃତ୍ୟୁ ଦିନେ ନା ଦିନେ ଆସିବ, କିନ୍ତୁ ଯେଉଁମାନେ ଗୁଳି ଚଳାନ୍ତି ମୁଁ ସେମାନଙ୍କୁ ଭୟ କରେ ନାହିଁ। ଆପଣ ଅଭିଯୁକ୍ତଙ୍କ ଉପରେ ୟୁଏପିଏ ଲଗାନ୍ତୁ |

ମେରଟ ଏକ୍ସପ୍ରେସୱେର ଗୁରୁବାର ଏକ ଟୋଲ୍ ପ୍ଲାଜା ଦେଇ ଯାଉଥିବାବେଳେ ତାଙ୍କ କାର୍ ଉପରେ ଗୁଳିମାଡ଼ ହୋଇଥିବା ଅଭିଯୋଗ କରିଥିଲେ ଓଓ୍ବେସି। ତେବେ ଏହି ଘଟଣାରେ ତାଙ୍କୁ କୌଣସି ଆଘାତ ଲାଗିନଥିଲା ।