୨୯ ବର୍ଷର ସ୍ବପ୍ନ ପୂରା କରିବେ ନବୀନ: ୩୦ରେ ପଦ୍ମପୁର ଜିଲ୍ଲା ଘୋଷଣା | News Room Odisha

୨୯ ବର୍ଷର ସ୍ବପ୍ନ ପୂରା କରିବେ ନବୀନ: ୩୦ରେ ପଦ୍ମପୁର ଜିଲ୍ଲା ଘୋଷଣା

ବରଗଡ: ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳବାସୀଙ୍କ ଦୀର୍ଘ ୨୯ ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି। ବର୍ଷେ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଏବେ ସାକାର ରୂପ ନେବ। ଆସନ୍ତା ୩୦ ତାରିଖରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଆଶାର ସଞ୍ଚାର ହୋଇଛି।

୨୦୨୨ ଡିସେମ୍ବରରେ ଉପ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଠିକ୍ ବର୍ଷକରେ ହିଁ ଆସନ୍ତା ୩୦ ତାରିଖରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ଏଥି ପାଇଁ ସରକାର ୩୦ରେ ରାଜ୍ୟ କ୍ୟାବିନେଟର ସ୍ଵତନ୍ତ୍ର ବୈଠକ ଡାକିଛନ୍ତି। କ୍ୟାବିନେଟ୍ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତାକୁ ମୋହର ମାରିବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ନୂଆ ଜିଲ୍ଲା ଘୋଷଣା ପାଇଁ ଉଦ୍ଧିଷ୍ଟ ଆନୁସଙ୍ଗିକ କାମ ସରିଛି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଆରଡିସିଙ୍କ ଦ୍ବାରା ଜମି ଚିହ୍ନଟ ମଧ୍ୟ ସରିଛି। ଡିସେମ୍ବର ୩୧ ପୂର୍ବରୁ ଜିଲ୍ଲା ଘୋଷଣା ପାଇଁ ସବୁ କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ ସହ ଆନୁସଙ୍ଗିକ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା।

ଗତ ଡିସେମ୍ବରରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ପରେ ଗତ ଫେବୃଆରୀ ୧୯ ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ଏହି ବିପୁଳ ଜନାଦେଶ ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଆଉ ଏହି ଅବସରରେ ବର୍ଷକ ମଧ୍ଯରେ ଜିଲ୍ଲା ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଥିରେ ବିଳମ୍ବ ହେବାରୁ ବିରୋଧୀ ସମାଲୋଚନା ଆରମ୍ଭ କରିଥିଲେ। କିନ୍ତୁ ଜିଲ୍ଲା ଘୋଷଣା ପରେ ଏହି ସମାଲୋଚନାର ଅନ୍ତ ଘଟିବା ସହ ବିରୋଧୀଙ୍କୁ କଡା ଜବାବ ଦିଆଯିବ ବୋଲି କୁହାଯାଉଛି।
ଏ ନୂଆ ଜିଲ୍ଲାରେ ବରପାଲି , ଗାଇସିଲଟ ବିଜେପୁର , ପାଇକମାଳ , ଝାରବନ୍ଧ ଓ ପଦ୍ମପୁର ବ୍ଲକ ସହ ପଦ୍ମପୁର ଏବଂ ବରପାଲି ଏନଏସି ମଧ୍ୟ ରହିବ । ଏ ନୂଆ ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୭ ଲକ୍ଷ ହେବ।

ସୂଚନାଯୋଗ୍ୟ , ପଦ୍ମପୁର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ବହୁ ଦିନରୁ ଉପନିର୍ବାଚନ ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ଆଲୋଚନା କରିଥିଲା । କମିଟିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନର ପ୍ରତିଶ୍ରୁତି ଦେଇଥିଲେ।