ଦିଲ୍ଲୀରେ ଆତଙ୍କୀ ଯୋଜନା ପଣ୍ଡ, ବିପୁଳ ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନୀ ଆତଙ୍କବାଦୀ ଗିରଫ | News Room Odisha

ଦିଲ୍ଲୀରେ ଆତଙ୍କୀ ଯୋଜନା ପଣ୍ଡ, ବିପୁଳ ଅସ୍ତ୍ରଶସ୍ତ୍ର ସହ ପାକିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କୀ ଯୋଜନାକୁ ପଣ୍ଡ କରିଛି ପୋଲିସ । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଲକ୍ଷ୍ମୀ ନଗରର ରମେଶ ପାର୍କରୁ ଗିରଫ କରିଛି। ଏହି ଆତଙ୍କବାଦୀ ନିଜକୁ ଭାରତୀୟ ନାଗରିକ ବୋଲି ପରିଚୟ ଦେଇ ରହୁଥିଲା। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

ପାକିସ୍ତାନର ଏହି ଆତଙ୍କବାଦୀଙ୍କଠାରୁ ଏକେ-୪୭ ରାଇଫଲ ସହିତ ୬୦ ରାଉଣ୍ଡ ମାଗାଜିନ୍, ହ୍ୟାଣ୍ଡ ଗ୍ରେନେଡ, ଏବଂ ୨ ଟି ଅତ୍ୟାଧୁନିକ ପିସ୍ତଲ ଜବତ କରାଯାଇଛି। ଉକ୍ତ ଆତଙ୍କବାଦୀଙ୍କୁ ରାତି ୯:୩୦ରେ ଗିରଫ କରାଯାଇଥିଲା। ଏହି ଆତଙ୍କବାଦୀ ପାକିସ୍ତାନର ନରୋୱାଲର ବାସିନ୍ଦା ବୋଲି ଜଣାପଡିଛି।

ଗିରଫ ପାକିସ୍ତାନୀ ଆତଙ୍କବାଦୀ ଦୀର୍ଘ ୬ ଦିନ ଭାରତୀୟ ପାସପୋର୍ଟ ସହିତ ଲକ୍ଷ୍ମିନଗର ଅଞ୍ଚଳରେ ରହୁଥିଲା। ଏହି ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ପୋଲିସ ବର୍ତ୍ତମାନ ଏହାର ନେଟୱାର୍କ ଏବଂ ସହଯୋଗୀମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଛି।

ସୂଚନାଯୋଗ୍ୟ ଯେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଦେଶରେ ପାର୍ବଣ ଋତୁରେ ଏକ ବଡ ଆକ୍ରମଣ ଯୋଜନା କରୁଥିବା ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଥିଲା। ହୋଟେଲ ଏବଂ ଗେଷ୍ଟ ହାଉସ ଉପରେ ଦିଲ୍ଲୀ ପୋଲିସ ନଜର ରଖିଛି। ଭଡାଟିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ମଧ୍ୟ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।