ଏସିଆ କପ୍: ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ | News Room Odisha

ଏସିଆ କପ୍: ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ମୁଲତାନ: ଅଧିନାୟକ ବାବର ଆଜମ ଓ ଇଫତିକାର ଅହମ୍ମଦଙ୍କ ବୃହତ ଶତକ ବଳରେ ପାକିସ୍ତାନ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏସିଆ କପରେ ଏକ ସହଜ ତଥା ଏକତରଫା ବିଜୟରୁ ଅଭିଯାନ ଆରମ୍ଭ କରିିଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଡେବୁଟାଣ୍ଟ ନେପାଳକୁ ୨୩୮ ରନରେ ହରାଇଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୬ ୱିକେଟ୍ ହରାଇ ୩୪୨ ରନର ବିଶାଳ ସ୍କୋର କରିଥିଲା । ଦଳ ତରଫରୁ ଅଧିନାୟକ ବାବର ଆଜମ ୧୫୧ ରନ ଓ ଇଫତିକାର ଅହମ୍ମଦ ୧୦୯ ରନର ଧୂଆଁଧାର ଅପରାଜିତ ଇନିଂସ ଖେଳିଥିଲେ । ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୨୧୪ ରନ ଯୋଡ଼ି ପାକିସ୍ତାନକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ।

ଏହାର ଜବାବରେ ନେପାଳ ୨୩.୪ ଓଭରରେ ମାତ୍ର ୧୦୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ କେବଳ ଆରିଫ୍ ଶେଖ୍ (୨୬), ସୋମପାଲ କମାମି (୨୮) ଓ ଗୁଲଶନ ଝା (୧୩) ହିଁ ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ହୋଇଥିଲେ । ପାକିସ୍ତାନ ତରଫରୁ ସ୍ପିନର ସଦାବ ଖାନ୍ ୪ଟି ୱିକେଟ୍ ନେଇଥିବା ବେଳେ ପେସ୍ ଯୋଡ଼ି ଶାହୀନ୍ ଓ ରାଉଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରେ ନେପାଳ ବୋଲର ପ୍ରଭାବୀ ବୋଲିଂ କରି ପାକିସ୍ତାନ ବ୍ୟାଟରକୁ ବାନ୍ଧି ରଖିଥିଲେ। ୨୧ ରନ ସ୍କୋରରେ ଫଖର ଜମାନ(୧୪) ଆଉଟ୍ ହୋଇଥିଲେ। ପୁଣି ଇମାମ ଉଲ ହକ୍(୫) ରନ ଆଉଟ୍ ହୋଇଥିଲେ। ଦୁଇ ଓପନରଙ୍କୁ ଶୀଘ୍ର ହରାଇବା ପରେ ପାକିସ୍ତାନର ରନ ଗତି ଧିମେଇ ଯାଇଥିଲା। ଏହା ପରେ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜଓ୍ଵାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍କୋର ଆଗକୁ ବଢାଇଥିଲେ।

ଦୁଇ ବ୍ୟାଟର ୩ୟ ଓ୍ଵିକେଟ୍ ପାଇଁ ୮୬ ରନ ଯୋଡ଼ି ସ୍ଥିତି ସୁଧାରିଥିଲେ। ତେବେ ରିଜଓ୍ଵାନ ୫୦ ବଲ୍‌ରୁ ୬ ଚୌକା ସହ ୪୪ ରନ କରି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଆଘା ଅସଲମ(୫) ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୧୨୪ ରନରେ ୪ ଓ୍ଵିକେଟ୍ ହରାଇ ପୁଣି ଥରେ ବ୍ୟାକଫୁଟ୍‌କୁ ଆସିଥିବା ପାକିସ୍ତାର ଇନିଂସ ସମ୍ଭାଳିଥିଲେ ବାବର ଆଜମ ଓ ଇଫତିକାର ଅହମ୍ମଦ।

ଅର୍ଦ୍ଧଶତକ ହାସଲ କରି ବାବର ଗୋଟିଏ ପଟେ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟେ ଇଫତିକାର ତାଙ୍କୁ ଉତ୍ତମ ସହଯୋଗ କରିଥିଲେ। ଦୁଇ ବ୍ୟାଟର ଦ୍ରୁତ ଗତିରେ ରନ ସଂଗ୍ରହ କରି ନେପାଳ ବୋଲରଙ୍କୁ ଚାପରେ ରଖିଥିଲେ। ବିଶେଷ କରି ଇଫତିକାରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଅସହାୟ ନଜର ଆସିଥିଲେ ଅନଭିଜ୍ଞ ନେପାଳ ବୋଲର। ଅନ୍ୟପଟେ ବାବର ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଇଫତିକାର ଟି-୨୦ ଶୈଳୀରେ ବ୍ୟାଟିଂ କରି ନିଜର ଶତକ ପୂରା କରିଥିଲେ। ଦୁଇ ବ୍ୟାଟର ପଞ୍ଚମ ଓ୍ଵିକେଟ୍ ପାଇଁ ୨୧୪ ରନ ଯୋଡ଼ି ଦଳକୁ ବିଶାଳ ସ୍କୋର ଦେଇଥିଲେ। ବାବର ଆଜମ ଶେଷ ଓଭରରେ ଆଉଟ୍ ହୋଇଥିଲେ। ସେ ୧୩୧ ବଲ୍‌ରୁ ୧୪ ଚୌକା ଓ ୪ ଛକା ସହ ୧୫୧ ରନର ଇନିଂସ ଖେଳିଥିଲେ। ଇଫତିକାର ମାତ୍ର ୭୧ ବଲ୍‌ରୁ ୧୧ ଚୌକା ଓ ୪ ଛକା ହସ ୧୦୯ ରନରେ ଅପରାଜିତ ଥିଲେ।