ଫଖର ଜମାନଙ୍କ ଶତକ, ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ହରାଇଲା ପାକିସ୍ତାନ | News Room Odisha

ଫଖର ଜମାନଙ୍କ ଶତକ, ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ହରାଇଲା ପାକିସ୍ତାନ

ରାୱଲପିଣ୍ଡି: ଓପନର ଫଖର ଜମାନଙ୍କ ଶତକ ବଳରେ ପାକିସ୍ତାନ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ଦିନିକିଆରେ ଟସ୍ ଜିତିବା ପରେ କ୍ୟାପଟେନ ବାବର ଆଜମ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

ଟିକିଏ ସହଜ ପିଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୫୦ ଓଭରରେ ୭ ଓ୍ବିକେଟ୍ ହରାଇ ୨୮୮ ରନ୍ ସଂଗ୍ରହ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡାରିଲ ମିଚେଲ ୧୧୩ ଓ୍ବିଲ୍ ୟଙ୍ଗ ୮୬ ରନ୍ କରିଥିଲେ । ତେବେ ଫଖର ଜମାନଙ୍କ ଚମତ୍କାର ଶତକ ବଳରେ ପାକିସ୍ତାନ ଏହି ବିଜୟ ଲକ୍ଷ୍ୟକୁ ପାଞ୍ଚ ୱିକେଟ୍ ହରାଇ ୪୮.୩ ଓଭରରେ ହାସଲ କରିନେଇଥିଲା।

ଜମାନ ତାଙ୍କ ଦିନିକିଆ କ୍ୟାରିୟର ନବମ ଶତକ ହାସଲ କରିଥିଲେ । ସେ ୧୧୪ ବଲରଜ ୧୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୧୭ ରନ୍ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇମାମ-ଉଲ-ହକ ୬୦ ରନ୍ ଓ କ୍ୟାପଟେନ୍ ବାବର ଆଜମ ୪୯ ରନ୍ ସଂଗ୍ରହ କରିଥିଲେ।

ତାଙ୍କ ମ୍ୟାଚ୍ ବିଜୟୀ ଶତକୀୟ ଇନିଂସ ପାଇଁ ଫଖର ଜମାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିବାବେଳେ ବାବର ଆଜମ ମଧ୍ୟ ଏହି ଇନିଂସ ସମୟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୨,୦୦୦ ରନ୍ ପୂରଣ କରିଥିଲେ।