ଦକ୍ଷିଣ ଆଫ୍ରିକାକୁ ହରାଇ ସେମି ଆଶା ଉଜ୍ଜୀବିତ କଲା ପାକିସ୍ତାନ | News Room Odisha

ଦକ୍ଷିଣ ଆଫ୍ରିକାକୁ ହରାଇ ସେମି ଆଶା ଉଜ୍ଜୀବିତ କଲା ପାକିସ୍ତାନ

ସିଡନୀ: ଟି-୨୦ ବିଶ୍ୱକପରେ ଗୁରୁବାର ଏଠାରେ ଅନୁଷ୍ଠିତ ଗ୍ରୁପ୍-୨ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଡକଓ୍ବର୍ଥ-ଲୁଇସ୍ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇ ଦେଇଛି । ଏହି ଦମଦାର ବିଜୟ ସହ ପାକିସ୍ତାନର ସେମିଫାଇନାଲ ଆଶା ଉଜ୍ଜୀବିତ ହୋଇଛି।

ଇଫତିକର ଅହମ୍ମଦ ଏବଂ ଶାଦାବ ଖାନଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକୁଳି ୯ ୱିକେଟ୍ ହରାଇ ୧୮୫ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ଶାଦାବ ମାତ୍ର ୨୨ଟି ବଲରେ ୩ଟି ଚୌକା ଓ ୪ଟି ଚକା ସହ ୫୨ ରନ୍ କରିଥିବା ବେଳେ ଇଫତିକର ୩୫ ବଲରେ ୩ଟି ଚୌକା ଓ ୨ଟି ଚକା ସହ ୫୧ ରନ୍ କରିଥିଲେ ।

୧୮୬ ରନ୍ ଟାର୍ଗେଟ ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୯ ଓଭରରେ ୪ ଓ୍ବିକେଟ୍ ହରାଇ ୬୯ ରନ୍ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା ।

ବର୍ଷା ବିରତି ପରେ ଦକ୍ଷିଣ ଆଫ୍ରିକା ଦଳକୁ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ୧୪ ଓଭରରେ ୧୫୨ ରନ୍‌ର ଏକ ସଂଶୋଧିତ ଲକ୍ଷ୍ୟ ଦିଆଯାଇଥିଲା। ଏଠାରୁ ଦକ୍ଷିଣ ଆଫ୍ରିକାକୁ ୫ ଓଭରରେ ଆଉ ୭୩ ରନ୍ କରିବାର ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଦଳ ୧୪ ଓଭରରେ ୯ ୱିକେଟ ହରାଇ ମାତ୍ର ୧୦୮ ରନ୍ କରିପାରିଥିଲା ଓ ୩୩ ରନରେ ମ୍ୟାଚ୍ ହାରିଯାଇଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ତେମ୍ବା ବଭୁମା ସର୍ବାଧିକ ୩୬ ରନ୍ କରିଥିଲେ । ପାକିସ୍ତାନ ତରଫରୁ ଶାହୀନ ଶାହା ଆଫ୍ରିଦି ୩ଟି ଓ ଶାଦାବ ଖାନ ୨ଟି ଓ୍ବିକେଟ୍ ନେଇଥିଲେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶାଦାବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ବିଜୟ ପରେ ପାକିସ୍ତାନର ଚାରିଟି ମ୍ୟାଚରୁ ୪ ପଏଣ୍ଟ ସହ ଗ୍ରୁପ-୨ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ପରାଜୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରୁ ୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭାରତ ୬ ପଏଣ୍ଟ ସହ ଶୀର୍ଷରେ ରହିଛି । ତେବେ ପାକିସ୍ତାନର ସେମିଫାଇନାଲରେ ଭାଗ୍ୟ ଏବେ ବି କିଛି ସମୀକରଣରେ ଓ ଅନ୍ୟ ଦଳଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି । ପାକିସ୍ତାନ ତାର ଶେଷ ଗ୍ରୁପ୍ ମ୍ୟାଚ୍ ବାଂଲାଦେଶ ସହ ଖେଳିବ । ଅନ୍ୟପକ୍ଷରେ ଭାରତ ନିଜ ଶେଷ ଗ୍ରୁପ୍ ମ୍ୟାଚରେ ଜିମ୍ବାୱେକୁ ଭେଟିବ । ଦକ୍ଷିଣ ଆଫ୍ରିକା ତା’ର ଶେଷ ଗ୍ରୁପ୍ ମ୍ୟାଚ୍ ନେଦରଲାଣ୍ଡ୍ସ ସହ ଖେଳିବ । ଯଦି ଭାରତ ଓ ଦକ୍ଷିଣ ଆଫ୍ରିକା ନିଜ ଶେଷ ମ୍ୟାଚ୍ ଜିତନ୍ତି ତେବେ ସେମିଫାଇନାଲରେ ଉଭୟ ଦଳର ସ୍ଥାନ ନିଶ୍ଚିତ ହୋଇଯିବ । ଏଭଳି ସ୍ଥିତିରେ ପାକିସ୍ତାନ ଶେଷ ମ୍ୟାଚରେ ବାଂଲାଦେଶକୁ ହରାଇଲେ ମଧ୍ୟ ଦଳ ବିଶ୍ଵକପରୁ ବିଦା ହେବ।