ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ନେଇ ଆପତ୍ତି ଉଠାଇଲା ପାକିସ୍ତାନ | News Room Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ନେଇ ଆପତ୍ତି ଉଠାଇଲା ପାକିସ୍ତାନ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଶ୍ମୀର ଗସ୍ତ ଏବଂ ଚେନାବ ନଦୀରେ ରତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ଏହା ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ବୋଲି ପାକିସ୍ତାନ ଅଭିଯୋଗ କରିଛି।

ଅଗଷ୍ଟ ୨୦୧୯ ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ଏକ ସାଧାରଣ ସଭାରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ରବିବାର ଜାମ୍ମୁ କାଶ୍ମୀର ଗସ୍ତ କରିଥିଲେ।

ଏହି ଗସ୍ତ ସମୟରେ ମୋଦି ରତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ୫,୩୦୦ କୋଟି ଟଙ୍କା ବ୍ୟୟରେ କିସ୍ତଓ୍ବାରରେ ଚେନାବ ନଦୀ ଉପରେ ୮୫୦ ମେଗାୱାଟ ପ୍ରକଳ୍ପ ଏବଂ ୪୫୦୦ କୋଟି ଟଙ୍କାର ଅଧିକ ମୂଲ୍ୟର ୫୪୦ ମେଗାୱାଟ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରାଯିବ।

ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତକୁ ଉପତ୍ୟକାରେ ନକଲି ସ୍ୱାଭାବିକତା ଦେଖାଇବା ପାଇଁ ଅନ୍ୟ ଏକ ଷଡଯନ୍ତ୍ର ବୋଲି କହିଛି।

ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ରବିବାର ରାତିରେ ଏକ ବିବୃତ୍ତିରେ କହିଛି ଯେ, ଅଗଷ୍ଟ ୫, ୨୦୧୯ ପରଠାରୁ କାଶ୍ମୀରର ପ୍ରକୃତ ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଭାରତ ତରଫରୁ ହୋଇଥିବା ଅନେକ ପ୍ରଚେଷ୍ଟା ଅନ୍ତର୍ଜାତୀୟ ସମୁଦାୟ ଦେଖି ଆସିଛି ।

କାଶ୍ମୀରର ଚେନାବ ନଦୀ ଉପରେ ରତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପ (ଏଚ୍ଇପିଏସ୍) ନିର୍ମାଣକୁ ମଧ୍ୟ ପାକିସ୍ତାନ ସମାଲୋଚନା କରିଛି।

ପାକ୍ ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ଭାରତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନକୁ ପାକିସ୍ତାନ ୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲୁଟି)ର ସିଧାସଳଖ ଉଲ୍ଲଂଘନ ଭାବେ ଦେଖୁଛି।

ଆଇଡବ୍ଲୁଟି ଅଧୀନରେ ନିଜର ଦାୟିତ୍ବ ପୂରଣ କରିବାକୁ ଏବଂ ଆଇଡବ୍ଲୁଟି ଢାଞ୍ଚାରେ କ୍ଷତିକାରକ ପଦକ୍ଷେପ ଗ୍ରହଣ ନକରିବାକୁ ପାକିସ୍ତାନ ଭାରତକୁ ଆହ୍ବାନ କରିଛି।

ବିଶ୍ବ ବ୍ୟାଙ୍କର ମଧ୍ୟସ୍ଥତାରେ ୧୯୬୦ର ସିନ୍ଧୁ ଜଳ ଚୁକ୍ତି ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନଙ୍କ ଦ୍ଵାରା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଉଭୟ ଦେଶରେ ପ୍ରବାହିତ ସିନ୍ଧୁ ନଦୀ ଏବଂ ଏହାର ଉପନଦୀର ଜଳ ବ୍ୟବହାର ସହିତ ଜଡିତ ।